ଖେଳ ପ୍ରତି ଆଗ୍ରହ: ତୀରନ୍ଦାଜିର ବିନ୍ଧାଣୀ, ରାଜେଶ ହାସଦାକ୍‌

ଭୁବନେଶ୍ବର (ସୁରଜ କୁମାର ମଲ୍ଲିକ): ଦିନେ ଗାଁରେ ଧନୁତୀର ଧରି ସାଙ୍ଗମାନଙ୍କ ସହ ଖେଳୁଥିଲେ। ଶିକାର କରିବା ପାଇଁ ମଧ୍ୟ ସାଙ୍ଗମାନଙ୍କ ସହ ଜଙ୍ଗଲକୁ ଯାଉଥିଲେ। ଭଲ ଲକ୍ଷ୍ୟ କରି ତୀରଚାଳନା କରିପାରୁଥିବାରୁ ସାଙ୍ଗମାନେ ଶିକାର ସମୟରେ ପ୍ରଥମେ ରାଜେଶକୁ ଖୋଜୁଥିଲେ। ଖେଳୁଖେଳୁ ବଡ଼ ଖେଳାଳି ପାଲଟିଯାଇଥିଲେ ରାଜେଶ ହାସଦାକ। ଅନ୍ତର୍ଜାତୀୟ ତୀରନ୍ଦାଜ ଅଭିଜ୍ଞତାରୁ ଏବେ ତୀରନ୍ଦାଜି ପ୍ରଶିକ୍ଷକ। ଭାରତୀୟ ତୀରନ୍ଦାଜି ଦଳର ପ୍ରଶିକ୍ଷକ ଭାବେ ୫ ଥର ପ୍ରଶିକ୍ଷଣ ଦାୟିତ୍ବ ତୁଲାଇଛନ୍ତି। ୪୦ରୁ ଊର୍ଦ୍ଧ୍ବ ଜାତୀୟ ଖେଳାଳି ସୃଷ୍ଟି ହେବା ପଛରେ ମଧ୍ୟ ତାଙ୍କ ହାତ ରହିଛି। ଓଡ଼ିଶାରେ ଚଳିତ ବର୍ଷ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିସ୍‌ର ତୀରନ୍ଦାଜି ରିକର୍ଭ ଦଳ (ରଞ୍ଜିତ୍ ନାଏକ, ସୂର୍ଯ୍ୟମଣି ମାଝୀ, ଶ୍ରବଣ କୁମାର) ସ୍ବର୍ଣ୍ଣ ଓ ରିକର୍ଭ ଏକକ ବିଭାଗରେ ରୌପ୍ୟ (ରଞ୍ଜିତ ନାଏକ) ପଦକ ସଫଳତାର ଶ୍ରେୟ ରାଜେଶଙ୍କ ପାଖକୁ ଯାଏ। ଏହି ସବୁ ଖେଳାଳି ରାଜେଶଙ୍କ ଅଧୀନରେ ତୀରଚାଳନାର ପ୍ରଶିକ୍ଷଣ ନେଉଛନ୍ତି। ରାଜେଶ ଏମାନଙ୍କୁ ନେଇ ଆଗାମୀ ଲକ୍ଷ୍ୟ ରଖିଛନ୍ତି ଆନ୍ତର୍ଜାତିକ ବିଶ୍ବ ଚାମ୍ପିଅନସିପ୍। ଏହାପରେ ଅଲିମ୍ପିକ୍ ଓ ଆହୁରି କେତେ କ’ଣ। ସେ ନିଜେ ଖେଳୁଥିବା ସମୟରେ ୧୯୯୩ ମସିହାରେ ଆନ୍ତର୍ଜାତିକ ତୀରନ୍ଦାଜିରେ କୋଲକାତାରେ ପଦାର୍ପଣ କରିଥିଲେ। ସର୍ବମୋଟ ୪ ଥର ରାଜେଶ ଆନ୍ତର୍ଜାତିକ ତୀରନ୍ଦାଜି ଖେଳିଛନ୍ତି। ସେହିଭଳି ଜାତୀୟ ବରିଷ୍ଠ ପ୍ରତିଯୋଗିତାରେ ୧୫ ଥର ଅଂଶ ଗ୍ରହଣ କରିଛନ୍ତି। ଜାତୀୟ କ୍ରୀଡ଼ାରେ ୬ ଥର, ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ ୩ ଥର, ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ୫ ଥର ଓ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ୨ ଥର ଅଂଶ ଗ୍ରହଣ କରିଛନ୍ତି। ଏହି ଅନ୍ତର୍ଜାତୀୟ ଅଭିଜ୍ଞଙ୍କ ଖେଳ ଜୀବନ ଓ ବର୍ତମାନର ପ୍ରଶିକ୍ଷଣ ସମ୍ପର୍କରେ ଅଧିକ ଜାଣିବା ପାଇଁ ‘ସମ୍ବାଦ’ ଭେଟିଥିଲା ରାଜେଶ ହାସଦକ୍‌ଙ୍କୁ।

ପିଲାଟି ବେଳୁ ତାଙ୍କର ଖେଳ ପ୍ରତି ଅହେତୁକ ଦୁର୍ବଳତା ଥିଲା। କିନ୍ତୁ ଗାଁରେ ଖେଳିବା ପାଇଁ କୌଣସି ସୁବିଧା ସୁଯୋଗ କିମ୍ବା ଭିତ୍ତିଭୂମି ନଥିଲା। ଏଣୁ ପିଲାବେଳେ ଗାଁରେ ପ୍ରାୟ ସମୟ ଦେଶୀ ଧନୁତୀର ଧରି ଖେଳିବା ଓ ଶିକାର କରିବାରେ ସମୟ ବିତାଉଥିଲେ ରାଜେଶ। ପରେ ୧୯୮୯ରେ ରାଜେଶ ମାଲକାନଗିରି ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଜଣେ ତୀରନ୍ଦାଜି ପ୍ରଶିକ୍ଷକ ଖେଳାଳି ଚୟନ ପାଇଁ ଆସିଥିଲେ। କିନ୍ତୁ ରାଜେଶଙ୍କୁ ଏ ବାବଦରେ କିଛି ଜଣାନଥିଲା। ସେ ଖାଲି ଜାଣିଥିଲେ ଯେ ଧନୁତୀର ପ୍ରତିଯୋଗିତା ହେଉଛି। ଆଉ ଯିଏ ଭଲ ତୀର ମାରିବ ସେ ପୁରସ୍କାର ପାଇବ। ତା’ ପରେ ରାଜେଶ ନିଜ ଧନୁ ତୀର ଧରି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚାଲିଯାଇଥିଲେ। ଖେଳରେ ଏତେ ଭଲ ପ୍ରଦର୍ଶନ ନ କରିବା ସତ୍ତ୍ବେ ତା’ଙ୍କ ପ୍ରତିଭାକୁ ପ୍ରଶିକ୍ଷକ ଚିହ୍ନି ଦିଲ୍ଲୀସ୍ଥିତ ‘ସାଇ’ରେ ରହି ଖେଳିବା ପାଇଁ ପରାମର୍ଶ ଦେଲେ। ଏହିଠାରୁ ଆରମ୍ଭ ହୁଏ ରାଜେଶଙ୍କ ତୀରନ୍ଦାଜି ଜୀବନ।

ନିଜ କୀର୍ତ୍ତିମାନ ଭାଙ୍ଗିଲେ
୧୯୯୧ ମସିହାରେ କୋଲକାତାରେ ଅନୁଷ୍ଠିତ ଏକାଦଶ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ୩୦ ମିଟର ଓ ୨୦ ମିଟର ତୀରଚାଳନାରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ପଏଣ୍ଟ୍ ଅର୍ଜନ କରିବାରେ ନୂଆ କୀର୍ତ୍ତିମାନ କଲେ। ପୁଣି ସେହି ବର୍ଷ ଡିସେମ୍ବର ମାସରେ ହାଇଦ୍ରାବାଦରେ ଅନୁଷ୍ଠିତ ଦ୍ବାଦଶ ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ନିଜ ଦ୍ବାରା ପ୍ରତିଷ୍ଠିତ ପଏଣ୍ଟ୍ କୀର୍ତ୍ତିମାନକୁ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହି ପ୍ରତିଯୋଗିତାରେ ରାଜେଶ ୨୦ ଓ ୩୦ ମିଟର ତୀରନ୍ଦାଜିରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ।

ସ୍ମରଣୀୟ ମୁହୂର୍ତ୍ତ
୧୯୯୮ ମସିହାର ତ୍ରୟୋଦଶତମ ଏସୀୟ କ୍ରୀଡ଼ା ମୋ ପାଇଁ ଚିରସ୍ମରଣୀୟ ହୋଇରହିବ। କାରଣ ସେହି ପ୍ରତିଯୋଗିତାରେ ମୁଁ କ୍ବାର୍ଟର ଫାଇନାଲ୍‌କୁ ଯିବା ପାଇଁ ଜଣେ ଅଲିମ୍ପିଆନ୍‌ଙ୍କ ସହ ପ୍ରତିଦ୍ବନ୍ଦିତା ଚାଲିଥାଏ। ସେହି ମ୍ୟାଚ୍‌କୁ ମୁଁ ଜିତି କ୍ବାର୍ଟରରେ ମଧ୍ୟ ପ୍ରବେଶ କଲି। ଯେହେତୁ ଜଣେ ଦୁଇଥର ଅଲିମ୍ପିକ୍ ଖେଳିସାରିଥିବା ଖେଳାଳିଙ୍କୁ ମୁଁ ପରାସ୍ତ କରିଥିଲି ସେ ମୁହୂର୍ତ୍ତ ଆଜି ବି ମୋ ପାଇଁ ସ୍ମରଣୀୟ।

୧୦ ବର୍ଷର ପ୍ରଶିକ୍ଷକ ଯାତ୍ରା
ଦୀର୍ଘ ଦୁଇ ଦଶନ୍ଧି ଧରି ତୀରନ୍ଦାଜିରେ ଅନେକ ସୁନାମ ଅର୍ଜନ କରିବା ପରେ ବର୍ତ୍ତମାନ ସେ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ୧୦ ବର୍ଷ ପ୍ରଶିକ୍ଷଣରେ ୪୦ରୁ ଊର୍ଦ୍ଧ୍ବ ଜାତୀୟ ଖେଳାଳି ଓ ଜଣେ ଆନ୍ତର୍ଜାତିକ ଖେଳାଳି ଗଢ଼ିଛନ୍ତି। ଏହା ସହ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ଚୀନ୍‌ର ଉକ୍ସିଠାରେ ଅନୁଷ୍ଠିତ ୨୦୧୩ ବିଶ୍ବ ଯୁବ ତୀରନ୍ଦାଜି ପ୍ରତିଯୋଗିତା ଦଳରେ ଥିଲେ। ୨୦୧୪ରେ ଥାଇଲାଣ୍ଡରେ ଅନୁଷ୍ଠିତ ଯୁବ ଅଲିମ୍ପିକ୍ ପ୍ରଶିକ୍ଷଣ ଶିବିର, ତୁର୍କୀର ଆଣ୍ଟାଲିଆରେ ଅନୁଷ୍ଠିତ ୨୦୧୫ ବିଶ୍ବକପ୍‌ ଦ୍ବିତୀୟ ପର୍ଯ୍ୟାୟ ଓ ତାଇପେରେ ୨୦୧୭ରେ ଅନୁଷ୍ଠିତ ହୋଇଥିବା ୨୯ତମ ଗ୍ରୀଷ୍ମକାଳୀନ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ଦଳର ପ୍ରଶିକ୍ଷଣ ଦାୟିତ୍ବ ତୁଲାଇସାରିଛନ୍ତି।

ଅଲିମ୍ପିକ୍ ଅବସୋସ
ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିଛନ୍ତି ରାଜେଶ। କିନ୍ତୁ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରି ଦେଶ ପାଇଁ ପଦକ ଜିତିବାର ଆଶା ତାଙ୍କର ଅଧୁରା ହୋଇ ରହିଗଲା। ନିଜେ ଖେଳୁଥିବା ସମୟରେ କୌଣସି କାରଣବଶତଃ ସେ ଆଘାତପ୍ରାପ୍ତ ହେଲେ। ଏହା ପରେ ଖେଳରେ ଧୀରେ ଧୀରେ ଅବନତି ଘଟିଲା। ଶେଷରେ ଅଲିମ୍ପିକ୍ ଆଶା ମଉଳିଗଲା। ଆଉ ତା’ପରେ ସେ ଚିନ୍ତାକଲେ ପିଲାଙ୍କୁ ପ୍ରଶିକ୍ଷଣ ଦେବେ ଓ ଅଲିମ୍ପିକ୍ ଖେଳିବା ପାଇଁ ଯେପରି ଯୋଗ୍ୟ କରାଇବେ। ୨୦୦୯ ମସିହାରେ ସେ କିସ୍ ସହ ଜଡ଼ିତ ହୋଇ ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଆଉ ଅପେକ୍ଷା କରିଛନ୍ତି ଅଲିମ୍ପିକ୍‌ରେ ତାଙ୍କ ପିଲା କେଉଁ ଦିନ ଯୋଗ୍ୟତା ଅର୍ଜନ କରିବେ।

ଆଗାମୀ ଲକ୍ଷ୍ୟ
ରାଜେଶ ବର୍ତମାନ ମହିଳା ତୀରନ୍ଦାଜି ଗଢ଼ିବା ପାଇଁ ଅଧିକ ଧ୍ୟାନ ଦେଉଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକ ମହିଳା ଖେଳାଳି ସୃଷ୍ଟି କରିବା ପାଇଁ ସେ ବର୍ତ୍ତମାନ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ସେ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ମହିଳା ସହକାରୀ ପ୍ରଶିକ୍ଷକ ରଖିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ମହିଳା ପ୍ରଶିକ୍ଷକ ମାଧ୍ୟମରେ ସେ ମହିଳା ତୀରନ୍ଦାଜ ସୃଷ୍ଟି କରିବା ପାଇଁ ଅଧିକ ସହାୟତା ପାଇବେ ବୋଲି ଆଶା ରଖିଛନ୍ତି।

ଯୁବ ପିଢ଼ିକୁ ଆହ୍ବାନ
ଯୁବବର୍ଗକୁ କେବଳ ଗୋଟିଏ କଥା କହିବି ଯେ କୌଣସି କ୍ଷେତ୍ରରେ ନିଜ ଜୀବନ ଗଢ଼ିବାକୁ ଚାହୁଁଛ, ପ୍ରଥମେ ନିଜ ଲକ୍ଷ୍ୟ ବାଛ। ଲକ୍ଷ୍ୟ ପଥ ସ୍ଥିର ରଖି ଆଗକୁ ବଢ଼ିଚାଲିଲେ ସଫଳତା ସୁନିଶ୍ଚିତ ବୋଲି ରାଜେଶ କହିଛନ୍ତି। ଲକ୍ଷ୍ୟ ପଥରେ ପହଞ୍ଚିବା ପର୍ଯ୍ୟନ୍ତ କଠିନ ପରିଶ୍ରମ କର ଓ ନିଜ ଉପରେ ବିଶ୍ବାସ ରଖ। ସେହିଭଳି ତୀରନ୍ଦାଜି ଖେଳୁଥିବା ପିଲାଙ୍କୁ କହିବି ପ୍ରତିଦିନ ୧୦ରୁ ୧୨ ଘଣ୍ଟା ଅଭ୍ୟାସ କରିବା ନିହାତି ଜରୁରୀ। ଏହା ସହ ପ୍ରତିଦିନ ଯୋଗ ଓ ଧ୍ୟାନ କରିବା ଉପରେ ଗୁରୁତ୍ବ ଦିଅନ୍ତୁ।

ସଫଳତାର ଶ୍ରେୟ
ମୁଁ ଖେଳୁଥିବା ସମୟରେ ଯାହା କିଛି ବି କୀର୍ତ୍ତିମାନ ଅର୍ଜନ କରିଛି ସେ ସବୁ ମୋ ପ୍ରଶିକ୍ଷକ ଆଇଏସ୍ ସୋଢିଙ୍କୁ ଦେବି। ଖେଳ ଅଭ୍ୟାସ କରିବା ସମୟରେ ସେ ମୋତେ ଟିକେ ବି ଦୟା କରୁନଥିଲେ। ମୋ ପ୍ରତି କଠୋର ମନୋଭାବ ପୋଷଣ କରି ଅନୁଶିକ୍ଷଣ ଦେଉଥିଲେ। ଯେଉଁଥିପାଇଁ ମୁଁ ତୀରନ୍ଦାଜିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳି ସଫଳତା ପାଇଛି। ପ୍ରଶିକ୍ଷଣ କ୍ଷେତ୍ରରେ ମୁଁ ଓଡ଼ିଶା ତୀରନ୍ଦାଜ ସଂଘ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେବି।

ସମ୍ବନ୍ଧିତ ଖବର