ଭାରତ ପାଇଁ ‘କର ବା ମର’

ଜେଫ୍‌ ଥମ୍ପ୍‌ସନ୍‌

ମଙ୍ଗଳବାର ଆଡିଲେଡ୍‌ରେ ଭାରତ ପାଇଁ ‘କର ବା ମର’ ମ୍ୟାଚ୍ ରହିଛି। ଦିନିକିଆ ଶୃଙ୍ଖଳାରେ ଜିଇଁ ରହିବା ପାଇଁ ବିରାଟ କୋହଲି ବାହିନୀକୁ ଏଠାରେ ଜିତିବାକୁ ହେବ। ମୁଁ ଯଦି ଭାରତୀୟ ଦଳ ପରିଚାଳନା ସହ ଜଡ଼ିତ ଥାନ୍ତି, ତେବେ ଗୋଟିଏ ମାତ୍ର ପରାଜୟରେ ଛାନିଆ ନ ହେବାକୁ କୁହନ୍ତି। ସିଡ୍‌ନି ପରାଜୟ କେବଳ ପ୍ରାରମ୍ଭରେ ଘଟିଥିବା ବ୍ୟାଟିଂ ବିପର୍ଯ୍ୟୟର ଫଳ ଥିଲା। ୪ ଓଭର ଭିତରେ ଭାରତ ୪ ରନ୍‌ରେ ୩ ୱିକେଟ୍ ହରାଇ ଦେଇଥିଲା। ମହେନ୍ଦ୍ର ସିଂହ ଧୋନି ଏବଂ ରୋହିତ ଶର୍ମା ଭଲ ଭାଗୀଦାରି କରିଥିଲେ ମଧ୍ୟ ଶେଷରେ ଏହା ଯଥେଷ୍ଟ ହୋଇନଥିଲା। ଭାରତର ଶୀର୍ଷକ୍ରମ ବ୍ୟାଟିଂ ବିଶ୍ବର ଯେ କୌଣସି ଦଳ ପାଇଁ ବିପଦ ଭଳି। ରୋହିତ ଶର୍ମା-ଶିଖର ଧାୱନଙ୍କ ଭଳି ପ୍ରା‌ରମ୍ଭିକ ଯୋଡ଼ି ପରେ ୩ ନମ୍ବରରେ ଅଛନ୍ତି କିଙ୍ଗ୍ କୋହଲି। ସିଡନି ବିପର୍ଯ୍ୟୟ ଏହି ଦଳକୁ ଫିକା କରିଦେବ ନାହିଁ। ସେଠାରେ ଭାରତ ୪/୩ରେ ଥିଲେ ବି ଭଲ ପ୍ରତ୍ୟାବର୍ତନ କରିଥିଲା। ମୋର ବିଶ୍ବାସ ଯଦି ଅଷ୍ଟ୍ରେଲିଆ ସମାନ ପରିସ୍ଥିତିରେ ଥାଆନ୍ତା ତେବେ ୧୦୦ କିମ୍ବା ୧୫୦ ରନ୍ ଭିତରେ ଅଲଆଉଟ୍ ହୋଇଯାଇଥାନ୍ତା। ଭାରତ କିନ୍ତୁ ୨୮୮ ରନ୍‌କୁ ପିଛା କରି ମାତ୍ର ୩୪ ରନ୍‌ରେ ହାରିଥିଲା।
ଏବେ ସବୁଠୁ ଅଧିକ ଚର୍ଚା ହେଉଛି ଏମ୍‌ଏସ୍ ଧୋନିଙ୍କ ଭବିଷ୍ୟତକୁ ନେଇ। ବିଶ୍ବକପ୍‌କୁ ତାଙ୍କୁ ନେଇକି ଯିବେ ନା ଜଣେ ଯୁବ ଖେଳାଳିଙ୍କ ଉପରେ ନଜର ପକାଇବେ ଚର୍ଚା ଚାଲିଛି। କିନ୍ତୁ ସିଡ୍‌ନିରେ ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଅର୍ଧଶତକ ହାସଲ କରିବା କିଛି ଖରାପ ପ୍ରଦର୍ଶନ ନଥିଲା।
ଭାରତୀୟ ଦଳ ମଧ୍ୟ ଏବେ ଏକ ପଡ଼ିଆ ବାହାର ଘଟଣାକୁ ନେଇ ଧୋକ୍କା ପାଇଛି। ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କ ସମ୍ପୃକ୍ତିକୁ ନେଇ ଏଭଳି ଘଟିଛି। ଭାରତୀୟ ସଂସ୍କୃତି ଉପରେ ଧାରଣା ନ ଥିବାରୁ ମୁଁ ଏ ବିବାଦ ସମ୍ପର୍କରେ ମତ ଦେବି ନାହିଁ। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟର୍ ମାନେ ଟେଲିଭିଜନରେ କ’ଣ କହିବେ ନ କହିବେ ଜାଣି ରଖିବା ଉଚିତ୍‌। ଜଣେ ଚମତ୍କାର ଦ୍ରୁତ ବୋଲିଂ ଅଲରାଉଣ୍ଡର୍ ଭାବେ ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଦଳର ସନ୍ତୁଳନକୁ ବିଗାଡ଼ି ଦେଇଛି। କିନ୍ତୁ ଯଶପ୍ରୀତ୍ ବୁମରାଙ୍କ ଅନୁପସ୍ଥିତି ଭାରତୀୟ ବୋଲିଂରେ ଫରକ ପକାଉଛି। ତେବେ ଜଣେ ଖେଳାଳିର ଅଭାବରୁ ମ୍ୟାଚ୍ ହାତଛଡ଼ା କରିବାରେ ଭାରତ ବିଶ୍ବାସ ରଖିବା ଉଚିତ୍ ନୁହେଁ। ଏଠି ଭୁଲିଯିବାକୁ ହେବ ନାହିଁ ଯେ, ବାସ୍ତବତା ହିଁ ନିର୍ଦୟ, ତୁମେ ‌ଗତକାଲି କେତେ ଭଲ ଥିଲ ଲୋକମ‌ାନେ‌ ମନେ ରଖିବେନି। ସେହି ଦୃଷ୍ଟିରୁ ଭାରତୀୟ ଦଳ ଯେତେବେଳେ ଘରକୁ ଫେରିବ ‌ସେତେବେଳେ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟ ନୁହେଁ, ଅଧିକାଂଶ ପ୍ରଶଂସକ ଦିନିକିଆ ଶୃଙ୍ଖଳାର ପ୍ରଦର୍ଶନକୁ ଚର୍ଚା କରିବେ।
ଅଷ୍ଟ୍ରେଲିଆ ଏବେ ଟେଷ୍ଟ୍ ତୁଳନାରେ ଭଲ ଦିନିକିଆ ଦଳ। ଏକାଧିକ ନୂଆ ମୁହଁ ରହିଛନ୍ତି। ଷ୍ଟୋଇନିସ୍‌, ମ୍ୟାକ୍ସୱେଲ, ମାର୍ସଙ୍କ ଭଳି ଅଭିଜ୍ଞ ଦିନିକିଆ ଖେଳାଳି ବି ଅଛନ୍ତି। ସ୍ମିଥ-ଲିମ୍ୟାନ୍‌ଙ୍କ ଅମଳରେ ମ୍ୟାକ୍ସୱେଲ୍‌ ଶ୍ରେଣୀଭୁକ୍ତ ଥିଲେ। ଆଡିଲେଡ୍‌ରେ ଯେ ତାଙ୍କ ବ୍ୟାଟିଂରେ ପଦୋନ୍ନତି ଘଟିବ ମୁଁ ନିଶ୍ଚିତ ନୁହେଁ। କିନ୍ତୁ ମୁଁ ମଙ୍ଗଳବାର କୋହଲି ଏବଂ ତାଙ୍କ ଦଳଠାରୁ ଭଲ ବ୍ୟାଟିଂ ଆଶା କରିବି। ଏହା କରିପାରିଲେ ସେମାନେ ନିଶ୍ଚିତ ଆଉ ଚମତ୍କାର ଲଢ଼େଇ ପାଇଁ ପ୍ରସ୍ତୁତ ରହିବେ।
(୩୬୦ କାର୍ପୋରେଟ୍‌ ରିଲେସନ୍ସ)

ସମ୍ବନ୍ଧିତ ଖବର