କୋଭିଡ୍ ସୁନାମି ଭିତରେ ଆଇପିଏଲ୍‌ ଆୟୋଜନକୁ ବିରୋଧ, ଖବର ଛାପିବା ବନ୍ଦକଲା ଇଂରାଜୀ ଦୈନିକ

ନୂଆଦିଲ୍ଲୀ: ଭାରତରେ ଏବେ କୋଭିଡ୍-୧୯ ମହାମାରୀ ସୁନାମିର ରୂପ ନେଲାଣି। ପ୍ରତିଦିନ ୩ ଲକ୍ଷରୁ ଅଧିକ ଲୋକ ଏହି ଅଦୃଶ୍ୟ ତଥା ଭୟଙ୍କର ଭୂତାଣୁରେ ସଂକ୍ରମିତ ହେଉଥିଲା ବେଳେ ହଜାର ହଜାର ଲୋକ ଅକାଳରେ ଜୀବନ ହାରୁଛନ୍ତି। ଦେଶ ଏକ ଅସ୍ବାଭାବିକ ପରିସ୍ଥିତି ଦେଇ ଗତି କରୁଛି। ଜୀବନରକ୍ଷାକାରୀ ଔଷଧ ମିଳୁନଥିଲା ବେଳେ ଅମ୍ଳଜାନ ସଙ୍କଟ ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ଅଧିକାଂଶ ରାଜ୍ୟ ସରକାର ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବା ଲାଗି ଅସହାୟ ଭାବେ ଲକଡାଉନ୍ ଓ ସଟ୍‌ଡାଉନ ସହାୟତା ନେଉଛନ୍ତି।

ଏଭଳି ଏକ ସଙ୍କଟଜନକସ୍ଥିତିରେ ବହୁ ବିଦେଶୀ ଖେଳାଳିଙ୍କୁ ନେଇ ଆଇପିଏଲ୍‌ ଆୟୋଜନକୁ ବିରୋଧ ହେବା ଆରମ୍ଭ ହୋଇଗଲାଣି। ଲୋକ ପୋକ ମାଛି ଭଳି ମରୁଥିଲା ବେଳେ ଏଭଳି ଏକ ଲିଗ୍ ଆୟୋଜନ ଅସୁନ୍ଦର କଥା ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଶଂସକମାନେ ମତ ଦେଉଛନ୍ତି। ଏପରିକି ତୁରନ୍ତ ଆଇପିଏଲ୍‌ ବନ୍ଦ କରିବା ଲାଗି ବି ଦାବି ହେଲାଣି। ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ତୀବ୍ର ଆହ୍ବାନପୂର୍ଣ୍ଣ ସମୟରେ ଆଇପିଏଲ୍‌ ଆୟୋଜନକୁ ଅଭିନବ ଢଙ୍ଗରେ ବିରୋଧ କରିଛି ଇଂରାଜୀ ଦୈନିକ ‘ଦି ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍’। ଏହି ଖବର କାଗଜ ଆଇପିଏଲ୍‌ ଖବର ପରିବେଷଣକୁ ରବିବାରଠାରୁ ବନ୍ଦ କରିଦେଇଛି। ଏହାର ଏକ ସହଯୋଗୀ ସଂସ୍ଥା ମଧ୍ୟ ଆଗକୁ ଆଉ ଆଇପିଏଲ୍ ଖବର ପ୍ରସାରଣ କରିବନାହିଁ ବୋଲି ଘୋଷଣା କରିଛି। ଏସବୁ ସତ୍ତ୍ବେ ଚଳିତ ବର୍ଷର ଆଇପିଏଲ୍ ପୂର୍ବବତ୍ ଚାଲୁ ରହିବ ବୋଲି ବିସିସିଆଇ କହିଛି। ଆଇପିଏଲ୍ ପରିଚାଳନା ପରିଷଦର ଜଣେ ସଦସ୍ୟ କହିଛନ୍ତି ଯେ ଆଇପିଏଲ୍ କଠୋର ଜୈବ ବଳୟ ଭିତରେ ଖେଳାଯାଉଛି। କୋଭିଡ୍ ନିର୍ଦ୍ଦେଶାବଳୀକୁ ଆମେ ଅକ୍ଷରେ ଅକ୍ଷରେ ଅନୁସରଣ କରୁଛୁ ଏବଂ ମ୍ୟାଚ୍ ବିନା ଦର୍ଶକରେ ଖେଳାଯାଉଛି।

ଏଣୁ ଏହା ସଂପୂର୍ଣ୍ଣ ସୁରକ୍ଷିତ। ସେହିଭଳି ଆଇପିଏଲ୍‌ କୋଭିଡକୁ ନେଇ ସୃଷ୍ଟି ହୋଇଥିବା ସମସ୍ତ ପ୍ରକାର ନକାରାତ୍ମକ କଥା ଉପରୁ ଧ୍ୟାନ ହଟାଇବାର ମାଧ୍ୟମ ପାଲଟିଛି। ଦିଲ୍ଲୀରେ ସଂକ୍ରମଣ ମାତ୍ରା ଢେର ବଢ଼ିଛି। ଏଥିପାଇଁ କିନ୍ତୁ ଆମେ ହାଇଦ୍ରାବାଦ ଓ ଇନ୍ଦୋରକୁ ସଂରକ୍ଷିତ ଷ୍ଟାଡିୟମ୍ ଭାବେ ରଖିଛୁ। ଏସବୁ ଭିତରେ ରବିବାରର କୋଭିଡ୍ ସଂକ୍ରମଣ ସଂଖ୍ୟା ୩,୪୯,୬୯୧ ରହିଛି। ଯାହା ବିଶ୍ବରେ ସର୍ବାଧିକ । ବିଶ୍ବର ଅନ୍ୟ କୌଣସି ଦେଶରେ ଦିନକ ଭିତରେ ଏତେ ଲୋକ ସଂକ୍ରମଣ ହେବାର ଉଦାହରଣ ପୂର୍ବରୁ ନଥିଲା। ସେପଟେ ଚେନ୍ନାଇ ଭିତ୍ତିକ ଖବର କାଗଜ ନ୍ୟୁ ଇଣ୍ଡିଆନ୍ସ ଏକ୍ସପ୍ରେସ୍ କହିଛି, ‘‘କୋଭିଡ୍ ଯୋଗୁଁ ଚାଲି ଯାଉଥିବା ବହୁମୂଲ୍ୟ ଜୀବନ ପ୍ରତି ଦେଶବାସୀଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ଏହା ଆମ ପକ୍ଷରୁ ଏକ ଛୋଟିଆ ପଦକ୍ଷେପ’’। ଡେକାନ୍ ଚାର୍ଜର୍ସକୁ ପ୍ରଥମ ଥର ଆଇପିଏଲ୍ ବିଜେତା କରିଥିବା ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ ରକ୍ଷକ ଆଦାମ ଗିଲକ୍ରିଷ୍ଟ ଟ୍ବିଟ୍ କରି ଭାରତୀୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ରବିବାର ସୁଦ୍ଧା ଭାରତର ମୋଟ କୋଭିଡ୍ ସଂକ୍ରମଣ ସଂଖ୍ୟା ୧୬.୯୬ ନିୟୁତରେ ପହଞ୍ଚିଛି। ୧୯୨,୩୧୧ ଲୋକ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର