ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ସ ସଂଘର ହସ୍ତକ୍ଷେପ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରୁ ରାକେଶ ପାତ୍ର ବଞ୍ଚିତ ପ୍ରସଙ୍ଗ

ଭୁବନେଶ୍ୱର: ଭାରତୀୟ ଜିମ୍ନାଷ୍ଟ ରାକେଶ ପାତ୍ରଙ୍କ ଚୟନକୁ ନେଇ ଉଠିଥିବା ବିବାଦୀୟ ପରିସ୍ଥିତିରେ ହସ୍ତକ୍ଷେପ କରିଛି ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ସ ସଂଘ (ଏଫ୍‌ଆଇଜି)। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଦଳ ଚୟନ କ୍ଷମତା କେବଳ ଜାତୀୟ କ୍ରୀଡ଼ା ସଂଘମାନଙ୍କର ବୋଲି ଏଫ୍‌ଆଇଜି ସ୍ପଷ୍ଟ କରିଛି। ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ସଭାପତି ନରିନ୍ଦର ଧୃବ ବାତ୍ରାଙ୍କୁ ଲେଖିଥିବା ପତ୍ରରେ ଏଫଆଇଜି ଦର୍ଶାଇଛି ଯେ ଅଲିମ୍ପିକ୍ସ ଓ ଯୁବ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କ ପଞ୍ଜିକରଣ ଦାୟିତ୍ୱ କେବଳ ସମ୍ପୃକ୍ତ ଦେଶର ଅଲିମ୍ପିକ୍‌ ସଂଘ ନିକଟରେ ରହିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ନୁହେଁ। ସେହି ଦୃଷ୍ଟିରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଦଳ ଚୟନ ଦାୟିତ୍ୱ ଭାରତୀୟ ଜିମ୍ନାଷ୍ଟିକ୍ସ ସଂଘ କରିବା କଥା। କିନ୍ତୁ ଭାରତୀୟ ଅଲିମ୍ପିକ୍‌ ସଂଘ ଆଗାମୀ ଗୋଲ୍‌ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଜିମ୍ନାଷ୍ଟିକ୍ସ ଦଳ ପାଇଁ ଏକ ଚୟନ ସମିତି ଗଠନ କରିଥିବା ଆମକୁ ସୂଚନା ଦିଆଯାଇଛି। ଏହାକୁ ନେଇ ମଧ୍ୟ ଭାରତୀୟ ଜିମ୍ନାଷ୍ଟିକ୍ସ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି ବୋଲି ଏଫ୍‌ଆଇଜିର ସଭାପତି ମୋରିନାରି ଓ୍ଵାତାନାବେ ଏବଂ ମହାସଚିବ ଆନ୍ଦ୍ରେ ଏଫ୍‌ ଗୁସବୁଲର୍‌ଙ୍କ ସ୍ୱାକ୍ଷରରେ ଆସିଥିବା ପତ୍ରରେ ଉଲ୍ଲେଖ କରାଯାଇଛି। ଆମେ ଅଲିମ୍ପିକ୍‌ ଘୋଷଣାପତ୍ରକୁ ସମ୍ମାନ ଦେଉଛୁ ଏବଂ ଅନୁରୋଧ କରୁଛୁ କି ଜିମ୍ନାଷ୍ଟିକ୍‌ ସଂଘକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଦଳ ଚୟନ କ୍ଷମତା ଅର୍ପଣ କରାଯାଉ। ସୂଚନାଯୋଗ୍ୟ, ଭାରତୀୟ ଅଲିମ୍ପିକ୍‌ ସଂଘ ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମିଳିତ ଭାବେ କରିଥିବା ଚୟନ ପ୍ରକ୍ରିୟାରେ ହିଁ ରାକେଶଙ୍କୁ ଦଳରେ ନ ନିଆଯିବା ଲାଗି ଷଡ଼ଯନ୍ତ୍ର ରଚାଯାଇଥିଲା। ଗତ ମାସରେ ମେଲବର୍ନରେ ବିଶ୍ୱକପ୍‌ ଫାଇନାଲ୍‌କୁ ଉଠିବା ଏବଂ ଚତୁର୍ଥ ସ୍ଥାନ ପାଇବା ସତ୍ତ୍ୱେ ୭ ଜଣିଆ ରାଜ୍ୟଗୋଷ୍ଠୀ ଭାରତୀୟ ଦଳରେ ତାଙ୍କୁ ନ ସାମିଲ କରାଯିବାରୁ ସେ ଏହା ବିରୋଧରେ ମୁହଁ ଖୋଲିଛନ୍ତି। ଚରମ ଅନ୍ୟାୟର ଶିକାର ବିରୋଧରେ ସେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଥିବା ରାକେଶଙ୍କ ନିକଟତମ ମହଲରୁ ସୂଚନା ମିଳିଛି।
ଟ୍ଵିଟ୍‌ କଲେ ବିନ୍ଦ୍ରା
ରାକେଶ ପାତ୍ରଙ୍କ ଚୟନକୁ ନେଇ ଅଲିମ୍ପିକ୍‌ ପଦକ ବିଜେତା ଅଭିନବ ବିନ୍ଦ୍ରା ମଧ୍ୟ ସମର୍ଥନ ଭରା ଟ୍ଵିଟ୍‌ କରିଛନ୍ତି। ଦେଶର ଶ୍ରେଷ୍ଠ ଜିମ୍ନାଷ୍ଟଙ୍କୁ ସ୍ୱଚ୍ଛ ଚୟନ ଜରିଆରେ ଦେଶର ପ୍ରତିନିଧିତ୍ୱ କରନ୍ତୁ ଏବଂ ଆମକୁ ଗବିର୍ତ କରାନ୍ତୁ ବୋଲି ବିନ୍ଦ୍ରା ତାଙ୍କ ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର