ସିଆଚେନ୍‌ରେ ମୁତୟନ ସେନା ଯବାନଙ୍କୁ ଭଲ ଖାଦ୍ୟ ଓ ଉପଯୁକ୍ତ ସୁରକ୍ଷା ଉପକରଣ ଦିଆଯାଉନାହିଁ : ସିଏଜି ରିପୋର୍ଟ

ନୂଆଦିଲ୍ଲୀ : ବରଫାବୃତ ତଥା ଦୁର୍ଗମ ସିଆଚେନ ଓ ଲଦାଖରେ ଅତି ପ୍ରତିକୂଳ ଜଳବାୟୁ ମଧ୍ୟରେ ଭାରତୀୟ ସୀମାର ସୁରକ୍ଷା କରୁଥିବା ଯବାନମାନଙ୍କୁ ସର୍ବନିମ୍ନ ସୁରକ୍ଷା ଉପକରଣ ଯୋଗାଇଦେବାକୁ ଅବହେଳା କରାଯାଉଛି । ଏପରିକି ଏହି ଜଳବାୟୁରେ ସେମାନଙ୍କୁ ଆବଶ୍ୟକ କ୍ୟାଲୋରୀଯୁକ୍ତ ଖାଦ୍ୟ ଦିଆଯାଉନାହିଁ । ଯଦ୍ୱାରା ସେମାନଙ୍କ ଶାରିରୀକ ଦକ୍ଷତା ପ୍ରଭାବିତ ହେଉଛି ଓ ସେମାନେ ବିପଦରେ ପଡୁଛନ୍ତି ବୋଲି ଲୋକସଭାରେ ଆଜି ଦାଖଲ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି ।

ସିଆଚେନ ପାକିସ୍ତାନ ସୀମାରେ ଥିବାବେଳେ ଲଦାଖ ଚୀନ ସୀମାରେ ଥିବାରୁ ଏହି ଦୁଇଟି କ୍ଷେତ୍ରର ଗୁରୁତ୍ୱ ଅଧିକ ଥିବାରୁ ସେନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ସିଏଜି ରିପୋର୍ଟରେ ପରାମର୍ଶ ଦିଆଯାଇଛି ।

୨୦୧୫-୧୬ରୁ ୨୦୧୭-୧୮ ମଧ୍ୟରେ ସିଏଜି ପକ୍ଷରୁ ଏହି ଅଡିଟ କରାଯାଇଥିଲା । ଏହି ସିଏଜି ରିପୋର୍ଟରେ କୁହାଯାଇଛି ଯେ ସିଆଚେନର ଉଚ୍ଚତା ଓ ପ୍ରବଳ ଥଣ୍ଡାରେ ମୁତୟନ ଥିବା ଭାରତୀୟ ସେନାର ଯବାନମାନଙ୍କ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଜୋତା, ଜ୍ୟାକେଟ୍‌ ଓ ଚଷମା ଆଦି ଠିକ ଭାବରେ ଯୋଗାଇଦିଆଯାଉନାହିଁ । ଏପରିକି ସେମାନେ ବାଧ୍ୟ ହୋଇ ରିସାଇକେଲ ହୋଇଥିବା ସାମଗ୍ରୀ ବ୍ୟବହାର କରୁଛନ୍ତି । ଏହା ଦ୍ୱାରା ସେମାନେ ନିୟମିତଭାବେ ବିପଦର ସମ୍ମୁଖୀନ ହେଉଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଜଳବାୟୁ ପାଇଁ ଆବଶ୍ୟକ ଉପକରଣ ଦେଶରେ ନିର୍ମାଣ ହେଉନଥିବାରୁ ସେଗୁଡ଼ିକୁ ବାହାରୁ ଆମଦାନୀ କରାଯାଉଛି ।

ସମ୍ବନ୍ଧିତ ଖବର