ନ୍ୟୁଜିଲାଣ୍ଡ୍ ଗସ୍ତ ପାଇଁ ମହିଳା ଦଳ ଘୋଷିତ

ମିତାଲି ଦିନିକିଆ, ହର୍‌ମନ୍‌ପ୍ରୀତ୍‌ ଟ୍ବେଣ୍ଟି-୨୦ ଅଧିନାୟିକା

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳର ନୂ୍ଆ ପ୍ରଶିକ୍ଷକ ବଛାଯିବା ପରେ ପରେ ଆସନ୍ତାମାସରେ ନ୍ୟୁଜିଲାଣ୍ଡ୍ ଗସ୍ତ ପାଇଁ ଦଳ ଘୋଷଣା କରାଯାଇଛି। ଶୁକ୍ରବାର ଡବ୍ଲୁଭି ରମଣଙ୍କୁ ନୂଆ ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିବା ପରେ ଶନିବାର ୧୫ ଜଣିଆ ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳ ଘୋଷିତ ହୋଇଛି। ଏଥି ସହିତ ଗତ ବିଶ୍ବ ଟ୍ବେଣ୍ଟି-୨୦ ବେଳେ ମିତାଲି ରାଜ୍ ଓ ହର୍‌ମନ୍‌ପ୍ରୀତ୍‌ କୌରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଆପାତତଃ ଥମି ଯାଇଛି। ଅଭିଜ୍ଞ ମିତାଲିଙ୍କୁ ଦିନିକିଆ ଏବଂ ହର୍‌ମନ୍‌ପ୍ରୀତ୍‌ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ଭାର ବଜାୟ ରଖିଛନ୍ତି। ବିସିସିଆଇ ସିଇଓ ରାହୁଲ୍ ଜୋହରି ଏବଂ କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀଙ୍କ ଉପସ୍ଥିତିରେ ମନୋନୟନ ସମିତି ମୁଖ୍ୟ ହେମଲତା କାଲା ଉଭୟ ଦଳ ଘୋଷଣା କରିଥିଲେ। ତେବେ ଫର୍ମ ହରାଇଥିବା ଭେଡା କୃଷ୍ଣମୂର୍ତ୍ତିଙ୍କୁ ଉଭୟ ଦଳରୁ ବାଦ୍ ଦିଆଯାଇଛି। ତାଙ୍କ ବଦଳରେ ଦିନିକିଆ ଦଳରେ ମୋନା ମେସ୍ରମଙ୍କୁ ସାମିଲ କରାଯାଇଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ରେ ବିଶ୍ବ ଟ୍ବେଣ୍ଟି-୨୦ ଖେଳିଥିବା ଦଳରୁ ୨ ପରିବର୍ତନ କରାଯାଇଛି। ଟ୍ବେଣ୍ଟି-୨୦ ଦଳରେ ଶିଖା ପାଣ୍ଡେ ଆହତ ଦ୍ରୁତ ବୋଲର ପୂଜା ଭସ୍ତ୍ରକାରଙ୍କ ସ୍ଥାନ ନେଇଥିଲା ବେଳେ ଭେଡା କୃଷ୍ଣମୂର୍ତ୍ତିଙ୍କ ବଦଳରେ ନବାଗତା ପ୍ରିୟା ପୂନିଆଙ୍କୁ ସୁଯୋଗ ମିଳିଛି। ନ୍ୟୁଜିଲାଣ୍ଡ୍ ଗସ୍ତରେ ଭାରତ ୩ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଜାନୁଆରି ୨୪ ତାରିଖରେ ପ୍ରଥମ ମ୍ୟାଚ୍ ଖେଳି ଗସ୍ତ ଆରମ୍ଭ କରିବ। ବିଶ୍ବ ଟ୍ବେଣ୍ଟି-୨୦ ସେମିଫାଇନାଲ୍‌ରେ ଇଂଲଣ୍ଡ ନିକଟରୁ ହାରିଯିବା ପରେ ଭାରତୀୟ ଦଳର ଏହା ପ୍ରଥମ ଗସ୍ତ ହେବ।

ଦିନିକିଆ ଦଳ: ମିତାଲି ରାଜ୍ (ଅଧିନାୟିକା), ପୂନମ୍ ରାଉତ, ସ୍ମୃତି ମନ୍ଧାନା, ଜେମିମା ରୋଦ୍ରିଗୁଏଜ୍, ହର୍‌ମନ୍‌ପ୍ରୀତ୍‌ କୌର, ଦୀପ୍ତି ଶର୍ମା, ତାନିୟା ଭାଟିଆ, (ୱିକେଟ୍‌ରକ୍ଷକ), ମୋନା ମେସ୍ରମ୍, ଏକ୍ତା ବିସ୍ତ, ମାନସୀ ଜୋଷୀ, ଦୟାଲନ୍ ହେମଲତା, ପୂନମ୍ ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଝୁଲଣ ଗୋସ୍ମାମୀ ଓ ଶିଖା ପାଣ୍ଡେ।

ଟ୍ବେଣ୍ଟିଂ-୨୦ ଦଳ: ହର୍‌ମନ୍‌ପ୍ରୀତ୍‌ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ମିତାଲି ରାଜ୍, ଦୀପ୍ତି ଶର୍ମା, ଜେମିମା ରୋଦ୍ରିଗୁଏଜ୍, ଅନୁଜା ପାଟିଲ, ଦୟାଲନ୍ ହେମଲତା, ମାନସୀ ଜୋଷୀ, ଶିଖା ପାଣ୍ଡେ, ତାନିୟା ଭାଟିଆ, (ୱିକେଟ୍‌ରକ୍ଷକ), ପୂନମ୍ ଯାଦବ, ଏକ୍ତା ବିସ୍ତ, ରାଧା ଯାଦବ, ଅରୁନ୍ଧତୀ ରେଡ୍ଡୀ ଓ ପ୍ରିୟା ପୂନିଆ।

ସମ୍ବନ୍ଧିତ ଖବର