ମୁମ୍ବାଇ: ଆଇପିଏଲ୍ର ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଗତକାଲି ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ପହଞ୍ଚିଥିଲେ ଅଭିନେତା ଭିକି କୌଶଲ। ସେଠାରେ ସୌରଭ ଗାଙ୍ଗୁଲୀଙ୍କୁ ଭେଟିବା ପରେ ନିଜର କୌତୂକିଆ ପ୍ରତିକ୍ରିୟା ଦେଇଛନ୍ତି ଭିକି। ଗତକାଲି ବର୍ଷା କାରଣରୁ ମ୍ୟାଚ୍ ହୋଇ ପାରିନାହିଁ। ସେହି କାରଣରୁ ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ ଆଜି ଖେଳାଯିବ। ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବାକୁ ଥିବା ଆଇପିଏଲ୍ ମୁକାବିଲା ଦେଖିବାକୁ ପହଞ୍ଚିଥିଲେ ଭିକି କୌଶଲ।
ଏହି ଅବସରରେ ଭିକି ଭାରତର ପୂର୍ବତନ କ୍ୟାପ୍ଟେନ୍ ସୌରଭ ଗାଙ୍ଗୁଲୀଙ୍କୁ ସାକ୍ଷାତ୍ କରିଥିଲେ। ସେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ସହ ହାତ ମିଳାଇଥିଲେ। ତେବେ ଗାଙ୍ଗୁଲୀଙ୍କ ସହ ଲକ୍ଷ୍ନୌ ସୁପର୍ ଜାଣ୍ଟ୍ସର ଅଧିନାୟକ କୃଣାଲ ପାଣ୍ଡ୍ୟା ବି ଭେଟ ହୋଇଥିଲେ।
ତେବେ ଭିକି କୌଶଲ ତାଙ୍କ ହାତରେ ହାର୍ଟ କରି କ୍ୟାମେରାରେ ପୋଜ୍ ଦେଇଥିବାର ଦେଖିବାକୁ ମିଳିଛି। ଏହାକୁ ଆଇପିଏଲ୍ର ଅଧିକାରିକ ସାଇଟ୍ରେ ବି ସେୟାର୍ କରାଯାଇଛି। କର୍ମକ୍ଷେତ୍ରରେ ଦେଖିବାକୁ ଗଲେ ଭିକି କୌଶଲଙ୍କର ଜୁନ୍ରେ ସାରା ଅଲ୍ଲୀ ଖାନ୍ଙ୍କ ସହ ‘ଜରା ହଟ୍କେ ଜରା ବଚ୍କେ’ ଫିଲ୍ମ ଆସିବାକୁ ଯାଉଛି। ଏହି କାରଣରୁ ଉଭୟ ଭିକି ଓ ସାରା ଲଗାତର ଫିଲ୍ମର ପ୍ରମୋସନ କରି ଚାଲିଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ ସୁପରଷ୍ଟାର ସଲମାନ ଖାନଙ୍କ ଅଙ୍ଗରକ୍ଷୀ କଟ୍ରିନାଙ୍କ ସ୍ବାମୀ ଭିକ୍କି କୌଶଲଙ୍କୁ ଧକ୍କା ଦେଇଥିବାର ଏକ ଘଟଣା ଗତକାଲି ସାମ୍ନାକୁ ଆସିଥିଲା। ଏହି ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ଘୂରି ବୁଲୁଛି। ତେବେ ଏ ନେଇ ନିଜର ମତ ରଖି ଭିକି କହିଥିଲେ, ‘‘ଅନେକ ସମୟରେ କିଛି ଘଟଣାକୁ ନେଇ ଅଯଥା ଆଲୋଚନା କରାଯାଏ। ଏସବୁ ଆଲୋଚନାର କୌଣସି ଆବଶ୍ୟକତା ନାହିଁ କି ଏପରି ଆଲୋଚନା କରି କିଛି ଲାଭ ନାହିଁ। ଅଧିକାଂଶ ସମୟରେ ଭିଡିଓରେ ଯେଉଁଭଳି ଭାବେ ଦେଖାଯାଏ, ବାସ୍ତବରେ ସେପରି ହୋଇନଥାଏ।’