ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ୍‌ ଆଜିଠୁ

ପୁନେ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ‌ ଟେଷ୍ଟ୍‌ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଗୁରୁବାରଠାରୁ ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ୍ ସଂଘ (ଏମ୍‌ସିଏ) ପଡ଼ିଆରେ ଖେଳାଯିବ। ବିଶାଖାପାଟଣାରେ ଖେଳା ଯାଇଥିବା‌ ପ୍ରଥମ ଟେଷ୍ଟ୍‌କୁ ୨୦୩ ରନ୍‌ର ବୃହତ୍ ବ୍ୟବଧାନରେ ଜିତିଥିବା ଭାରତ ଏହାକୁ ଜିତି ପୁନେରେ ହିଁ ଆଉ ଏକ ଶୃଙ୍ଖଳା ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ଭାରତୀୟ ବୋଲରଙ୍କ ନିକଟରେ ଆତ୍ମସମପର୍ଣ କରିଥିବା ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ସମାନ ସ୍ତରକୁ ଆଣିବା ଲାଗି ଚେଷ୍ଟା କରିବ। ଦକ୍ଷିଣ ଆଫ୍ରିକା ପାଇଁ ଏହି ଆଶା ପୂରଣ କରିବା କିନ୍ତୁ ଆଦୌ ସହଜ ହେବନି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ପଦାର୍ପଣରେ ଯୁଗଳ ଶତକ ହାସଲ କରିଥିବା ରୋହିତ ଶର୍ମାଙ୍କ ବଳରେ ବଳିୟାନ ଭାରତ ପୁନେରେ ବିଶାଖାପାଟଣା ସଫଳତା ଦୋହରାଇବା ଲାଗି ଆପ୍ରାଣ ଉଦ୍ୟମ କରିବ। ରୋହିତଙ୍କ ସହ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲଙ୍କ ଭୂମିକା ମଧ୍ୟ ଏହି କ୍ଷେତ୍ରରେ ଢେର ଗୁରୁତ୍ବପୂର୍ଣ୍ଣ ରହିବ। ଏମାନଙ୍କ ଛଡ଼ା ଅଧିନାୟକ କୋହଲି, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀ ମଧ୍ୟ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ କଡ଼ା ଟକ୍କର ଦେବାକୁ ପୂରା ସକ୍ଷମ।

ଶତକ ସନ୍ଧାନରେ କୋହଲି
୨୦୧୭ରେ ପୁନେର ଏମ୍‌ସିଏ ପଡ଼ିଆରେ ଖେଳିଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ରେ ଭାରତ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକଥା କୋହଲି ବାହିନୀକୁ ଧ୍ୟାନରେ ରଖିବାକୁ ହେବ। ଅଷ୍ଟ୍ରେଲିଆ ବିପକ୍ଷ ସେହି ମ୍ୟାଚ୍ ମାତ୍ର ତିନି ଦିନ ଭିତରେ ଶେଷ ହୋଇ ଯାଇଥିଲା। ନାଥନ ଲାୟନଙ୍କ ସ୍ପିନ୍ ଜାଲରେ ଫସି ଭାରତ ଏହି ମ୍ୟାଚ୍‌କୁ ଲଜ୍ଜାଜନକ ଭାବେ ହାରିଥିଲା। ଏପରିକି ଆଇସିସି ପୁନେ ପିଚ୍‌କୁ ‘ଖରାପ’ ଆଖ୍ୟା ‌ଦେଇଥିଲା। କ୍ୟୁରେଟର ପାଣ୍ଡୁରଙ୍ଗ ସାଲଗାଓଁକର ମଧ୍ୟ ସମାଲୋଚିତ ହୋଇଥିଲେ। ଏଣୁ ଖେଳାଳିଙ୍କ ସହ ୬୯ ବର୍ଷୀୟ ସାଲଗାଓଁକରଙ୍କ ଉପରେ ମଧ୍ୟ ଗୁରୁବାର ସମସ୍ତଙ୍କ ନଜର ରହିବ। ଭାରତୀୟ ଅଧିନାୟକ କୋହଲି ଗତ ପାଞ୍ଚଟି ଟେଷ୍ଟ୍‌ରେ ଶତକ ଅର୍ଜନ କରି ନଥିବାରୁ ତାଙ୍କ ଉପରେ ମଧ୍ୟ ଚାପ ରହିବ। ନିଜ ଶେଷ ୫ ଟେଷ୍ଟରେ କୋହଲି ମାତ୍ର ୩୬.୫୦ ହାରରେ ରନ୍ କରିଛନ୍ତି। ପିଚ୍ ସ୍ପିନରଙ୍କୁ ସୁହାଇଲେ କିନ୍ତୁ ରବିଚନ୍ଦ୍ରନ ଅଶ୍ବିନ ଏବଂ ରବୀନ୍ଦ୍ର ଜାଦେଜାଙ୍କ ଯୋଡ଼ି ଚାରି ଦିନ ଭିତରେ ଭାରତକୁ ଜିତାଇବାର ସାମର୍ଥ୍ୟ ରଖନ୍ତି। ମହମ୍ମଦ ସାମି ଉଭୟ ନୂଆ ଏବଂ ପୁରୁଣା ବଲ୍‌ରେ ଭଲ ବୋଲିଂ କରିବା ଭାରତ ପାଇଁ ଆଉ ଏକ ଭଲ କଥା। ବିଜୟ ଧାରାରେ ଥିବାରୁ ଭାରତ ଅପରିବର୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ। ସେପଟେ ଦକ୍ଷିଣ ଆଫ୍ରିକା ନିଜ ଚୂଡ଼ାନ୍ତ ଏକାଦଶରେ ଗୋଟିଏ କିମ୍ବା ଦୁଇଟି ଅଦଳ ବଦଳ କରିପାରେ। ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକା ଭାରତୀୟ ବଂଶୋଦ୍ଭବ ସ୍ପିନର ସେନୁରନ୍ ମୁଥୁସ୍ବାମୀ ଓ ଡେନ୍ ପିଦଙ୍କୁ ଦଳରୁ ବାଦ ଦେଇପାରେ। ମୁଥୁସ୍ବାମୀଙ୍କ ବଦଳରେ ଜୁବେର ହାମଜା ଏବଂ ପିଦଙ୍କ ସ୍ଥାନରେ ଲୁଙ୍ଗି ଏନଗିଡ଼ିକୁ ସୁଯୋଗ ମିଳିପାରେ। ଭାରତ ପୁନେରେ ବିଜୟୀ ହେଲେ ଘରୋଇ ପରିବେଶରେ ଲଗାତାର ଏକାଦଶ ଶୃଙ୍ଖଳା ବିଜୟର ସ୍ବାଦ ଚାଖିବ।

