ଅକ୍ଟୋବରରୁ ଦେଶରେ କ୍ରୀଡ଼ା ପ୍ରତିଯୋଗିତା

ନୂଆଦିଲ୍ଲୀ/ଭୁବନେଶ୍ବର: ଅକ୍ଟୋବର ସୁଦ୍ଧା ଦେଶରେ କ୍ରୀଡ଼ା ପ୍ରତିଯୋଗିତା ଫେରିବା ଉଚିତ୍‌ ବୋଲି ମତ ଦେଇଛନ୍ତି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ନରିନ୍ଦର ବାତ୍ରା। ଫିକି ପକ୍ଷରୁ ଆୟୋଜିତ ଏକ ୱେବିନାର୍‌ ‘ସ୍ପୋର୍ଟିଂ ଇଭେଣ୍ଟ୍‌ସ: ଏମ୍ବ୍ରାସିଂ ଦ ନିୟୁ ନର୍ମାଲ୍‌’କୁ ଉଦ୍‌ବୋଧନ ଦେବା ବେଳେ ବାତ୍ରା ଏଭଳି ଆଶା ପ୍ରକାଣ କରିଛନ୍ତି। ଅଧିକାଂଶ ଖେଳ ଲାଗି ‘ସାଧାରଣ ପରିଚାଳନା ପ୍ରକ୍ରିୟା’ (ଏସ୍‌ଓପି) ଜାରି ହୋଇସାରିଛି। ଏବେ ଯେଉଁଠାରେ ପ୍ରତିଯୋଗିତାଗୁଡିକ ଆୟୋଜନ କରାଯିବ ତାହା ଚିହ୍ନଟ କରାଯିବ। ଉଦାହରଣ ଭାବେ ‌ବାତ୍ରା ହକି ପାଇଁ ବେଙ୍ଗାଲୁରୁ ଏବଂ ବଂଧୁକଚାଳନା ପାଇଁ ନୂଆଦିଲ୍ଲୀ ରହିଛି ବୋଲି କହିଥିଲେ। କିନ୍ତୁ କୁସ୍ତି ଓ ମୁଷ୍ଟିଯୁଦ୍ଧ ଭଳି କଣ୍ଟାକ୍ଟ କ୍ରୀଡ଼ାର ଏସ୍‌ଓପି ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରି ନାହିଁ ବୋଲି‌ ସେ କହିଥିଲେ। ସରକାର ଦେଶରେ ସବୁ ଖେଳକୁ ସମର୍ଥନ କରି ଆସୁଛନ୍ତି ଏବଂ ଖେଳାଳିମାନଙ୍କ ମଧ୍ୟରେ ବହୁ ଭାବେ ସକାରାତ୍ମକ ଭାବନା ଭରିରହିଛି। ସେମାନେ ପଡିଆକୁ ଫେରିବାକୁ ବ୍ୟଗ୍ର ଅଛନ୍ତି। ଘରେ ରହି ତାଲିମ ନେଉଥିବା ଖେଳାଳିଙ୍କଠାରୁ ୪୦-୫୦ ପ୍ରତିଶତ ମିଳିବ। ତେଣୁ ଖେଳାଳିମାନେ ପଡିଆକୁ ଆସି ବୋଝ ‌ସମ୍ଭାଳିଲେ ୨/୩ ମାସ ଭିତରେ ଶୀର୍ଷକୁ ଉଠିପାରିବେ‌ ବୋଲି ବାତ୍ରା ପ୍ରକାଶ କରିଥିଲେ।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ ଏହି ୱେବିନାରରେ ଭାଗନେଇ କହିଥିଲେ ଦେଶରେ କ୍ରୀଡ଼ାର ପ୍ରତ୍ୟାବର୍ତନ କରିବା ଲାଗି ସରକାର ଏବଂ କର୍ପୋରେଟ୍‌ ଗୁଡିକ ଏକାଠି ସାମଧାନର ସୂତ୍ର ବାହାର କରିବା ଆବଶ୍ୟକ। ଏସ୍‌ଓପି ଜାରି କରିବା ସହଜ କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା କଷ୍ଟକର କାମ। ତେଣୁ ଖେଳାଳିମାନଙ୍କ ପାଇଁ ଜାରି ଏସ୍‌ଓପିର କାର୍ଯ୍ୟକାରିତା ଦିଗ ଉପରେ ନଜର ରଖିବା ଆବଶ୍ୟକ‌ ବୋଲି ଶ୍ରୀ ଦେବ ପ୍ରକାଶ କରିଥିଲେ। ‘ଫିକି’ର କ୍ରୀଡ଼ା ସମିତି ଅଧ୍ୟକ୍ଷ ସଂଯୋଗ ଗୁପ୍ତା କହିଥିଲେ ‘ମହାମାରୀ ପ୍ରଶଂସକ ଏବଂ ଦର୍ଶକଙ୍କ ମଧ୍ୟରେ ଥିବା ପ୍ରାଚୀରକୁ ହଟାଇ ଦେଇଛି। ସମାନ ସମୟରେ ଏହା ପୂର୍ବ ଅପେକ୍ଷା ଅଧିକ ପ୍ରଶଂସକଙ୍କୁ ଯୋଡ଼ିବାର ସ‌ୁଯୋଗ ମଧ୍ୟ ଆଣି ଦେଇଛି। ବିଶ୍ବବ୍ୟାପୀ କୋଟି କୋଟି ପ୍ରଶଂସକଙ୍କୁ ଯୋଡ଼ିବା ଲାଗି କ୍ରୀଡ଼ା ଅଭିଜ୍ଞତାରେ ପରିବର୍ତନର ଆବଶ୍ୟକତା ରହିଛି। ସୃଜନଶୀଳ ପରିବର୍ତନର ଆବଶ୍ୟକତା ରହିଛି‌ ବୋଲି କହିଥିଲେ ଫିକି ମହାସଚିବ ଦିଲୀପ ଚେନୟ। ଖେଳ ଫେରିବା ପରେ ଖେଳାଳିଙ୍କ ସୁରକ୍ଷା ଉପରେ ଏକାଗ୍ରତା ରହିବ। ବୁନ୍ଦେସଲିଗା ଏହାର ଅଭିଜ୍ଞତା ଓ ବିଶେଷ ଜ୍ଞାନକୁ ବାଣ୍ଟୁଛି। କିନ୍ତୁ ପ୍ରତି ଦେଶ ଏବଂ ସେଠାକାର ପରିସ୍ଥିତି ଭିନ୍ନ ଥିବାରୁ ଏହାକୁ ନଜରରେ ରଖି କାମ ହେବା ଉଚିତ୍ ବୋଲି କହିଥିଲେ ବୁନ୍ଦେସଲିଗାର ଗ୍ଲୋବାଲ୍ ମାର୍କେଟିଂ ମୁଖ୍ୟ ପୀର୍‌ ନିୟୁବର୍ଟ।

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର କ୍ରିକେଟ୍‌ ସମିତି ଅଧ୍ୟକ୍ଷ ଅନିଲ କୁମ୍ବଲେ ମଧ୍ୟ ଏହି ୱେବିନାରରେ ଭାଗ ନେଇଥିଲେ। କ୍ରିକେଟ୍ ପୁନଃ ଆରମ୍ଭ କରାଯିବା ଭିନ୍ନ କଥା। ‌ଖେଳାଳିମାନେ ନିଜ ଶରୀର ଉପରେ କେତେ ବୋଝ ଲଦିପାରିବେ ଏବଂ ଟେଷ୍ଟ୍ ମ୍ୟାଚ୍‌ ପାଇଁ ଆବଶ୍ୟକ ତାଲିମର ସମୟ‌ ନେବେ ଏସବୁ ଉପରେ ବହୁ କିଛି ନିର୍ଭର କରିବ ବୋଲି କୁମ୍ବଲେ କହିଥିଲେ। ନାଇଟ୍ ରାଇଡର୍ସ ସ୍ପୋର୍ଟସର ସିଇଓ ଭେଙ୍କି ମହିଶୁର, ଜେଏସଡବୁଲ୍ୟ ସ୍ପୋର୍ଟସର ସିଇଓ ମୁସ୍ତାଫା ‌ଘାଉସ୍‌ ମଧ୍ୟ ଏଥିରେ ଭାଗ ନେଇ ଖେଳାଳିଙ୍କ ଶାରୀରିକ ଓ ମାନସିକ ଦୃଢ଼ତା ଉପରେ ଗୁରୁତ୍ବ ଦେଇଥିଲେ। କ୍ରୀଡ଼ା ବିଶେଷଜ୍ଞ ନିଖିଲ ନାଜ୍‌ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର