କେନିଆକୁ ହରାଇଲେ ଛେତ୍ରୀ: ଭାରତକୁ ଅନ୍ତଃମହାଦେଶୀୟ କପ୍‌

ମୁମ୍ବାଇ: ଆଫ୍ରିକୀୟ ରାଷ୍ଟ୍ର କେନିଆକୁ ଏକତରଫା ଭାବେ ୨-୦ ଗୋଲ୍‌ରେ ପରାସ୍ତ କରି ଭାରତ ଅନ୍ତଃମହାଦେଶୀୟ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଜିତି ନେଇଛି। ରବିବାରର ଫାଇନାଲରେ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ ହିଁ ଦୁଇ ଦଳ ମଧ୍ୟରେ ପ୍ରମୁଖ ପାର୍ଥକ୍ୟ ଥିଲେ। ତାଙ୍କ ପାଦ ଚାଳନାରେ ଘାଇଲା ହୋଇ କେନିଆ ପ୍ରଥମାର୍ଧରେ ହିଁ ଦୁଇଟି ଗୋଲ୍‌ ବରଣ କରିବା ସହ ଭାରତଠାରୁ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଥିଲା। ଲିଗ୍‌ ପର୍ଯ୍ୟାୟରେ ମଧ୍ୟ କେନିଆକୁ ଭାରତ ତିନିଟି ଗୋଲ୍‌ ବ୍ୟବଧାନରେ ପରାସ୍ତ କରିଥିଲା। ଛେତ୍ରୀ ସେହି ମ୍ୟାଚ୍‌ରେ ଦୁଇଟି ଗୋଲ୍‌ ଦେଇ ନିଜ ଶତକୀୟ ଅନ୍ତର୍ଜାତୀୟ ପଦାର୍ପଣକୁ ସ୍ମରଣୀୟ କରି ଦେଇଥିଲେ। ଆଜିର ବିଜୟ ପରେ ଆସନ୍ତାବର୍ଷ ଜାନୁଆରି ମାସରେ ଖେଳାଯିବାକୁ ଥିବା ଏଏଫ୍‌ସି ଏସିଆନ୍‌ କପ୍‌ ପୂର୍ବରୁ ଭାରତୀୟ ଦଳର ମନୋବଳ ଯଥେଷ୍ଟ ବଢ଼ିଛି। ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ଷ୍ଟାଡିୟମରେ ଥିବା ହଜାର ହଜାର ଦର୍ଶକ ଭାରତ ବିଜୟ ପରେ ଏକାଠି ତାଳିମାରି ଖୁସି ମନାଇଥିଲେ।
ରବିବାର ରାତିର ଏହି ପ୍ରତୀକ୍ଷିତ ମୁକାବିଲାରେ ଛେତ୍ରୀ ସପ୍ତମ ମିନିଟ୍‌ରେ ହିଁ ଭାରତକୁ ଆଗୁଆ କରି ଦେଇଥିଲେ। ୭ ମିନିଟରେ ମିଳିଥିବା ଫ୍ରି କିକ୍‌କୁ ଅନାୟାସରେ ଗୋଲ୍‌ ପୋଷ୍ଟ ଭିତରେ ପୂରାଇ ସେ ଭାରତୀୟ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ୨୧ ମିନିଟ୍‌ ପରେ ଅର୍ଥାତ୍‌ ୨୮ ମିନିଟରେ ସେ ପୁଣି ଥରେ କେନିଆ ଗୋଲ୍‌ ରକ୍ଷକଙ୍କୁ ଚକମା ଦେବାକୁ ସକ୍ଷମ ହୋଇଥିଲେ। ଏଥର ଏକ ସୁନ୍ଦର ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ଆଗୁଆ କରି ଦେଇଥିଲେ। କେନିଆ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ମଧ୍ୟ ସେଥିରୁ ଗୋଟିଏ ହେଲେ ବି ଗୋଲ୍‌ ଶୁଝି ପାରି ନଥିଲା। ଫଳରେ ଭାରତ ବିଜୟ ମୁକୁଟ ପିନ୍ଧିଥିଲା। ଛେତ୍ରୀ ଆଶାଜନକ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଚାଇନିଜ୍‌ ତାଇପେଇ ବିପକ୍ଷରେ ହ୍ୟାଟ୍ରିକ୍‌ ସହ ଛେତ୍ରୀ ଏହି ପ୍ରତିଯୋଗିତାରେ ୮ ଗୋଲ୍‌ ଦେଇଥିଲେ।

ଚାରିଆଡ଼ୁ ଶୁଭେଚ୍ଛା
ଭାରତୀୟ ଦଳ ଅନ୍ତଃମହାଦେଶୀୟ କପ୍‌ ଜିତିବା ପରେ ଏହାକୁ ଚାରିଆଡ଼ୁ ଶୁଭେଚ୍ଛାର ସୂଅ ଛୁଟିଥିଲା। କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, କେନ୍ଦ୍ରୀୟ ମନ୍ତ୍ରୀ ସୁରେଶ ପ୍ରଭୁ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବିସ୍ଫୋରକ ବୀରେନ୍ଦ୍ର ସେହବାଗ, ସୁରେଶ ରାଇନାଙ୍କ ସହ ଦେଶର ବହୁ ସେଲିବ୍ରେଟି ଏବଂ ତାରକା ସୁନୀଲ ଛେତ୍ରୀଙ୍କ ଦଳକୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ। ଛେତ୍ରୀ ମଧ୍ୟ ଟ୍ଵିଟ୍‌ କରି ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମେସିଙ୍କ ସମକକ୍ଷ ହେଲେ ଛେତ୍ରୀ
କେନିଆ ବିପକ୍ଷ ଅନ୍ତମହାଦେଶୀୟ କପ୍‌ ଫାଇନାଲରେ ଦୁଇଟି ଗୋଲ୍‌ ଦେବା ସହ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଗୋଲ୍‌ ସଂଖ୍ୟାରେ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ୍‌ ମେସିଙ୍କ ସହ ସମକକ୍ଷ ହୋଇଛନ୍ତି। ଉଭୟ ମେସି ଓ ଛେତ୍ରୀ ଏବେ ୬୪ ଲେଖାଏଁ ଗୋଲ୍‌ ଦେଇ ଅନ୍ତର୍ଜାତୀୟ ଫୁଟ୍‌ବଲରେ ସର୍ବାଧିକ ସଂଖ୍ୟକ ଗୋଲ୍‌ ଦେବା ତାଲିକାରେ ଯୁଗ୍ମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଛେତ୍ରୀ ୧୦୧ ମ୍ୟାଚ୍‌ରୁ ୬୪ ଗୋଲ୍‌ ଦେଇଛନ୍ତି। ଅନ୍ୟ ପକ୍ଷରେ ମେସି ୧୨୪ ମ୍ୟାଚ୍‌ ଖେଳି ସେହି ୬୪ ଗୋଲ୍‌ ଅର୍ଜନ କରିଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଛେତ୍ରୀ ତାଙ୍କ ଆଗରେ ରହିବେ। ଛେତ୍ରୀ ଅନ୍ତଃମହାଦେଶୀୟ କେନିଆ କପ୍‌ର ବିପକ୍ଷ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଦୁଇଟି ଗୋଲ୍‌ ଦେଇ ନିଜ ଗୋଲ୍‌ ସଂଖ୍ୟା ୬୨ରେ ପହଞ୍ଚାଇଥିଲେ। ଆଜି ଆଉ ଦୁଇଟି ଗୋଲ୍‌ ଦେଇ ମେସିଙ୍କ ସ୍ତରକୁ ଚାଲି ଯାଇଥିଲେ। ଏ କ୍ଷେତ୍ରରେ ସଂପ୍ରତି ପର୍ତୁଗାଲ ତାରକା କ୍ରିଷ୍ଟିଆନ ରୋନାଲଡୋ (୧୫୦ ମ୍ୟାଚ୍‌, ୮୧ ଗୋଲ୍‌) ପ୍ରଥମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର