ଓଡ଼ିଶା ଏଫ୍‌ସିର ଘରୋଇ ବିଜୟ ଧାରା ଅଟକିଲା

ଭୁବନେଶ୍ବର : ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସିର ଘରୋଇ ବିଜୟ ଧ‌ାରା ଅଟକିଛି। ପଏଣ୍ଟ୍‌ ଟେବୁଲ୍‌ର ଦ୍ବିତୀୟ ସ୍ଥାନରେ ଥିବା ଏଫ୍‌ସି ଗୋଆ ବିପକ୍ଷ ବୁଧବାର ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୨-୪ ଗୋଲ୍‌ରେ ହାରିଯାଇଛି। କଳିଙ୍ଗରେ ହ୍ୟାଟ୍ରିକ୍‌ ବିଜୟ ପାଇବା ପରେ ଓଡ଼ିଶା ଏଫ୍‌ସି ଏହି ମ୍ୟାଚ୍‌ ଜିତି ପୂରା ୩ ପଏଣ୍ଟ୍‌ ସହ ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଥିଲା। ୫ ପ୍ରମୁଖ ଖେଳାଳି ବାଦ୍‌ ପଡ଼ିବା ହିଁ ଦଳ ପାଇଁ କାଳ ହୋଇଥିଲା। ଗୋଆ ପକ୍ଷରୁ ଜାକିଚାନ୍ଦ ସିଂହ (୨୪, ୨୭ ମିନିଟ୍‌) ଦୁଇଟି, ଡୁଆର୍ଡ ବେଦିଆ (୨୧ ମିନିଟ୍‌) ଓ ଫେରାନ କୋରୋମିନାସ (୯୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥି‌ଲେ। ଓଡ଼ିଶା ଏଫ୍‌ସି ପକ୍ଷରୁ ମାନୁଏଲ୍‌ ଓନଉ (୫୯, ୬୫ ମିନିଟ୍‌) ଦୁଇଟି ଗୋଲ୍‌ ଶୁଝିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜାକିଚାନ୍ଦଙ୍କୁ ମିଳିଥିଲା ବେଳେ ହୁଗୋ ବୌମସ୍‌ଙ୍କୁ ବିଜୟୀ ପାସ୍‌, ଗୌରବ ବୋରାଙ୍କୁ ଉଦୀୟମାନ ଖେଳାଳି ଏବଂ ଓନଉଙ୍କୁ ଲିମିଟ୍‌ଲେସ୍‌ ଖେଳାଳି ପୁରସ୍କାର ମିଳିଥିଲା। ଅତିଥି ଭାବେ ଓଲିଉଡ୍‌ ତାରକା ସବ୍ୟସାଚୀ ମିଶ୍ର ଏବଂ ଓଡ଼ିଶା ଏଫ୍‌ସି ସିଇଓ ଆଶିଷ ଶାହା ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ପରାଜୟ ସତ୍ତ୍ବେ ଓଡ଼ିଶା ଏଫ୍‌ସି ପୂର୍ବ ପରି ୨୧ ପଏଣ୍ଟ୍‌ ସହ ଚତୁର୍ଥ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ଗୋଆ (୩୦ ପଏଣ୍ଟ୍‌) ଏହି ବିଜୟ ବଳରେ ପଏଣ୍ଟ୍‌ ଟେବୁଲର ଶୀର୍ଷକୁ ଉଠିଥିଲା। ଏଟିକେ ଏଫ୍‌ସି (୨୭ ପଏଣ୍ଟ୍‌) ଏବଂ ବେଙ୍ଗାଲୁରୁ ଏଫ୍‌ସି (୨୫ ପଏଣ୍ଟ୍‌) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ପ୍ରଥମାର୍ଧରେ ଗୋଆ ଚମତ୍କାର: ୩-୦ରେ ଆଗୁଆ
ବୁଧବାର ଓଡ଼ିଶା ଏଫ୍‌ସି ୫ ମୁଖ୍ୟ ଖେଳାଳିଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା। ଫଳରେ ଅତିଥି ଦଳ ଏଫ୍‌ସି ଗୋଆ ଏହାର ପୂରା ଫାଇଦା ଉଠାଇଥିଲା। ଆରମ୍ଭରୁ ହିଁ ଏହି ଦଳ ‌ଓଡ଼ିଶା ଏଫ୍‌ସି ଗୋଲ୍‌ ପୋଷ୍ଟ୍‌କୁ ଆକ୍ରମଣ କରିଥିଲା। ୨୧ତମ ମିନିଟ୍‌ରେ ସ୍ପେନ୍‌ ତାରକା ଡୁଆର୍ଡ ବେଦିଆଙ୍କ ଗୋଲ୍‌ରେ ଗୋଆ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାର ୩ ମିନିଟ୍‌ ପରେ ଜାକିଚାନ୍ଦ ସିଂହ (୨୪ ମିନିଟ୍‌) ଗୋଆ ପାଇଁ ଦ୍ବିତୀୟ ଗୋଲ୍‌ ଦେଇଥିଲେ। ପୁଣି ୩ ମିନିଟ୍‌ ପରେ ଜାକିଚାନ୍ଦ (୨୭ ମିିନିଟ୍‌) ଆଉ ଏକ ଗୋଲ୍‌ ଦେଇ ବ୍ୟକ୍ତିଗତ ଭା‌ବେ ଯୁଗଳ ସଫଳତା ପାଇବା ସହ ଦଳକୁ ୩-୦ରେ ଅଗୁଆ କରିଥିଲେ।

ପ୍ରତ୍ୟାବର୍ତ୍ତନ ପରେ ବି ହାରିଲା ଓଡ଼ିଶା ଏଫ୍‌ସି
ପ୍ରଥମାର୍ଧରେ ୩ ଗୋଲ୍‌ ବରଣ କରିବା ପରେ ଓଡ଼ିଶା ଏଫ୍‌ସି ଦ୍ବିତୀୟାର୍ଧରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା। ଆଘାତ ଜନିତ କାରଣ ଯୋଗୁଁ ଦଳରୁ ବାଦ୍‌ ପଡ଼ିଥିବା ଆରଡାନେ ସାନ୍ତାନାଙ୍କ ସ୍ଥାନରେ ବଦଳ ଖେଳାଳି ଜାଗା ନେଇଥିବା ସ୍ପେନ୍‌ ତାରକା ମାନୁଏଲ୍‌ ଓନଉ ହିଁ ଦଳର ସମ୍ମାନ ରକ୍ଷା କରିଥିଲେ। ୫୯ ଓ ୬୫ ମିନିଟ୍‌ରେ ଓନଉ ଓଡ଼ିଶା ପାଇଁ ଦୁଇଟି ଗୋଲ୍‌ ଶୁଝି ଦେଇଥିଲେ। ଏହା ପରେ ‌ଅନ୍ୟ ଗୋଲ୍‌ଟିକୁ ଶୁଝିବାକୁ ଘରୋଇ ଦଳ ପୂରା ଚେଷ୍ଟା କରିଥିଲା। ହେଲେ ଏହା କରିବାକୁ ସକ୍ଷମ ହୋଇନଥିଲା। ଓଡ଼ିଶା ଶେଷ ମିନିଟ୍‌ରେ ଆଉ ଏକ ଗୋଲ୍‌ ବରଣ କରି ପରାଜିତ ହୋଇଥିଲା। ଶେଷ ଗୋଲ୍‌ଟି ଏଫ୍‌ସି ଗୋଆ ସ୍ପେନ୍ ତାରକା ଫେରାନ କୋରୋମିନାସ (୯୦ ମିନିଟ୍‌) ଦେଇଥିଲେ। ପରାଜୟ ସତ୍ତ୍ବେ ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସିର ପ୍ରଶଂସକ କ୍ଲବ୍‌ର ସଦସ୍ୟମାନେ ଘରୋଇ ଦଳକୁ ଉତ୍ସାହିତ କରିଥିଲେ।

ଉତ୍ସାହିତ କଲେ ସବ୍ୟସାଚୀ
ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ କଳିଙ୍ଗ ଷ୍ଟାଡିୟମରେ ବୁଧବାର ଚାଲିଥିବା ଆଇଏସ୍‌ଏଲ୍‌ ମ୍ୟାଚ୍‌ ବେଳେ ଦେଖିବାକୁ ମିଳିଥିଲା। ଘରୋଇ ଦଳ ଓଡ଼ିଶା ଏଫ୍‌ସିର ଟି ସାର୍ଟ ପିନ୍ଧି ଦର୍ଶକ ‌ଗ୍ୟାଲେରିରେ ବସି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଦର୍ଶକମାନେ ତାଙ୍କ ସହ ସେଲ୍‌ଫି ନେବାର ସୁଯୋଗ ମଧ୍ୟ ହାତଛଡ଼ା କରିନଥିଲେ। ତାଙ୍କ ସହ ଗ୍ୟାଲେରିରେ ଓଡ଼ିଶା ଏଫ୍‌ସିର ସିଇଓ ଆଶିଷ ଶାହ ଉପସ୍ଥିତ ଥିଲେ।

ମାଗଣାରେ ଖେଳ ଦେଖିଲେ ଗରିବ ପିଲା
କଳିଙ୍ଗ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଓଡ଼ିଶା ଏଫ୍‌ସି-ଏଫ୍‌ସି ଗୋଆ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଦେଖିବାର ସୁଯୋଗ ପାଇଛନ୍ତି ୧୬୦୦ ଗରିବ ପିଲା। କିଛି କର୍ପୋ‌ରେଟ ସଂସ୍ଥାଙ୍କ ସହଯୋଗରେ ଏମାନେ ଏଭଳି ସୁଯୋଗ ପାଇଥି‌ଲେ। ଓଡ଼ିଶାର ନିଜସ୍ବ ଦଳ ଓଡ଼ିଶା ଏଫ୍‌ସିକୁ ସମର୍ଥନର ହାତ ବଢ଼ାଇବାକୁ ଯାଇ ଭୁବନେଶ୍ବରରେ ଅବସ୍ଥିତ ୱିଫି ଇଣ୍ଟରନେଟ୍‌, ୟଙ୍ଗ ଇଣ୍ଡିଆନ୍ସ ଓ ରାଉଣ୍ଡ ଟେବୁଲ ଦାତବ୍ୟ ଅନୁଷ୍ଠାନ ୧୬୦୦ ଟିକେଟ୍‌ କିଣି ଗରିବ ପିଲାଙ୍କୁ ବାଣ୍ଟିଥିଲେ। ଏମାନଙ୍କ ସହ ଓଡ଼ିଶା ଏଫ୍‌ସିର ପ୍ରମୁଖ ମାଲିକ ଜିଏମ୍‌ଏସ୍‌ ମଧ୍ୟ ହାତ ମିଳାଇଥିଲା। ଜିଏମ୍‌ଏସ୍‌ ପକ୍ଷରୁ ‌ଏହି ଗରିବ ପିଲାଙ୍କ ପାଇଁ ଖାଦ୍ୟ ପନୀୟର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର