ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ : ଜାଡେଜାଙ୍କ ଦ୍ଵିଶତକ ପୂର୍ବରୁ ରୋହିତଙ୍କ ପାଳି ଘୋଷଣାକୁ ନେଇ ବିବାଦ

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ଦିନରେ ରୋହିତ ଶର୍ମାଙ୍କ ଏକ ନିଷ୍ପତ୍ତି ଅନେକ କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି। ଭାରତର ସ୍କୋର ୫୭୪/୮ ହୋଇଥିବା ବେଳେ ଅଧିନାୟକ ରୋହିତ ଶର୍ମା ପାଳି ସମାପ୍ତି ଘୋଷଣା କରିଥିଲେ। ଯେତେବେଳେ ରୋହିତ ପାଳି ଘୋଷଣା କଲେ ସେତେବେଳେ ରବୀନ୍ଦ୍ର ଜାଡେଜା ୨୨୮ଟି ବଲ୍ ଖେଳି ୧୭ଟି ଚୌକା ଓ ୩ଟି ଛକା ସହ ୧୭୫ ରନ୍ କରି ଖେଳୁଥିଲେ। ଦ୍ରୁତ ବୋଲର୍ ମହମ୍ମଦ ସାମିଙ୍କ ସହ ସେ ନବମ ଓ୍ଵିକେଟରେ ଅପରାଜିତ ବିସ୍ଫୋରକ ୧୦୩ ରନର ପାର୍ଟନରସିପ୍ ବି କରିଥିଲେ। ଜାଡେଜା ଯେପରି ଖେଳୁଥିଲେ ଆଉ କିଛି ସମୟ ଖେଳିଥିଲେ ସେ ତାଙ୍କର ପ୍ରଥମ ଦ୍ଵିଶତକ ବି ହାସଲ କରିପାରିଥାନ୍ତେ।

ଏବେ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଯାଉଛି। ୧୮ ବର୍ଷ ପୂର୍ବରୁ ବି ଏପରି ଏକ ଘଟଣା ଘଟିଥିଲା। ୧୮ ବର୍ଷ ପୂର୍ବରୁ ମୁଲତାନରେ ସଚିନ ତେନ୍ଦୁଲକର ପାକିସ୍ତାନ ବିରୋଧରେ ଅପରାଜିତ ୧୯୪ ରନ୍ କରିଥିବା ବେଳେ ରାହୁଲ ଦ୍ରାବିଡ ପାଳି ସମାପ୍ତି ଘୋଷଣା କରିଥିଲେ। ଭାରତ ସେତେବେଳେ ୧୬୧.୪ ଓଭରରେ ୪ ଓ୍ଵିକେଟ୍ ହରାଇ ୬୭୫ ରନ୍ କରିଥିଲା। ଯୁବରାଜ ସିଂହ ୫୯ ରନ୍ କରି ଖେଳୁଥିଲେ। ତେବେ ୫୯ ରନର ସ୍କୋରରେ ହିଁ ପରବର୍ତ୍ତୀ ବଲରେ ସେ ଫହରତଙ୍କ ବଲରେ ଆଉଟ୍ ହୋଇଯାଇଥିଲେ। ଯୁବରାଜ ସିଂହ ଆଉଟ୍ ହେବା ପରେ ହିଁ ରାହୁଲ୍ ଦ୍ରାବିଡ୍ ପାଳି ସମାପ୍ତି ଘୋଷଣା କରି ଦେଇଥିଲେ ଓ ଅନ୍ୟପଟେ ୧୯୪ ରନ୍ କରି ଖେଳୁଥିବା ସଚିନ ତେନ୍ଦୁଲକରଙ୍କୁ ଦ୍ଵିଶତକ ପୂରଣ କରିବାକୁ ସୁଯୋଗ ଦେଇ ନଥିଲେ। ଜାଡେଜାଙ୍କ ଶନିବାରର ପାଳିକୁ ଏହି ଘଟଣା ସହ ମେଳ କରି ଦେଖାଯାଉଛି। ଲୋକେ ସାମାଜିକ ଗଣମାଧ୍ୟମରେ ସଚିନ ଓ ଦ୍ରାବିଡଙ୍କୁ ଟ୍ରୋଲ୍ ମଧ୍ୟ କରୁଛନ୍ତି। ରାହୁଲ ଦ୍ରାବିଡ ଏବେ ଭାରତର କୋଚ୍ ଅଛନ୍ତି। ଏହି ମୁଲତାନ ଟେଷ୍ଟରେ ହିଁ ବିରେନ୍ଦ୍ର ସେହ୍ଵାଗ ପ୍ରଥମ ଭାରତୀୟ ଭାବେ ତ୍ରିଶକ ହାସଲ କରିଥିଲେ।

ଜାଡେଜାଙ୍କ ଲଢୁଆ ବିଶାଳ ଶତକ ଯୋଗୁଁ ଭାରତ ବିଶାଳ ୫୭୪/୮(୧୨୯.୨) ରେ ପାଳି ସମାପ୍ତି ଘୋଷଣା କରିଛି। ଏହାପରେ ଦ୍ଵିତୀୟ ଦିନର ଷ୍ଟମ୍ସ ସୁଦ୍ଧା ଶ୍ରୀଲଙ୍କା ୪ ଓ୍ଵିକେଟ୍ ହରାଇ ୧୦୮ ରନ୍ କରିଛି।

ସମ୍ବନ୍ଧିତ ଖବର