ଏଏଫ୍‌ସି ଏସୀୟ କପ୍‌ ପ୍ରଦର୍ଶନର ପ୍ରଭାବ, ଆନ୍ତର୍ଜାତିକ ଫୁଟ୍‌ବଲ୍‌ରୁ ଅନସ୍‌ଙ୍କ ଅବସର

ନୂଆଦିଲ୍ଲୀ: ଏଏଫ୍‌ସି ଏସୀୟ କପ୍‌ ପ୍ରତିଯୋଗିତାରେ ଖରାପ ପ୍ରଦର୍ଶନ ପାଇଁ ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ବିଦା ହୋଇଯିବାକୁ ସହଜରେ ହଜମ କରିପାରିନଥିଲେ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍‌ କୋନ୍‌ଷ୍ଟାଣ୍ଟିନେ। ଯାହାର ଫଳ ସ୍ବରୂପ କାର୍ଯ୍ୟକାଳ ମିଆଦ ପୂରିବାର ୧୫ ଦିନ ପୂର୍ବରୁ ତଥା ମଙ୍ଗଳବାର ସେ ଅଚାନକ ପଦ ତ୍ୟାଗ କରିଦେଲେ। ଏହାର ଦିନକ ପରେ ସମାନ କାରଣ ତଥା ଏଏଫ୍‌ସି ଏସୀୟ କପ୍‌ ଗ୍ରୁପ୍‌ ପର୍ଯ୍ୟାୟରୁ ଦଳ ବିଦା ହେବାକୁ ହଜମ କରିନପାରି ତାରକା ଖେଳାଳି ତଥା ସେଣ୍ଟର ବ୍ୟାକ୍‌ ଅନସ୍‌ ଏଡାଥୋଡ଼ିକା ବୁଧବାର ଆନ୍ତର୍ଜାତିକ ଫୁଟ୍‌ବଲ୍‌ରୁ ଅବସର ଘୋଷଣା କରିଦେଇଛନ୍ତି। ଏହି ୩୧ ବର୍ଷ ବୟସ୍କ ମାଲାପୁରମ୍‌ ଖେଳାଳି ସୋମବାର ବାହାରିନ୍‌ ବିପକ୍ଷ ତୃତୀୟ ତଥା ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ମାତ୍ର ୪ ମିନିଟ୍‌ ପାଇଁ ଖେଳି ଆହତ ହୋଇଥିଲେ। ଫଳରେ ଆଘାତ ସମସ୍ୟା ଆଉ ଆଗକୁ ଖେଳିବାକୁ ଦେବନି। ଆଉ କିଛି ବର୍ଷ ଖେଳିବାକୁ ମୁଁ ଚାହୁଁଥିଲି। ହେଲେ ଭାରତୀୟ ଫୁଟ୍‌ବଲ୍‌ ଦଳରୁ ଅବସର ନେଇଯିବା ଏବେ ହିଁ ପ୍ରକୃଷ୍ଟ ସମୟ ବୋଲି ଅନସ୍‌ କହିଛନ୍ତି। ଅତ୍ୟନ୍ତ ଦୁଃଖର ସହ ମୁଁ ଅବସର ଘୋଷଣା କରୁଛି। ଏଭଳି କଠୋର ନିଷ୍ପତ୍ତିକୁ ଗ୍ରହଣ କରିବା ସହଜ ହେଉନି। ହେଲେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାପାଇଁ ଏହି ନିଷ୍ପତ୍ତିକୁ ମାନି ନେଉଛି ବୋଲି ଅନସ୍‌ ନିଜର ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଜାତୀୟ ଦଳ ପାଇଁ ଖେଳିବା ମୋ ଜୀବନର ସବୁଠୁ ଶ୍ରେଷ୍ଠ ସଫଳତା ଥିଲା। ସର୍ବଦା ଶତପ୍ରତିଶତ ଦେବା ପାଇଁ ଚେଷ୍ଟା କରିଥାଏ। ହେଲେ ବାହାରିନ୍‌ ବିପକ୍ଷ ମ୍ୟାଚ୍‌ରେ ଆହତ ହେବା ଏବଂ ଦଳ ହାରିଯିବା ମୋତେ ଖୁବ୍‌ ବାଧିଛି ବୋଲି ଅନସ୍‌ କହିଛନ୍ତି। ୨୦୦୭ରେ ୨୦ ବର୍ଷ ବୟସରେ ପେସାଦାର ଜୀବନ ଆରମ୍ଭ କରିଥିବା ଅନସ୍‌ ଷ୍ଟିଫେନ୍‌ କେନ୍‌ଷ୍ଟାଣ୍ଟିନେଙ୍କ ଅଧୀନରେ ଭାରତୀୟ ଦଳର ରକ୍ଷଣଭାଗର ପ୍ରଚୀର ବନି ଯାଇଥିଲେ। ହେଲେ ଆହତ ସମସ୍ୟା ବରମ୍ବାର ତାଙ୍କ ପାଇଁ ପ୍ରତିବନ୍ଧକ ସାଜିଥିଲା। ଯାହା ଫଳରେ ଗତ ଋତୁରେ ସେ ୧୦ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଖେଳିପାରିନଥିଲେ। ତଥାପି ଏହି ତାରକା ଖେଳାଳି ୨୦୧୭ରେ ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ ଦ୍ବାରା ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ହାତେଇଥିଲେ।

ସମ୍ବନ୍ଧିତ ଖବର