ଏବେ ଏକଦିବସୀୟ ଆହ୍ବାନ: ଭାରତ-ଇଣ୍ଡିଜ୍ ପ୍ରଥମ ଦିନିକିଆ ଆଜି

ଗୟନା : ଟ୍ବେଣ୍ଟି-୨୦ ଶୃଙ୍ଖଳା ଶେଷ ହେବାର ମାତ୍ର ଦିନକ ପରେ ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ କ୍ରିକେଟ୍ ଶୃଙ୍ଖଳା ଆରମ୍ଭ ହେଉଛି। ଏହି ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଗୁରୁବାର ରାତିରେ ଗୟନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ଦଳକୁ ବିସ୍ଫୋରକ କ୍ରିସ୍ ଗେଲ୍‌ଙ୍କ ପ୍ରତ୍ୟାବର୍ତନ ଏହି ଶୃଙ୍ଖଳାକୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଏହା ପୂର୍ବରୁ ଦୁଇ ଦଳ ଖେଳିଥିବା ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ଫଳରେ ଭାରତ ୩-୦ରେ ଶୃଙ୍ଖଳା ପୋଛି ନେଇଥିଲା। ଦିନିକିଆରେ ଇଣ୍ଡିଜ୍ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ। ଭାରତ କିନ୍ତୁ ଲଗାତାର ଦ୍ବିତୀୟ ଶୃଙ୍ଖଳା ଜିତିବା ଲାଗି ପଡ଼ିଆକୁ ଓହ୍ଲାଇବ। ବିଶ୍ବକପ୍‌ର ସେମିଫାଇନାଲ୍‌ରୁ ଅପ୍ରତ୍ୟାଶିତ ଭାବେ ବିଦାୟ ନେବା ପରେ ଭାରତ ମଧ୍ୟ ଆସନ୍ତାକାଲି ପ୍ରଥମ ଏକଦିବସୀୟ ମ୍ୟାଚ୍ ଖେଳିବ। ଭାରତ ଶୃଙ୍ଖଳାର ପରବର୍ତୀ ଦୁଇଟି ଦିନିକିଆ କିନ୍ତୁ ଦୁଇ ଦିନ ବ୍ୟବଧାନରେ ଖେଳିବ। ଦ୍ବିତୀୟ ମ୍ୟାଚ୍ ୧୧ ଏବଂ ତୃତୀୟ ତଥା ଶେଷ ଲଢ଼େଇ ତ୍ରିନିଦାଦର କୁଇନ୍ସ ପାର୍କ ଓଭାଲରେ ଆସନ୍ତା ୧୪ ତାରିଖରେ ଖେଳାଯିବ।

ଶିଖର ଦଳକୁ ଫେରିବେ
ଆଘାତ ପ୍ରାପ୍ତ ହୋଇ ବିଶ୍ବକପ୍‌ର ମାତ୍ର ଦୁଇଟି ମ୍ୟାଚ୍ ଖେଳିଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା‌ରେ ଭାରତୀୟ ଦଳକୁ ଫେରିଥିଲେ। ହେଲେ ତିନିଟି ଯାକ ମ୍ୟାଚ୍‌ରେ ବିଫଳ ହୋଇଥିଲେ। ଏହା ସତ୍ତ୍ବେ ସେ ଭାରତୀୟ ଦିନିକିଆ ଦଳର ଚୂଡ଼ାନ୍ତ ଦଳରେ ରହିବାର ସମ୍ଭାବନା ଅଧିକ। ୧୩୦ ଦିନିକିଆ ଖେଳି ୧୭ ଶତକ ଅର୍ଜନ କରିଥିବା ଧାୱନ ନିର୍ଭରଯୋଗ୍ୟ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବେ। ଲୋକେଶ ରାହୁଲ ୪ ନମ୍ବର ସ୍ଥାନରେ ଖେଳି ପାରନ୍ତି। କେଦାର ଯାଦବ ୫ ଏବଂ ଋଷବ ପନ୍ତଙ୍କୁ ୬ ନମ୍ବରରେ ବ୍ୟାଟିଂ ମିଳିପାରେ। ସେପଟେ ଦୁଇ ଯୁବ ତାରକା ମନୀଷ ପାଣ୍ଡେ ଓ ଶ୍ରେୟସ୍ ଆୟରଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି। ଟ୍ବେଣ୍ଟି-୨୦ ଶୃଙ୍ଖଳା‌ରେ ଦୁର୍ବଳ ପ୍ରଦର୍ଶନ କରିବା ପାଣ୍ଡେଙ୍କ ବିପକ୍ଷରେ ଯାଇପାରେ। ତିନିଟି ଯାକ ଟ୍ବେଣ୍ଟି-୨୦ ଖେଳିଥିବା ଭୁବନେଶ୍ବର କୁମାରଙ୍କୁ ବିଶ୍ରାମ ମିଳିପାରେ। ଏଭଳି ସ୍ଥିତିରେ ମହମ୍ମଦ ସାମି ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ବ ନେବେ। ଟ୍ବେଣ୍ଟି-୨୦ରେ ପ୍ରଭାବୀ ପ୍ରଦର୍ଶନ କରିବା ପରେ ନଭଦୀପ ସଇନି ଦିନିକିଆ ପଦାର୍ପଣ କରି ପାରନ୍ତି। ସେପଟେ ଟ୍ବେଣ୍ଟି-୨୦ରେ ଧୂଳି ଚାଟିଥିବା ଇଣ୍ଡିଜ୍ ଗେଲ୍‌ଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ରହିବ। ଏହା ତାଙ୍କ ‌ଶେଷ ଦିନିକିଆ ଶୃଙ୍ଖଳା ହୋଇଥିବାରୁ ସେ ହିଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜନ୍ କ୍ୟାମ୍ପବେଲ୍, ରଷ୍ଟନ୍ ଚେଜ୍ ଓ ଅଲରାଉଣ୍ଡର କିମୋ ପଲ୍ ମଧ୍ୟ ଇଣ୍ଡିଜର ୧୪ ଜଣିଆ ଦଳରେ ଅଛନ୍ତି।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପଣ୍ଡେ, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ନଭଦୀପ ସଇନି।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ୍ ଗେଲ୍, ଜନ୍ କ୍ୟାମ୍ପବେଲ୍, ଏଭିନ ଲୁଇସ୍, ସାଇ ହୋପ୍, ସିମରନ୍ ହେଟମେର, ନିକୋଲାସ ପୂରନ, ରଷ୍ଟନ୍ ଚେଜ୍, ଫାବିଆନ୍ ଆଲେନ, କାର୍ଲୋସ୍ ବ୍ରାଥୱେଟ୍, କିମୋ ପଲ୍, ସେଲଡନ କଟ୍ରେଲ, ଓସାନେ ଥୋମାସ, କେମାର ରୋଚ୍।

ଭାରତ ୬୦, ଇଣ୍ଡିଜ୍ ୬୨
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୋଟ ୧୨୭ ଦିନିକିଆ ଖେଳା ଯାଇଛି। ସେଥିମଧ୍ୟରୁ ଭାରତ ୬୦ ମ୍ୟାଚ୍‌ରେ ବିଜୟୀ ହୋଇଥିଲା ବେଳେ ୬୨ଟିରେ ପରାଜିତ ହୋଇଛି। ତେବେ ଇଣ୍ଡିଜ୍ ୮୦ ଓ ୯୦ ଦଶକରେ ଭାରତୀୟ ଦଳ ବିପକ୍ଷରେ ଅଧିକ ବିଜୟ ହାସଲ କରିଛି। ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଦଳ ଇଣ୍ଡିଜ୍ ତୁଳନାରେ ଅଧିକ ବିଜୟ ହାସଲ କରିଛି। ୨ ମ୍ୟାଚ୍ ଟାଇ ରହିଥିଲା ବେଳେ ୩ ମ୍ୟାଚ୍‌ର ଫଳାଫଳ ମିଳିନି। ଇଣ୍ଡିଜ୍ ବିପକ୍ଷରେ ଭାରତର ସଫଳତା ପ୍ରତିଶତ ହେଉଛି ୪୯.୧୯। ଉଭୟ ଦଳ ମଧ୍ୟରେ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ୧୯୭୯ରେ ଖେଳା ଯାଇଥିଲା।

ସମ୍ବନ୍ଧିତ ଖବର