୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ: ପାକିସ୍ତାନକୁ ୧୦ ଓ୍ଵିକେଟରେ ହରାଇ ଇତିହାସ ରଚିଲା ଭାରତ

ପଶ୍ଚଷ୍ଟ୍ରୁମ୍‌(ଦକ୍ଷିଣ ଆଫ୍ରିକା): ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟରେ ଭାରତ ଆଜି ଇତିହାସ ରଚିଛି। ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ପ୍ରଥମେ ଦମଦାର ବୋଲିଂ ଓ ଫିଲ୍ଡିଂ କରିଛି। ସେହିଭଳି ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନମାନେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ବିଜୟ ଲକ୍ଷ୍ୟକୁ ଭାରତ ୩୫.୨ ଓଭରରେ କୌଣସି ଓ୍ଵିକେଟ ନ ହରାଇ ଏହା (୧୭୬ ରନ୍‌) ହାସଲ କରିଛି।

ତେବେ ଭାରତର ବିଜୟରେ ହିରୋ ପାଲଟିଥିଲେ ଓପନର ଦିବ୍ୟାଂଶ ସକସେନା ଓ ଯଶସ୍ୱୀ ଜୟସ୍ୱାଲ। ଉଭୟ ବ୍ୟାଟସ୍‌ମ୍ୟାନ ପାକିସ୍ତାନୀ ବୋଲରଙ୍କୁ ଖାତିର ନ କରି ଇନିଂସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ଛିଡ଼ା ହୋଇ ପ୍ରହାର କରିଥିଲେ। ଦିବ୍ୟାଂଶ ୯୯ଟି ବଲ ଖେଳି ଅପରାଜିତ ୫୯ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ ଟି ଚୌକା ସାମିଲ ଥିଲା। ଯଶସ୍ୱୀଙ୍କ ବ୍ୟାଟ୍‌ରୁ ଭାରତକୁ ମିଳିଥିଲା ୧୦୫ ରନ୍‌। ସେ ୧୧୩ଟି ବଲ ଖେଳି ୮ ଚୌକା ଓ ୪ଟି ଛକା ମାରିଥିଲେ।

Photo: Hindustan Times

ଦକ୍ଷିଣ ଆଫ୍ରିକାର ପଶ୍ଚଷ୍ଟ୍ରୁମ୍‌ସ୍ଥିତ ସେନୱେଜ୍‌ ପାର୍କରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ଟିମ୍‌ର ସମସ୍ତ ଖେଳାଳି ୪୩.୧ ଓଭରରେ ଅଲ୍‌ଆଉଟ୍‌ ହୋଇ ୧୭୨ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୧୭୩ ରନ୍‌ ଲକ୍ଷ୍ୟ ମିଳିଥିଲା।

ଭାରତୀୟ ବୋଲରମାନେ ଇନିଂସ ଆରମ୍ଭରୁ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିଥିଲେ। ଟିମ୍‌ର ଦ୍ରୁତ ବୋଲର ସୁଶାନ୍ତ ମିଶ୍ରା ଚମତ୍କାର ବୋଲିଂ କରିଥିଲେ। ସେ ୮.୧ ଓଭର ବୋଲିଂ କରି ୩.୪୩ ହାରରେ ମାତ୍ର ୨୮ ରନ୍‌ ଖର୍ଚ୍ଚ କରିଥିଲେ। ସେହିପରି ସାଥୀ ଖେଳାଳି କାର୍ତ୍ତିକ ତ୍ୟାଗୀ ଓ ରବି ବିଶ୍ନୋଇଙ୍କୁ ୨-୨ ଓ୍ଵିକେଟ୍‌ ମିଳଥିଲା ବେଳେ ଅଥର୍ବ ଓଙ୍କଲେକର ଓ ଯଶସ୍ୱୀ ଜୟସ୍ୱାଲ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

U-19 WC cricket: 173 runs target for India

ପାକିସ୍ତାନର ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ ତଥା ଅଧିନାୟକ ରୋହେଲ ନାଜିର ଦଳ ପାଇଁ ସର୍ବାଧିକ ୬୨ ରନ୍‌ ସଂଗ୍ରହ କରିଥିଲେ। ସେ ୧୦୨ଟି ବଲ ଖେଳି ୬ଟି ଚୌକା ମାରିଥିଲେ। ପ୍ରାରମ୍ଭିକ ବ୍ୟାଟସ୍‌ମ୍ୟାନ୍‌ ହାଇଦର ଅଲିଙ୍କ ବ୍ୟାଟ୍‌ରୁ ପାକିସ୍ତାନକୁ ୫୬ ରନ୍‌ ମିଳିଥିଲା। ସେ ୭୭ଟି ବଲ ଖେଳି ୯ଟି ଚୌକା ପ୍ରହାର କରିଥିଲେ। ସେହିଭଳି ମହମ୍ମଦ ହରିସ୍‌ ଟିମ୍‌ ପାଇଁ ୧୫ଟି ବଲ ଖେଳି ୨୧ ରନ୍‌ ସଂଗ୍ରହ କରିଥିଲେ।

ତେବେ ପାକିସ୍ତାନର ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଫହଦ ମୁନିର ଓ ମହମ୍ମଦ ଅମିର ଖାନ୍‌ (ଅପରାଜିତ) କୌଣସି ରନ୍‌ ଯୋଗାଡ଼ କରିପାରି ନ ଥିଲେ। ଆବାସ ଆଫ୍ରିଦି ଓ ହରିସ୍‌ ହୁସେନ୍‌ ୨-୨ ରନ୍‌ କରିଥିଲା ବେଳେ ଇରଫାନ୍‌ ଖାନ ୩ ରନ ଓ ମହମ୍ମଦ ହଉରିଆ ୪ ରନ୍‌ କରିଥିଲେ। ସେହିପରି ଅମର ଅଲିଙ୍କ ବ୍ୟାଟ୍‌ରୁ ମାତ୍ର ୧ ରନ୍‌ ମିଳିଥିଲା।

ସମ୍ବନ୍ଧିତ ଖବର