ପ୍ରଥମଥର ପାଇଁ ଏକାଠି ଉଡ଼ିବ ୨୦୫ ଦେଶର ପତାକା

ଭୁବନେଶ୍ବର: ଏକାଠି ଗୋଟିଏ ସ୍ଥାନରେ ଉଡ଼ିବ ୨୦୫ ଦେଶର ପତାକା। ବିଶ୍ବ ଏକତ୍ରୀକରଣ ବାର୍ତ୍ତା ନେଇ ଉଡ଼ାଯିବ ଏହି ସବୁ ପତାକା। ‘ବସୁଧୈବ କୁଟୁମ୍ବକମ୍‌’ ହେବ ଏହାର ମୂଳ ଆଧାର। ଜା‌ତି, ଧର୍ମ, ସ୍ବାର୍ଥପରତାର ସଂକୀର୍ଣ୍ଣ ଚିନ୍ତାଧାରାରୁ ବାହାରକୁ ଆସି ପ୍ରତ୍ୟେକ ମଣିଷକୁ ଶାନ୍ତି, ମୈତ୍ରୀ, ପ୍ରୀତି ଓ ବିଶ୍ବକଲ୍ୟାଣ ଭାବନାରେ ବାନ୍ଧି ରଖିବାକୁ ପ୍ରୟାସ କରାଯିବ। ସାରା ବିଶ୍ବକୁ ଏକାଠି କରିବା ଉଦ୍ଦେଶ୍ୟରେ ପ୍ରଥମଥର ପାଇଁ ଓଡ଼ିଶାରେ ଏହି ଛୋଟ ପ୍ରୟ‌ାସ କରାଯାଉଛି। ‘ଗ୍ଲୋବାଲ ପିସ୍‌ ଫାଉଣ୍ଡେସନ୍‌’ ପକ୍ଷରୁ ପ୍ରଥମଥର ପାଇଁ ଜାନୁଆରି ପହିଲାକୁ ‘ବିଶ୍ବ ସଂହତି ଦିବସ’ ପାଳନ କରାଯିବ। କିଟ୍‌ ପରିସରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶ୍ବରୁ ହିଂସା ଓ ଅଶାନ୍ତିକୁ ମୂଳୋତ୍ପାଟନ କରିବା ପାଇଁ ଲକ୍ଷ୍ୟ ରଖି ପ୍ରଥମ ପାହାଚ ଚଢ଼ିବାକୁ ପ୍ରୟାସ କରାଯିବ। ବିଶ୍ବସ୍ତରରେ ପ୍ରତି ଦେଶ ଓ ରାଜ୍ୟରେ ପାଳନ କରିବାକୁ ଫାଉଣ୍ଡେସନ୍‌ ପକ୍ଷରୁ ମିଳିତ ଜାତିସଂଘକୁ ପ୍ରସ୍ତାବ ଦିଆଯିବ। ତେବେ ଏଭଳି ଏକ ପ୍ରୟାସ ପାଇଁ ଓଡ଼ିଶାର ସମସ୍ତ ନାଗରିକ ଓ ବୁଦ୍ଧିଜୀବୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି ‘ଗ୍ଲୋବାଲ ପିସ୍‌ ଫାଉଣ୍ଡେସନ୍‌’ ଅଧ୍ୟକ୍ଷ ରାଜକିଶୋର ପଣ୍ଡା। ସେ କହିଛନ୍ତି, ଆମେ ନିଜକୁ ନିଜେ ଓଡ଼ିଶାବାସୀ ବା ଭାରତବାସୀ କହିବାରେ ଗର୍ବ ଅନୁଭବ କରୁଛୁ। କିନ୍ତୁ ତାକୁ ଭୁଲି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ନିଜକୁ ବିଶ୍ବବାସୀ ଭାବି ବିଶ୍ବ ପାଇଁ କିଛି କରିବା ପାଇଁ ଅଣ୍ଟା ଭିଡ଼ିବାକୁ ପଡ଼ିବ। ପୃଥିବୀରେ ମାନବ ସମାଜ ପାଇଁ ଲାଗି ରହିଥିବା ସମସ୍ୟା ଯଥା ପ୍ରାକୃତିକ ବିପର୍ଯ୍ୟୟ, ଆତଙ୍କବାଦ, ପରମାଣୁ ଅସ୍ତ୍ର ପ୍ରତିଯୋଗିତା, ମାନବାଧିକାର ଉଲ୍ଲଂଘନ, ଜନସଂଖ୍ୟା ବିସ୍ଫୋରଣ, ପରିବେଶ ପ୍ରଦୂଷଣ ଓ ଧନୀ-ଗରିବ ମଧ୍ୟରେ ବିଭେଦ ଆଦି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ମୁରବୀ ବିହୀନ ବିଶ୍ବର ସୁସଂଗଠନ ପାଇଁ ଏକ ‘ବିଶ୍ବ ସରକାର’ ଗଠନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଆଜି ନିଖିଳ ଓଡ଼ିଶା ଶିକ୍ଷକ ମହାସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶ୍ରୀ ପଣ୍ଡା। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନ୍‌ର ସଦସ୍ୟ ପ୍ରଫେସର ରବି ରାୟ, ନୂଆଦିଲ୍ଲୀସ୍ଥିତ ଜାତୀୟ ମାନବ ଅଧିକାର ପ୍ରତିରକ୍ଷାକାରୀ ଭଜମନ ବିଶ୍ବାଳ ଓ ଶିକ୍ଷାବିତ୍‌ ମନୀନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର