୨୦୩୬ ଓ ୨୦୪୦ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଆଗ୍ରହୀ

ନୂଆଦିଲ୍ଲୀ: ଭାରତ ୨୦୩୬ ଓ ୨୦୪୦ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି) ସଭାପତି ଥୋମାସ ବାକ୍ ବୁଧବାର ଏହି ସୂଚନା ଦେଇଛନ୍ତି। ଆଇଓସି ୨୦୨୪ ଓ ୨୦୨୮ ପାଇଁ ଫ୍ରାନ୍ସର ପ୍ୟାରିସ୍ ଏବଂ ଆମେରିକାର ଲସ୍ ଏଞ୍ଜେଲ୍ସକୁ ବାଛିଥିଲା ବେଳେ ଗତମାସରେ ୨୦୩୨ ମସିହା ଅଲିମ୍ପିକ୍ସ ଆୟୋଜନ ଅଧିକାର ଅଷ୍ଟ୍ରେଲିଆ‌ର ବ୍ରିସବେନ୍ ସହରକୁ ପ୍ରଦାନ କରିଛି। ଆଗାମୀ ସମୟରେ ୨୦୩୬ ଓ ୨୦୪୦ ଅଲିମ୍ପିକ୍ସ ଆୟୋଜକ ବାଛିବାର ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଭାରତ ସହ ଅନ୍ୟ କିଛି ବଡ଼ ଦେଶ ଅଲିମ୍ପିକ୍ସ ଆୟୋଜନ କରିବାକୁ ଚାହୁଥିବା ବାକ୍ ଆଜି ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡୋନେସିଆ, ଜର୍ମାନି ଓ କାତାର ଭଳି ଦେଶ ଥିବା ସେ ସୂଚନା ଦେଇଛନ୍ତି। ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ସଂପାଦକ ରାଜୀବ ମେହଟ୍ଟା‌ ମଧ୍ୟ ଏକଥାକୁ ସ୍ବୀକାର କରିଛନ୍ତି। ୨୦୩୬ ଓ ୨୦୪୦ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ବିଡ୍ ଦାଖଲ କରିବ ବୋଲି ସେ ମତ ରଖିଛନ୍ତି। ‘‘ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଆଇଓସି ସହ ହୋଇଥିବା ଭର୍ଚୁଆଲ ବୈଠକରେ ଆମେ ୨୦୩୬ ଏବଂ ତା’ ପର ଅଲିମ୍ପିକ୍ସ ପାଇଁ ଆଗ୍ରହ ପ୍ରକାଶ କରିଥିଲୁ। ୨୦୪୮ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂରଣ ଅବସରରେ ଅଲିମ୍ପିକ୍ସ ଆୟୋଜନର ଲକ୍ଷ୍ୟ ନେଇ କ୍ରୀଡ଼ା ଭିତ୍ତିଭୂମିକୁ ବିକାଶ କରିବାକୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ଭାରତ ସରକାରଙ୍କୁ ଆହ୍ବାନ କରିଥିଲେ। ଭାରତ ମଧ୍ୟ ଏହା ପୂର୍ବରୁ ୨୦୩୨ ଅଲିମ୍ପିକ୍ସ ସହ ୨୦୩୦ ଏସୀୟ କ୍ରୀଡ଼ା ଏବଂ ୨୦୨୬ ଯୁବ ଅଲିମ୍ପିକ୍ସ ଆୟୋଜନ କରିବାକୁ ଆଗ୍ରହ ଦେଖାଇଥିଲା। ଗତ ଡିସେମ୍ବରରେ କିନ୍ତୁ ୨୦୩୦ ଓ ୨୦୩୪ ଏସୀୟ କ୍ରୀଡ଼ା ଆୟୋଜନ ଅଧିକାର ଯଥାକ୍ରମେ କାତାର ଓ ରିୟାଦକୁ ମିଳିସାରିଛି। ସୂଚନାଯୋଗ୍ୟ ଯେ ୨୦୨୨ ଏସୀୟ କ୍ରୀଡ଼ା ଚୀନ୍‌ର ଝେଜିଆଙ୍ଗ, ୨୦୨୬ ଏସୀୟ କ୍ରୀଡ଼ା ଜାପାନର ଆଇଚିଠାରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର