ଅଗଷ୍ଟ ୨ରେ ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକ, ଚୂଡ଼ାନ୍ତ ସୂଚୀରେ ମୋହର ବାଜିବ

ନୂଆଦିଲ୍ଲୀ: ଆସନ୍ତା ମାସ ୨ ତାରିଖରେ ଆଇପିଏଲ୍‌ ପରିଚଳନା ପରିଷଦର ବହୁ ପ୍ରତୀକ୍ଷିତ ବୈଠକ ବସିବ। ଏଥିରେ ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍‌-୧୩କୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଚଳିତ ବର୍ଷ ମାର୍ଚରେ ଆଇପିଏଲ୍‌ର ଏହି ସଂସ୍କରଣ ଭାରତରେ ହେବାର ଥିଲା। ହେଲେ କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଟି-୨୦ ବିଶ୍ବକପ୍‌ ବାତିଲ ହେବା ପରେ ଆଇପିଏଲ୍‌ ପାଇଁ ବାଟ ଫିଟିଥିଲା। କିନ୍ତୁ ସଂପ୍ରତି ଭାରତରେ କରୋନାର ପ୍ରକୋପ କମି ନଥିବାରୁ ଏହାକୁ ୟୁଏଇରେ ଆୟୋଜନ କରିବା ଲାଗି ବିସିସିଆଇ ଚିନ୍ତା କରିଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଆୟୋଜନ କରିବା ନେଇ ବିସିସିଆଇ ସହ ସମସ୍ତ ୮ ଦଳ ମଧ୍ୟ ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି। ଅଗଷ୍ଟ ୨ ତାରିଖ ବୈଠକରେ ସ୍ଥାନ ସହ ପୂର୍ଣ୍ଣ ସୂଚୀ ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ଏଥିସହ ଏହି ବୈଠକରେ ସମସ୍ତ ଦଳକୁ ଏସ୍‌ଓପି (ସାଧାରଣ ପରିଚାଳନା ପ୍ରକ୍ରିୟା) ମଧ୍ୟ ପ୍ରଦାନ କରାଯିବ। ବୈଠକରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହଙ୍କ ସହ ସମସ୍ତ ସହଯୋଗୀ ଯୋଗଦେବେ।

ସମ୍ବନ୍ଧିତ ଖବର