ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌, ଆଜି ଚେନ୍ନାୟିନ୍‌-ଏଟିକେ ଫାଇନାଲ୍‌

ଗୋଆ: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ଶନିବାର ଗୋଆର ଜବାହରଲାଲ ନେହରୁ ଷ୍ଟାଡିୟମରେ ଖେଳାଯିବ। ଏହି ଷଷ୍ଠ ସଂସ୍କରଣର ଫାଇନାଲ୍‌ରେ ଦୁଇ ଥର ଲେଖାଏଁ ଟ୍ରଫି କରାୟତ୍ତ କରିସାରିଥିବା ଚେନ୍ନାୟିନ୍‌ ଏଫ୍‌ସି ଓ ଏଟିକେ ଏଫ୍‌ସି ମୁହାଁମୁହିଁ ହେବେ। ଫଳରେ ପ୍ରଥମ ଦଳ ଭାବେ ତୃତୀୟ ଥର ଟ୍ରଫି ହାତେଇ ଇତିହାସ ରଚିବା ଲକ୍ଷ୍ୟରେ ଉଭୟ ଦଳ ରହିବେ। ପ୍ଲେ ଅଫ୍‌ରେ ଉଭୟ ଦଳ ଚମତ୍କାର ଖେଳି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଦୁଇ ମ୍ୟାଚ୍‌ ବିଶିଷ୍ଟ ପ୍ଲେ ଅଫ୍‌ରେ ଚେନ୍ନାୟିନ୍‌ ୬-୫ ଗୋଲ୍‌ରେ ଏଫ୍‌ସି ଗୋଆକୁ ଏବଂ ‌ଏଟିକେ ୩-୨ରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଥିଲା। ଚଳିତ ଋତୁରେ ଏଟିକେ ସ୍ଥିର ପ୍ରଦର୍ଶନ ଦେଇ ଆସିଛି। ଋତୁ ଆରମ୍ଭରୁ ଚେନ୍ନାୟିନ୍‌ ୬ ମ୍ୟାଚ୍‌ ଖେଳି ଗୋଟିଏ ଜିତିଥିଲା। ହେଲେ ଡିସେମ୍ବରରେ ପ୍ରଶିକ୍ଷକ ୱେନ୍‌ କୋୟଲ ଦଳ ସହ ଯୋଗଦେଲା ପରେ ୮ ମ୍ୟାଚ୍‌ ଜିତିବା ସହ ପ୍ଲେ ଅଫ୍‌ରେ ଗୋଆକୁ ହରାଇ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ଚେନ୍ନାୟିନ୍‌ ଦଳକୁ ଟ୍ରଫି ଭେଟି ଦେବାଠୁ କୋୟଲ ଏବେ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ନେରିଜୁସ ଭାଲ୍‌ସ୍କେ (୧୪ ଗୋଲ୍‌) ସର୍ବାଧିକ ଗୋଲ୍‌ ସ୍କୋରର୍‌ ପୁରସ୍କାର ଦୌଡ଼ରେ ରହିଥିଲା ବେଳେ ରାଫେଲ କ୍ରିଭେଲାରୋ ଦଳର ଅସ୍ତ୍ର ଭାବେ ରହିଛନ୍ତି। ଉଭୟଙ୍କୁ ନେଇ କୋୟଲ ବିଜୟୀ ହେବା ଆଶା ରଖିଛନ୍ତି। ସେହିପରି ୱିଙ୍ଗର ଲାଲିଆଞ୍ଜୁଆଲା ଚାଙ୍ଗଟେ ଶେଷ ୩ ମ୍ୟାଚ୍‌ରେ ଗୋଲ୍‌ କରିଛନ୍ତି। ସେ ମଧ୍ୟ ପ୍ରଥମ ଭାରତୀୟ ଭାବେ ପ୍ଲେ ଅଫ୍‌ର ଦୁଇଟି ଯାକ ଚରଣରେ ଗୋଲ୍‌ କରିବାର କୀର୍ତ୍ତିମାନ କରିଛନ୍ତି। ଏଟିକେ ପାଖରେ ଭଲ ଖେଳାଳି ଅଛନ୍ତି, ମୁଁ ଏହି ଦଳକୁ ସମ୍ମାନ ଜଣାଉଛି। ଆମେ ଯୋଜନା ଅନୁଯାୟୀ ଖେଳିବୁ ଏବଂ ଜିତିବାର ବିଶ୍ବାସ ରଖିଛୁ। ଫାଇନାଲ୍‌ ପହଞ୍ଚିଥିଲେ ମଧ୍ୟ ଆମ ଉପରେ ଚାପ ରହିଛି ଏବଂ ଏଥିପାଇଁ ଶ୍ରେଷ୍ଠ ଦେବାକୁ ଚେ‌ଷ୍ଟା କରିବୁ। ଏକାଠି ‌ଖେଳିବୁ ଏବଂ ବିପକ୍ଷ ଦଳକୁ ଆମ କିକ୍‌ରେ ଧରାଶାୟୀ କରି‌ବାର ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି କୋୟଲ।

