ଭାରତର ଲଗାତାର ବିଜୟ, ପାକିସ୍ତାନକୁ ୭ ୱିକେଟରେ ହରାଇଲା
ଗାଏନା: ଚଳିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ରବିବାର ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ଶୁକ୍ରବାର ଉଦ୍ଘାଟନୀ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବା ଭାରତ ରବିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୭ ୱିକେଟ୍ରେ ହରାଇ ଦେଇଛି। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆଠାରୁ ହାରିଥିବା ପାକିସ୍ତାନ ମଧ୍ୟ ଲଗାତାର ଦ୍ବିତୀୟ ପରାଜୟ ବରଣ କରି ଆଶଙ୍କାରେ ପଡ଼ିଛି। ରବିବାର ଗ୍ରୁପ୍ ‘ବି’ ଅନ୍ତର୍ଗତ ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ କ୍ଷେତ୍ରରକ୍ଷଣ କରିଥିଲା। ତେବେ ଚାରି ଚାରିଟି ସହଜ କ୍ୟାଚ୍ ହାତଛଡ଼ା କରିବାରୁ ପାକିସ୍ତାନ ୧୩୩ ରନ୍ର ସମ୍ମାନଜନକ ସ୍କୋର କରି ନେଇଥିଲା। ଅରୁନ୍ଧତି ରେଡ୍ଡୀ ପ୍ରଥମ ଓଭରରେ ଆୟେସା ଜାଫରଙ୍କୁ ଖାତା ଖୋଲିବାକୁ ଦେଇନଥିଲେ। ଉସମାଇମା ସୋହେଲ ଏବଂ ଅଧିନାୟିକା ଜାଭେରିଆ ଖାନ୍ (୧୭) ରନ୍ ଆଉଟ୍ ହୋଇଯିବାରୁ ପାକିସ୍ତାନ ୩୦/୩ରେ ସଂଘର୍ଷ କରିଥିଲା। କିନ୍ତୁ ବିସମା ମାରୁଫ (୫୩, ୪୯ ବଲ, ୪ ଚୌକା)ଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଧଶତକ ଏବଂ ନିଦା ଦାର (୫୨, ୩୫ ବଲ, ୫ ଚୌକା, ୨ ଛକା) ବିସ୍ଫୋରକ ବ୍ୟାଟିଂ କରି ଚତୁର୍ଥ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ିନେଇଥିଲେ। ଶେଷ ୨ ଓଭରରେ ପାକିସ୍ତାନ ୪ ୱିକେଟ୍ ହରାଇବାରୁ ୧୩୩/୭ରେ ସୀମିତ ରହିଥିଲା। ଭାରତ ପକ୍ଷରୁ ଦୟାଲନ ହେମଲତା, ପୁନମ ଯାଦବ ୨ ଲେଖାଏଁ ଏବଂ ଅରୁନ୍ଧତି ରେଡ୍ଡୀ ଗୋଟିଏ ୱିକେଟ୍ ନେଇଥିଲେ। ଜବାବରେ ଭାରତ ପାଇଁ ପ୍ରଥମ ମ୍ୟାଚ୍ରେ ବ୍ୟାଟିଂ ସୁଯୋଗରୁ ବଞ୍ଚିତ ପୂର୍ବତନ ଅଧିନାୟିକା ମିତାଲି ରାଜ (୫୬ ରନ୍, ୪୭ ବଲ, ୭ ଚୌକା) ଆକର୍ଷଣୀୟ ଅର୍ଧଶତକ ହାସଲ କରିଥିଲେ। ସ୍ମୃତି ମନ୍ଧାନା ୨୬ ରନ୍, ଜେମିମା ରଡ୍ରିଗ୍ବେଜ ୧୬ ରନ୍ କରିଥିଲେ। ଅଧିନାୟିକା ହରମନପ୍ରୀତ୍ କଉର (୧୪*, ୧୩ ବଲ୍, ୨ ଚୌକା) ଏବଂ ବେଦା କୃଷ୍ଣମୂର୍ତି (୮*, ୫ ବଲ୍, ୧ ଚୌକା) ଗୋଟିଏ ଓଭର ପୂର୍ବରୁ ବିଜୟ ଶେଷ କରିଥିଲେ। ମିତାଲି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପିଚ୍ରେ ଚାଲି ଦଣ୍ଡିତ: ଭାରତ ବିପକ୍ଷ ଏହି ମ୍ୟାଚ୍ରେ ଦୁଇ ଦୁଇ ଥର ପିଚ୍ ମଝିରେ ଚାଲିବାରୁ ଅମ୍ପାୟରଙ୍କ ଚେତାବନୀ ପାଇବା ସହିତ ପାକିସ୍ତାନ ମଧ୍ୟ ୧୦ ରନ୍ ଦଣ୍ଡିତ ହୋଇଥିଲା। ପାଳିର ଶେଷ ଭାଗରେ ପିଚ୍ର ବିପଜ୍ଜନକ ଅଞ୍ଚଳରେ ଚାଲିଯିବାରୁ ଏଭଳି ଚେତାବନୀ ଓ ଦଣ୍ଡ ପାଇଥିଲେ। ଏହି କାରଣରୁ ପାକିସ୍ତାନ ଖେଳାଳି ମଧ୍ୟ ମ୍ୟାଚ୍ ରେଫରିଙ୍କ ଦ୍ବାରା ଅଧିକ ଦଣ୍ଡ ବିଧାନର ଆଶଙ୍କା ରହିଛି।