ରୋମାଞ୍ଚକ ମୁକାବିଲାରେ ଭାରତ ବିଜୟୀ, ୱେଷ୍ଟଇଣ୍ଡିଜ ବିପକ୍ଷରେ ୩-୦ରେ ଜିତିଲା ଶୃଙ୍ଖଳା

ଶେଷ ମୁକାବିଲାରେ ଧାଓ୍ଵନ-ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ

ଚେନ୍ନାଇ: ଓପନର ଶିଖର ଧାଓ୍ଵନ-ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ (ଶିଖର ଧାଓ୍ଵନ ୯୨ ରନ୍‌, ୬୧ ବଲ୍‌, ୧୦ ଚୌକା, ୨ ଛକା) ବଳରେ ଭାରତ ଅନ୍ତିମ ମୁକାବିଲାରେ ୬ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ଏଥି ସହିତ ଭାରତ ୩-୦ରେ ଶୃଙ୍ଖଳା ଜିତିଛି। ଭାରତ ୧୮୨ ରନ୍‌ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଖେଳିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ଲକ୍ଷ୍ୟ ପୂରା କରିଛି। ଓପନର ତଥା ଅଧିନାୟକ ରୋହିତ ଶର୍ମା ୪ ରନ୍‌ ସଂଗ୍ରହ କରି ପାଭଲିଅନ୍‌ ଫେରିଥିଲେ। ଭାରତ ପ୍ରଥମ ଓ୍ଵିକେଟ୍‌ ୧୩ ରନ୍‌ରେ ହରାଇଥିଲା। ଦ୍ୱିତୀୟ ଓ୍ଵିକେଟ ଭାବରେ ଲୋକେଶ ରାହୁଲ (୧୩)ଙ୍କୁ ହରାଇଥିଲା। ଶେଷ ବଲରେରେ ମ୍ୟାଚ ରୋମାଞ୍ଚକ ହୋଇଥିଲା। ଭାରତକୁ ଗୋଟିଏ ରନ୍‌ ଦରକାର ଥିବା ବେଳେ ମନୀଷ ପାଣ୍ଡେ (ଅପରାଜିତ ୪ ରନ୍‌) ଏହାକୁ ହାସଲ କରିଥିଲେ।

ଶିଖର ଧାଓ୍ଵନଙ୍କୁ ଋଷଭ ପନ୍ତ (୫୮ ରନ୍‌) ସହଯୋଗ କରିଥିଲେ। ପନ୍ତ ୩୮ଟି ବଲ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ। ଧାଓ୍ଵନ ପାଭଲିଅନ୍‌ ଫେରିବା ପରେ ଦିନେଶ କାର୍ତ୍ତିକ କ୍ରିଜ୍‌କୁ ଆସିଥିଲେ। ସେ କୌଣସି ବଲ ସମ୍ମୁଖୀନ ହୋଇ ନଥିଲେ। ଇଣ୍ଡିଜ୍‌ର ବୋଲର କୀମୋ ପଲ ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ଓସାନ ଥୋମାସ ଓ ଫାବିଆନ୍‌ ଆଲେନ୍‌ ୧-୧ ଓ୍ଵିକେଟ୍‌ ନେଇଥିଲେ।

ପ୍ରଥମ ଇନିଂସରେ ନିକୋଲାସ ପୋରନ (୫୩ ରନ୍‌, ୨୫ ବଲ, ୪ ଚୌକା ଓ ୪ ଛକା) ଓ ଡାରେନ ବ୍ରାଭୋ (୪୩ ରନ୍‌, ୩୭ ବଲ୍‌, ୨ ଚୌକା ଓ ୨ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ ଶେଷ ତଥା ୩ୟ ଟି-୨୦ରେ ରବିବାର ଭଲ ପ୍ରଦର୍ଶନ କରିଥିଲା। ଉଭୟ ବ୍ୟାଟସ୍‌ମ୍ୟାନ ୪୩ଟି ବଲରେ ୪ର୍ଥ ଓ୍ଵିକେଟ୍‌ ପାଇଁ ଅପରାଜିତ ୮୭ ରନ୍‌ ଭାଗିଦାରୀ ହୋଇ ପାରିଥିଲେ। ୱେଷ୍ଟଇଣ୍ଡିଜ ଅନ୍ତିମ ୪ ଓଭରରେ କୌଣସି ଓ୍ଵିକେଟ ନହରାଇ ୪୯ ରନ୍‌ ଯୋଡ଼ିଥିଲା।

ଟସ୍‌ ଜିଣି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ ହରାଇ ୧୮୧ ରନ୍‌ ସଂଗ୍ରହ କରିଥିଲା। ଫଳରେ ଭାରତକୁ ୧୮୨ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଭାରତୀୟ ବୋଲରମାନଙ୍କୁ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟସ୍‌ମ୍ୟାନ୍‌ମାନେ ଖାତିର କରି ନଥିଲେ।

ସାଈ ହୋପ୍‌ (୨୪ ରନ୍‌) କରି ଯୁଜବେନ୍ଦ୍ର ଚହଲଙ୍କ ବଲ୍‌ ଓ୍ଵାସିଙ୍ଗଟନ୍‌ ସୁନ୍ଦରଙ୍କୁ ଦେଇଥିଲେ। ସେ ୨୨ଟି ବଲ୍‌ ଖେଳି ୩ ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସିମ୍‌ରୋନ୍‌ ହେଟମେର୍‌ ଚହଲଙ୍କ ବଲରେ କ୍ରୁନାଲ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ ଦେବା ପୂର୍ବରୁ ୨୧ଟି ବଲ ଖେଳି ୨୬ ରନ୍‌ ସଂଗ୍ରହ କରିଥିଲେ। ସେ ଭାରତର ୨ୟ ଶିକାର ହେବା ପରେ ଦଳର ସ୍କୋର ୬୨ ରନ୍‌ ଥିଲା। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଓ୍ଵିକେଟ୍‌ ୫୨ ରନ୍‌ରେ ହରାଇଥିବା ବେଳେ ୩ୟ ଓ୍ଵିକେଟ୍‌ ଭାବରେ ୯୪ ରନ୍‌ରେ ଦିନେଶ ରାମଦୀନ (୧୫)ଙ୍କୁ ହରାଇଥିଲା। ରାମଦୀନଙ୍କୁ ଓ୍ଵାସିଙ୍ଗଟନ୍‌ ସୁନ୍ଦର ଆଉଟ୍‌ କରିଥିଲେ।

ସମ୍ବନ୍ଧିତ ଖବର