ପୃଥ୍ବୀ ସ’ଙ୍କୁ ଚାହୁଁଛି ଭାରତୀୟ ଟେଷ୍ଟ୍ ଦଳ!

ମୁମ୍ବାଇ : ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଟେଷ୍ଟ୍‌ ଦଳ ଏବେ ପ୍ରାରମ୍ଭିକ ଯୋଡ଼ିକୁ ନେଇ ଚିନ୍ତାରେ ପଡ଼ିଛି। ଶୁବମନ ଗିଲ୍‌ ଆହତ ହେବା ପରେ ଭାରତ ଫେରି ଆସିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଏହି ଯୁବ ତାରକା ଅନ୍ୟୂନ ୬ରୁ ୮ ସପ୍ତାହ କ୍ରିକେଟ୍‌ଠାରୁ ଦୂରେଇ ରହିବେ। ଫଳରେ ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ୍ ଶୃଙ୍ଖଳାରେ ରୋହିତ ଶର୍ମାଙ୍କ ସହ କିଏ ପାଳି ଆରମ୍ଭ କରିବେ, ଏହା ଏବେ ବିତର୍କର ସୂତ୍ରପାତ କରିଛି। ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବା ଲାଗି ଇଂଲଣ୍ଡ ଗସ୍ତରେ ଏବେ ମୟଙ୍କ ଅଗ୍ରୱାଲ, କେଏଲ୍ ରାହୁଲ୍‌ ଏବଂ ସଂରକ୍ଷିତ ଖେଳାଳି ଅଭିମନ୍ୟୁ ଈଶ୍ବରନ୍‌ ରହିଛନ୍ତି। ୨୦୧୮ ଏବଂ ୨୦୧୯ରେ ଭଲ ପ୍ରଦର୍ଶନ କରିଥିବା ମୟଙ୍କ ଦୃଢ଼ ଦାବିଦାର ରହିଛନ୍ତି। ଅନ୍ୟପକ୍ଷ‌ରେ ଅନ୍ତର୍ଜାତୀୟ ଅଭିଜ୍ଞତା ରଖିନଥିବା ଈଶ୍ବରନ୍‌ ୬୪ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଇଂଲଣ୍ଡରେ ଏହି ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳାରେ ତାଙ୍କୁ ଖେଳାଇବାକୁ ଭାରତୀୟ ପରିଚାଳକମାନେ ଦ୍ବିଧାରେ ରହିଛନ୍ତି। କେଏଲ୍ ରାହୁଲଙ୍କୁ ମଧ୍ୟକ୍ରମରେ ଖେଳାଇବା ଯୋଜନାରେ ମଧ୍ୟ ରହିଛି କୋହଲି ଦଳ।

ମିଳିଥିବା ସୂଚନା ଅନୁସାରେ ଭାରତୀୟ ପରିଚାଳକମାନେ ଫର୍ମରେ ଥିବା ପୃଥୀ ସ’ଙ୍କୁ ପୁଣି ଥରେ ଟେଷ୍ଟ୍ ଦଳକୁ ଫେରାଇ ଆଣିବା ଯୋଜନାରେ ରହିଛନ୍ତି। ଗତ ନ୍ୟୁଜିଲାଣ୍ଡ୍‌ ଓ ଅଷ୍ଟ୍ରେଲିଆ ଗସ୍ତରେ ବିଫଳ ରହିବା ପରେ ପୃଥୀ ସ’ ଦଳରୁ ଅନ୍ତର ହୋଇଥିଲେ। ଗିଲ୍‌ଙ୍କୁ ସୁଯୋଗ ମିଳିବା ପରେ ସେ ଭଲ କରି ଆସୁଥିଲେ। ଏବେ ତାଙ୍କ ବଦଳରେ ପୃଥୀଙ୍କୁ ଡକରା ମିଳିବା ଉଚିତ୍ ବୋଲି ମତ ଉଠିବା ସ୍ବାଭାବିକ। ପୃଥୀ’ଙ୍କ ସପକ୍ଷରେ ସବୁଠୁ ବଳିଷ୍ଠ ଯୁକ୍ତିଟି ହେଉଛି ଗତ ଋତୁର ସୀମିତ ଓଭର ଘରୋଇ ପ୍ରତିଯୋଗିତାର ପ୍ରଦର୍ଶନ। ପ୍ରଥମ କ୍ରିକେଟର୍‌ ଭାବେ ପୃଥୀ ବିଜୟ ହଜାରେ ଟ୍ରଫିର ଗୋଟିଏ ସଂସ୍କରଣରେ ୮୦୦ରୁ ଅଧିକ ରନ୍‌ ସଂଗ୍ରହ କରିଥିଲେ। ଏହି ଅବସରରେ ମଧ୍ୟ ସେ ଲିଷ୍ଟ୍ ‘ଏ’ ପଶ୍ଚାତଧାବନ ବେଳେ ଥିବା ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲିଙ୍କ ବ୍ୟକ୍ତିଗତ ସର୍ବାଧିକ କୀର୍ତ୍ତିମାନକୁ ପଛରେ ପକାଇଥିଲେ। ଫର୍ମରେ ଥିବାରୁ ପୃଥୀଙ୍କୁ ମଧ୍ୟ ଏହି ସୁଯୋଗ ମିଳିବା ଉଚିତ୍ ବୋଲି ମତ ଆସିଛି। ଏବେ ଶ୍ରୀଲଙ୍କା ଗସ୍ତରେ ସୀମିତ ଓଭର ଦଳ ସହ ରହିଛନ୍ତି ପୃଥୀ ସ। ତାଙ୍କୁ ତୁରନ୍ତ ଇଂଲଣ୍ଡ ଡକାଇ ନେବା ଉଚିତ୍ ବୋଲି ଦଳର ଆଭ୍ୟନ୍ତରୀଣ ବ୍ୟାପାର ସହ ଜଡ଼ିତ ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି। ଏପରିକି ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ପରେ ମଧ୍ୟ ସେ ଇଂଲଣ୍ଡ ଗସ୍ତ କରିବାରେ କିଛି ଅସୁବିଧା ନାହିଁ। କାରଣ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ଜୁଲାଇ ୨୮ରେ ଆରମ୍ଭ ହେଉଥିବା ବେଳେ ଅଗଷ୍ଟ ୪ ତାରିଖରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ‌ ହେବ। ସଙ୍ଗରୋଧ କଟକଣା ପାଇଁ ସେ ହୁଏତ ଗୋଟିଏ ଟେଷ୍ଟରୁ ବଞ୍ଚିତ ହୋଇପାରନ୍ତି ନତୁବା ଶ୍ରୀଲଙ୍କା ଗସ୍ତ ଅଧାରୁ ବାହାରିଗଲେ ସମ୍ପୂର୍ଣ୍ଣ ଟେଷ୍ଟ୍ ଶୃଙ୍ଖଳା ଖେଳିପାରିବେ। ଏ ସମ୍ପର୍କରେ ବିସିସିଆଇ ଚୟନକର୍ତ୍ତାମାନେ ମଧ୍ୟ ସମ୍ପୂର୍ଣ୍ଣ ଅବଗତ ତଥା ବିଚାରାଧୀନ ସ୍ଥିତିରେ ରହିଥିବା ବିଶ୍ବାସ କରାଯାଉଛି।

ସମ୍ବନ୍ଧିତ ଖବର