କରୋନା ଭାଇରସ୍‌: ଆସନ୍ତା ୮ ତାରିଖରୁ ଦିଲ୍ଲୀ-ହଂକଂ ବିମାନ ଉଡ଼ାଣକୁ ବାତିଲ୍‌ କରିବ ଏୟାର୍‌ ଇଣ୍ଡିଆ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ହେତୁ ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ପରେ ମଙ୍ଗଳବାର ଏୟାର୍‌ ଇଣ୍ଡିଆର ଦିଲ୍ଲୀ-ହଂକଂ ବିମାନ ଉଡ଼ାଣକୁ ଫେବ୍ରୁଆରି ୮ ତାରିଖରୁ ବାତିଲ୍‌ କରି ଦିଆଯାଇଛି।

୨୦୨୦ ଫେବ୍ରୁଆରି ୭ ତାରିଖ ଦିନ ଏୟାର ଇଣ୍ଡିଆ ୩୧୪ ବିମାନ ଉଡ଼ାଣ ଭରିବା ପରେ ବିମାନ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯିବ ‌ବୋଲି ଏୟାର୍‌ ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଶ୍ବିନ ଲୋହାନି ଏ ସଂପର୍କରେ ଟ୍ବିଟର୍‌ରେ ସୂଚନା ଦେଇଛନ୍ତି।

Outlook India

ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ମାରାତ୍ମକ ଭାଇରସ୍‌ କରୋନା ଏବେ ଧୀରେ ଧୀରେ ସାରା ବିଶ୍ବରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ପ୍ରଥମେ ମୁଖ୍ୟତଃ ଚୀନରେ ଏହି ଭାଇରସ୍‌ ଦ୍ବାରା ଲୋକେ ଆକ୍ରାନ୍ତ ହେଉଥିବା ବେଳେ ଏବେ ଅନ୍ୟ ଦେଶଗୁଡ଼ିକରେ ବି ଏହି ଭାଇରସ୍‌ ବ୍ୟାପିବାରେ ଲାଗିଛି। ହଂକଂରେ ଏହି ଭାଇରସ୍‌‌ ହେତୁ ଆଉ ଜଣେ ଆକ୍ରାନ୍ତ ମୃତ୍ୟୁ ଘଟିଥିବା ଜାଣିବା ପରେ ଏୟାର୍‌ ଇଣ୍ଡିଆ ଏପରି ନିଷ୍ପତ୍ତି ନେଇଛି। ନିକଟରେ ଇଣ୍ଡିଗୋ ଭାରତରୁ ଚୀନକୁ ତା’ର ୩ଟି ବିମାନ ବାତିଲ୍‌ କରିସାରିଛି।

ଉଲ୍ଲେଖଯୋଗ୍ୟ, ଏହି ମାରାତ୍ମକ ରୋଗରେ ମୃତ୍ୟୁ ସଂଖ୍ୟା ଏବେ ସୁଦ୍ଧା ୩୬୨ ଛୁଇଁ ସାରିଲାଣି। ଚୀନରେ ସମୁଦାୟ ୧୭ ହଜାର ୨୦୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷ ୫୨ ହଜାର ୭୦୦ ଲୋକଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ବିଶ୍ବର ୨୫ଟି ଦେଶକୁ ଏହି ଭୟଙ୍କର ରୋଗ ବ୍ୟାପିସାରିଲାଣି। କେରଳରେ ପୁଣି ଜଣେ କରୋନା ଭାଇରସ୍‌ ଆକ୍ରାନ୍ତ ଥିବା ସ୍ପଷ୍ଟ କରାଯାଇଛି। ଏହାକୁ ମିଶାଇ କେରଳରେ ୩ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇ ସ୍ବତନ୍ତ୍ର ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର