ଆହତ ସ’ ଶୃଙ୍ଖଳାରୁ ବାଦ୍‌ ମୟଙ୍କ ଓ ହାର୍ଦିକ୍‌ଙ୍କୁ ଡକରା

ନୂଆଦିଲ୍ଲୀ: ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ପୃଥ୍ବୀ ସ ଆହତ ଯୋଗୁଁ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍‌ ଓ ପଥର୍ ଟେଷ୍ଟ୍‌ ଖେଳିପାରିନଥିଲେ। ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ବେଳେ କ୍ୟାଚ୍‌ ଧରିବାକୁ ପ୍ରୟାସ କରି ସ ତାଙ୍କ ବାମ ଗୋଇଠିରେ ଆଘାତ ପାଇଥିଲେ। ହେଲେ ସେ ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଥିବା ମେଲ୍‌ବର୍ନ ଟେଷ୍ଟ୍‌ରେ ଖେଳିବେ ବୋଲି ସୂଚନା ଦିଆଯାଉଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଲୋକେଶ ରାହୁଲ୍‌ ଓ ମୁରଲୀ ବିଜୟଙ୍କ କ୍ରମଗତ ବିଫଳତା ଯୋଗୁଁ ତାଙ୍କ ଖେଳିବା ନିଶ୍ଚିତ ଥିଲା। କିନ୍ତୁ ଭାଗ୍ୟ ତାଙ୍କ ସପକ୍ଷରେ ଯେମିତି ନଥିଲା। ଆହତ ସମସ୍ୟା ତାଙ୍କୁ ଶେଷରେ ଅଷ୍ଟ୍ରେଲିଆ ବିପକ୍ଷ ପୂରା ଶୃଙ୍ଖଳାରୁ ବାଦ୍‌ ଦେଲା। ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରୁ ସ’ ବାଦ୍‌ ପଡ଼ିବା ପରେ ସବର୍ଭାରତୀୟ ମନୋନୟନ ସମିତି ସୋମବାର କର୍ଣ୍ଣାଟକ ବ୍ୟାଟ୍‌ସମ୍ୟାନ୍‌ ମୟଙ୍କ ଅଗ୍ରୱାଲଙ୍କୁ ତାଙ୍କ ବଦଳ ଖେଳାଳି ଭାବେ ମନୋନୀତ କରିଛି। ଫଳରେ ରାହୁଲ୍‌ଙ୍କ ବଦଳରେ ୨୭ ବର୍ଷ ବୟସ୍କ ମୟଙ୍କ ଟେଷ୍ଟ୍‌ ପଦାର୍ପଣ କରିବା ସୁଯୋଗ ପାଇଛନ୍ତି। ରାହୁଲ୍‌ ଆଡିଲେଡ୍‌ରେ ୨ ଓ ୪୪ ଏବଂ ପର୍ଥରେ ୨ ଓ ୦ କରିଛନ୍ତି। କିନ୍ତୁ ୪୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ମୟଙ୍କ ଗତ ମାସରେ ଗୁଜରାଟ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ ୨୫ ଓ ୫୩ ରନ୍‌ କରିଥିଲେ। ମୟଙ୍କଙ୍କ ବ୍ୟତୀତ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟାଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ପଠାଇବା ପାଇଁ ମନୋନୟନ ସମିତି ନିଷ୍ପତ୍ତି ନେଇଛି। ପାଣ୍ଡ୍ୟା ଶେଷ ଦୁଇଟି ଟେଷ୍ଟ୍‌ ପାଇଁ ଦଳରେ ଯୋଗଦେ‌ବେ।
ଶେଷ ଦୁଇ ଟେଷ୍ଟ୍‌ ପାଇଁ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, ଲୋକେଶ ରାହୁଲ୍‌, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ହନୁମା ବିହାରୀ, ରୋହିତ ଶର୍ମା, ଋଷଭ ପନ୍ତ୍‌ ଓ ପାର୍ଥିବ ପଟେଲ (ୱିକେଟ୍‌ରକ୍ଷକ), ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ରବୀନ୍ଦ୍ର ଯାଦେଯା, କୁଲ୍‌ଦୀପ୍‌ ଯାଦବ, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ ଯାଦବ, ଯଶ୍‌ପ୍ରୀତ୍‌ ବୁମ୍‌ରା, ଭୁବନେଶ୍ବର କୁମାର, ହାର୍ଦିକ୍‌ ପାଣ୍ଡ୍ୟା ଓ ମୟଙ୍କ ଅଗ୍ରୱାଲ।

ସମ୍ବନ୍ଧିତ ଖବର