ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିବାକୁ ବାତ୍ରାଙ୍କ ଆହ୍ବାନ, କ୍ରୀଡ଼ାବିତ୍‌ଙ୍କ ବିରୋଧ

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ା (ସିଜିଏଫ୍)ର ପ୍ରତିଦ୍ବନ୍ଦ୍ବିତା ସ୍ତର ଅତି ନିମ୍ନ ମାନର। ଏଥିରେ ଅଂଶଗ୍ରହଣ କରିବା‌ କେବଳ ସମୟ ଏବଂ ଅର୍ଥର ଅପଚୟ। ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ମୁଖ୍ୟ ନରିନ୍ଦର ବାତ୍ରା ବୁଧବାର ଏହା କହିଛନ୍ତି। ତା’ ସହ ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଯିବାକୁ ସେ ଭାରତୀୟ ଦଳକୁ ଆହ୍ବାନ କରିଛନ୍ତି।

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଆୟୋଜକ ବନ୍ଧୁକଚାଳନାକୁ ବାଦ୍ ଦେବା ପରେ ଆଇଓଏ ପୂର୍ବରୁ ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରୁ ଓହରିଯିବାକୁ ଧମକ ଦେଇଥିଲା। ଏଥିନେଇ ସିଜିଏଫ୍ ମୁଖ୍ୟ ଲୁଇସ୍ ମାର୍ଟିନ ଏବଂ ବାତ୍ରାଙ୍କ ମଧ୍ୟରେ ନଭେମ୍ବର ୧୪ରେ ବୈଠକ ହେବାର ଅଛି। ଏହା ପୂର୍ବରୁ ବାତ୍ରା ଏହି କ୍ରୀଡ଼ା ପ୍ରତିଯୋଗିତାରୁ ଓହରିଯିବାକୁ କହିବା ଭାରତର ଅଂଶଗ୍ରହଣ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି। ସେ କହିଛନ୍ତି ଯେ ଏହି ଖେଳର କୌଣସି ସ୍ତର ନାହିଁ। ମୋ ପାଇଁ ଏହା କେବଳ ଟଙ୍କା ଏବଂ ସମୟର ଅପଚୟ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆମେ ୭୦ କି ୧୦୦ ପଦକ ଜିତି ପାରିବା। ହେଲେ ଅଲିମ୍ପିକ୍ସରେ କେବଳ ଗୋଟିଏ କିମ୍ବା ଦୁଇଟି ପଦକ ଜିତୁଛେ। ଏହା ମଧ୍ୟ ଏକ ମାନ୍ୟତା ପ୍ରତିଯୋଗିତା ନୁ‌ହେଁ।

ଭାରତ ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୬୬ ପଦକ ଜିତିଥିଲା। ସେଥିମଧ୍ୟରୁ କେବଳ ବନ୍ଧୁକଚାଳନାରୁ ୧୬ ପଦକ ମିଳିଥିଲା। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବନ୍ଧୁକ ଚାଳନା ନଥିବାରୁ ଭାରତ ପଦକ ତାଲିକାର ବହୁ ତଳକୁ ଖସିବାର ଆଶଙ୍କା ରହିଛି। ତେବେ ଶେଷ ନିଷ୍ପତ୍ତି ପୂର୍ବରୁ ଆଇଓଏର ବୈଠକ ବସିବ ବୋଲି ବାତ୍ରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୧୯୩୦ ମସିହାରେ କାନାଡାର ହାମିଲଟନଠାରେ ଆରମ୍ଭ ହୋଇଥିଲା। ଏଥିରେ ଇଂରେଜଙ୍କ ଦ୍ବାରା ପୂର୍ବରୁ ଶାସିତ ଦେଶଗୁଡ଼ିକ ହିଁ ମୁଖ୍ୟତଃ ଭାବେ ଅଂଶଗ୍ରହଣ କରନ୍ତି।

କ୍ରୀଡ଼ାବିତ୍‌ଙ୍କ ବିରୋଧ

ବାତ୍ରାଙ୍କ ଆହ୍ବାନ ଓ ପରାମର୍ଶକୁ କିନ୍ତୁ ଭାରତୀୟ କ୍ରୀଡ଼ାବିତ୍ ବି‌ରୋଧ କରିଛନ୍ତି। ଏହାଗ୍ରହଣୀୟ ନୁହେଁ। ଆମ ପାଇଁ ଏହା ଏକ ବଡ଼ ଧକ୍କା ହେବ ବୋଲି ପ୍ରତିଷ୍ଠିତ ଟେବୁଲ‌ ଟେନିସ୍ ତାରକା ଜି ସାଥୀୟାଁ କହିଛନ୍ତି। ସାଥୀୟାଁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୁଇଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଜିତିଥିଲେ। ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ ମଧ୍ୟ ଏହାକୁ ସମର୍ଥନ କରି ନାହାନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅନେକ ଶକ୍ତିଶାଳୀ ମୁଷ୍ଟିଯୋଦ୍ଧା ଅଂଶଗ୍ରହଣ କରନ୍ତି। ଏଥିରୁ ଆମେ ଅନେକ କିଛି ଶିଖୁ ବୋଲି ସେ ମତ ପ୍ରକାଶ କରିଛନ୍ତି। ଆହୁରି ଅନେକ ଖେଳାଳି ନିଜ ନାମ ଗୋପନ ରଖି ବାତ୍ରାଙ୍କୁ ବିରୋଧ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର