ପାଲେଷ୍ଟାଇନ୍‌କୁ ହରାଇ ଏସିଆ କପ୍‌ ଆଶା ଉଜ୍ଜୀବିତ ରଖିଲା ଭାରତ

ଜେଦା (ସାଉଦି ଆରବ): ଫିବା ଯୋଗ୍ୟତାପର୍ଯ୍ୟାୟରେ ଭାରତୀୟ ବା‌ସ୍କେଟ୍‌ବଲ୍‌ ଦଳ ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ପାଲେଷ୍ଟାଇନକୁ ୭୯-୭୭ ପଏଣ୍ଟରେ ପରାସ୍ତ କରି ଏସିଆ କପ୍‌ ଆଶା ଉଜ୍ଜୀବିତ ରଖିଛି। ମ୍ୟାଚ୍‌ ଆରମ୍ଭରୁ ପାଲେଷ୍ଟାଇନ୍‌ ପ୍ରଭାବ ବିସ୍ତାର କରି ପ୍ରଥମ କ୍ବାର୍ଟରରେ ୨୫-୧୩ର ଅଗ୍ରଣୀ ପାଇଥିଲା। ଏପରିକି ପରବର୍ତୀ ଦୁଇ କ୍ବାର୍ଟର ମଧ୍ୟ ପାଲେଷ୍ଟାଇନ୍‌ ସପକ୍ଷରେ ରହିଥିଲା। ହେଲେ ଚତୁର୍ଥ କ୍ବାର୍ଟରରେ ଚମତ୍କାର ପ୍ରତ୍ୟାବର୍ତନ କରି ଭାରତ ମ୍ୟାଚ୍‌ ଜିତି ନେଇଥିଲା। ପୂର୍ବ ମ୍ୟାଚ୍‌ରେ ସାଉଦି ଆରବ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଯୋଗୀନ୍ଦର ସିଂହ ପାଲେଷ୍ଟାଇନ ବିପକ୍ଷ ମ୍ୟାଚ୍‌ରେ ଭାରତ ବିଜୟର କର୍ଣ୍ଣଧାର ସାଜିଥିଲେ। ସେ ୧୨ ପଏଣ୍ଟ୍‌ କରିଥିଲା ବେଳେ ଅମ୍ରିତପାଲ୍‌ ୩୦ ଓ ଅମ୍‌ଜ୍ୟୋତ୍‌ ସିଂହ ୨୩ ପଏଣ୍ଟ୍‌ କରିଥିଲେ। ଏହି ବିଜୟ ବଳରେ ଯୋଗ୍ୟତାପର୍ଯ୍ୟାୟରେ ଭାରତର ସ୍ଥିତି ୧-୧ ରହିଛି। ଏବେ ଭାରତ ଆସନ୍ତାକାଲି ପାଲେଷ୍ଟାଇନ ଓ ସାଉଦି ଆରବ ମ୍ୟାଚ୍‌ର ଫଳାଫଳକୁ ଅପେକ୍ଷା କରିବ। ଯଦି ଭାରତ ଯୋଗ୍ୟତାହାସଲ କରେ ତାହାଲେ ନବମ ଥର ଲାଗି ଏସିଆ କପ୍‌ରେ ଭାଗନେବ।

ସମ୍ବନ୍ଧିତ ଖବର