ଅନ୍ୟପକ୍ଷରେ ଏଟିକେର ଆକ୍ରମଣକୁ କ୍ରିଷ୍ଣା ରୟ ଓ ଡେଭିଡ ୱିଲିୟମ୍‌ସ ସମ୍ଭାଳି ଫ‌ାଇନାଲ୍‌ରେ ପହାଞ୍ଚାଇଛନ୍ତି। କ୍ରିଷ୍ଣା ୧୫ ଗୋଲ୍‌ କରି ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ଆଗରେ ରହିଥିଲା ବେଳେ ୱିଲିୟମସ ପ୍ଲେ ଅଫ୍‌ରେ ଯୁଗଳ ଗୋଲ୍‌ କରି ବିପକ୍ଷକୁ ସତର୍କ କରିଛନ୍ତି। ମଧ୍ୟଭାଗକୁ ଏଦୁ ଗାର୍ସିଆ ଓ ଜାଭିଏର ହାର୍ନାନ୍ଦେଜ ସମ୍ଭାଳୁଥିଲା ବେଳେ ୱିଙ୍ଗ୍‌ ବ୍ୟାକ୍‌ ପ୍ରବୀର ଦାସଙ୍କ ଅକ୍ରମଣ କୋଲ୍‌କାତା ଦଳ ପାଇଁ ବଳ ହୋଇଛି। ଆମେ ଫାଇନାଲ୍‌କୁ ଉପ‌ଭୋଗ କରିବା ସହ ଜିତିବା ଲାଗି ଚେଷ୍ଟା କରିବୁ। କିନ୍ତୁ ଆମେ ବିପକ୍ଷ ଦଳକୁ ସମ୍ମାନ ଜଣାଉଛୁ। ଏଠାରେ କେବଳ ଗୋଟିଏ ଫାଇନାଲ୍‌। ତେଣୁ ଖେଳାଳିମାନଙ୍କୁ ଆଉ ଗୋଟିଏ ଫାଇନାଲ୍‌ ଖେଳିବାର ସୁଯୋଗ ନାହିଁ। ୯୦ ମିନିଟ୍‌ ଓ କିଛି ଅଧିକ ସମୟ ମଧ୍ୟରେ ହିଁ ଆମକୁ ବିଜୟ ପାଇଁ ଲଢ଼ିବାକୁ ପଡ଼ିବ। ଏଥିପାଇଁ ସବୁଖେଳାଳି ନିଜର ହୃଦୟ ଓ ମସ୍ତିସ୍କକୁ ଲଗାଇବାକୁ ପଡ଼ିବ ବୋଲି ଏଟିକେ ପ୍ରଶିକ୍ଷକ ଆଣ୍ଟୋନିଓ ହବାସ କହିଛନ୍ତି।

ଲିଗ୍‌ ପର୍ଯ୍ୟାୟ‌ରେ ଉଭୟ ଦଳ ପରସ୍ପରକୁ ପରାସ୍ତ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ଶନିବାରର ଫାଇନାଲ୍‌ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବାର ସମ୍ଭାବନା ରହିଛି। କରୋନା ପାଇଁ ଦର୍ଶକ ଷ୍ଟାଡିୟମରେ ରହି ଖେଳ ଦେଖିପାରିବେନି। ହେଲେ ଷ୍ଟାର‌ ସ୍ପୋର୍ଟ୍ସ, ହଟ୍‌ ଷ୍ଟାର ଓ ଜିଓ ଟି‌ଭିରେ ମ୍ୟାଚ୍‌ର ସିଧାପ୍ରସାରଣ ଫୁଟ୍‌ବଲ୍‌ପ୍ରେମୀ ଦେଖିପାରିବେ। ଦର୍ଶକଶୂନ୍ୟ ଗୋଆ ଷ୍ଟାଡିୟମରେ କିଏ ବିଜୟ ବାନା ଉଡ଼ାଉଛି ତାହା ଉପରେ ସମସ୍ତଙ୍କ ନଜର ରହିବ।

ସମ୍ବନ୍ଧିତ ଖବର