ଘାସୁଆ ପିଚ୍
ପୁନେ ପିଚ୍‌ରେ ସାମାନ୍ୟ ଘାସ ରହିଥିବା ଜଣାପଡ଼ିଛି। ତେବେ ଏହା ପୂରା ପାଞ୍ଚ ଦିନ ପର୍ଯ୍ୟନ୍ତ ସିମରଙ୍କୁ ସହାୟତା ଦେବାର ସମ୍ଭାବନା କମ୍ ବୋଲି କ୍ରି‌କେଟ୍ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ପୁନେରେ ଆସନ୍ତା ପା‌ଞ୍ଚ ଦିନ ପର୍ଯ୍ୟନ୍ତ ଦିନରେ ପାଗ ଶୁଖିଲା ରହିବ, ହେଲେ ସଂଧ୍ୟାରେ ବର୍ଷା ହେବ। ଏଥିପାଇଁ ଖେଳ ପ୍ରଭାବିତ ହେବାର ଆଶଙ୍କା କମ୍। ପରିସଂଖ୍ୟାନ ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାର ଆଉ ୧ ରନ୍ କଲେ ଭାରତ ବିପକ୍ଷରେ ଭାରତରେ ୩୦୦ ରନ୍ ଛୁଇଁବେ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ, ‌‌ଚେତେଶ୍ବର ପୂଜାରା, ହନୁମା ବିହାରୀ, ଋଦ୍ଧିମାନ ଶାହା, ରବୀନ୍ଦ୍ର ଜା‌ଦେଜା, ରବିଚନ୍ଦ୍ରନ୍ ଅଶ୍ବିନ, ମହମ୍ମଦ ସାମି, ଈଶାନ୍ତ ଶର୍ମା।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଫାଫ୍ ଡୁ’ ପ୍ଲେସିସ୍ (ଅଧିନାୟକ), ଡିନ୍ ଏଲଗାର, ଏଦେନ ମର୍କରାମ, ଥିଉନିସ୍ ଡି’ ବ୍ରୁଇନ, ଟେମ୍ବା ବଭୁମା, କ୍ବିଣ୍ଟନ୍ ଡି’ କକ୍, କାଗିସୋ ରବାଦା, କେଶବ ମହାରାଜ, ଭର୍ନାନ ଫିଲାଣ୍ଡର, ଲୁଙ୍ଗି ଏନଗିଡ଼ି, ଡେନ୍ ପିଦ୍, ସେନୁରନ୍ ମୁଥୁସ୍ବାମୀ, ଜୁବେର ହାମଜା, ହେନରିଚ୍ କ୍ଲାସେନ୍, ଆନରିଚ୍ ନର୍ତଜେ।

ସମ୍ବନ୍ଧିତ ଖବର