ଧୋନିଙ୍କୁ ଭେଟିବା ପାଇଁ ୧୪୦୦ କିଲୋମିଟର ଚାଲିଲେ

ରାଞ୍ଚି: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିର ସାରା ବିଶ୍ବରେ କୋଟିକୋଟି ପ୍ରଶଂସକ ଅଛନ୍ତି। ସେମାନେ ନିଜର ଏହି ଅତିପ୍ରିୟ ତାରକାଙ୍କ ପାଇଁ କିଛି ବି କରିପାରନ୍ତି। ଧୋନିଙ୍କର ଏଭଳି ଜଣେ ପାଗଳ ପ୍ରଶଂସକ ହେଉଛନ୍ତି ହରିୟାଣା ରାଜ୍ୟ ହିସାର ଜିଲ୍ଲା ଜଲାନ ଖେଡ଼ା ଗ୍ରାମର ୧୮ ବର୍ଷୀୟ କିଶୋର ଅଜୟ ଗିଲ୍। କେବଳ ଧୋନିଙ୍କୁ ଭେଟିବା ଲାଗି ଅଜୟ ଏମିତି ଏକ କାର୍ଯ୍ୟ କରିଛନ୍ତି, ଯେଉଁ କଥା ଜାଣିଲେ ଯେକେହି ବି ଆଶ୍ଚର୍ଯ୍ୟଚକିତ ହୋଇଯିବ। ନିଜ ଆଦର୍ଶ ଧୋନିଙ୍କୁ ମାତ୍ର ୧୦ ମିନିଟ୍ ପାଇଁ ଭେଟିବା ଲାଗି ଅଜୟ ଦୀର୍ଘ ୧୪୦୦ କିଲୋମିଟର ଚାଲିଚାଲି ରାଞ୍ଚିସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଯାଇଥିଲେ। ହେଲେ ଅଜୟ ଯେତେବେଳେ ରାଞ୍ଚିରେ ପହଞ୍ଚିଲେ ଦୁର୍ଭାଗ୍ୟଜନକ ଭାବେ, ସେତେବେଳେ ଧୋନି ଆଇପିଏଲ୍‌-୧୪ର ଅବଶିଷ୍ଟାଂଶ ଲାଗି ଚେନ୍ନାଇ ଚାଲି ଯାଇଥିଲେ। ଅଜୟ କିନ୍ତୁ ଧୋନିଙ୍କୁ ନ ଭେଟିଲେ ରାଞ୍ଚି ଛାଡ଼ିବେ ନାହିଁ ବୋଲି ଜିଦ୍ ଧରି ତାଙ୍କ ବାସଭବନ ସମ୍ମୁଖରେ ବସି ରହିଥିଲେ। ଯିଏ ଯାହା‌ ବୁଝାଇଲେ ବି ମାନି ନଥିଲେ।

ଶେଷରେ ଜଣେ ଯୁବ ବ୍ୟବସାୟୀ ତାଙ୍କ ମନ ବଦଳାଇବାକୁ ସକ୍ଷମ ହୋଇଥିଲେ। ଧୋନି ଆସନ୍ତା ତିନି ମାସ ପର୍ଯ୍ୟନ୍ତ ରାଞ୍ଚି ଫେରିବେ ନାହିଁ ବୋଲି ସଂପୃକ୍ତ ବ୍ୟବସାୟୀ ଜଣକ କହିବା ପରେ ଅଜୟ କେମିତି ଘରକୁ ଫେରିବେ ସେ ଚିନ୍ତାରେ ପଡ଼ି ଯାଇଥିଲେ। ଶେଷରେ ସହୃଦୟ ଯୁବ ବ୍ୟବସାୟୀ ଜଣକ ଅଜୟଙ୍କ ପାଇଁ ରାଞ୍ଚିରୁ ଚଣ୍ଡିଗଡ଼ ଯିବା ଲାଗି ବିମାନ ଟିକେଟ କାଟି ଦେଇଥିଲେ। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଥିଲା ବେଳେ ଅଜୟଙ୍କ ଲୁକ୍ କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କର ଢେର ଧ୍ୟାନ ଆକର୍ଷଣ କରିଥିଲା। କେଶକୁ ହଳଦିଆ, ନାରଙ୍ଗୀ, ଘନନୀଳ ଓ ହାଲ୍‌କା ନୀଳ ରଙ୍ଗରେ ରଙ୍ଗେଇ ଥିଲେ ଅଜୟ। ସେହିଭଳି ନିଜ ମୁଣ୍ଡର କେଶକୁ ଗୋଟିଏ ପଟେ କାଟି ମାହି ଲେଖିଥିଲା ବେଳେ ଅନ୍ୟପଟେ‌ ଧୋନି ଲେଖିଥିଲେ। ଖୋଳତାଡ଼ କରିବା ପରେ ଅଜୟ କହିଥିଲେ ଯେ ଜୁଲାଇ ୨୯ ତାରିଖରେ ହିସାରରୁ ସେ ନିଜ ଅଭିଯାନ ଆରମ୍ଭ କରିଥିଲେ। ଦୀର୍ଘ ୧୬ ଦିନ ଚାଲିବା ପରେ ସ୍ବାଧୀନତା ଦିବସରେ ରାଞ୍ଚି ପହଞ୍ଚିଥିଲେ। ତେବେ ଏତେକଷ୍ଟ ପରେ ମଧ୍ୟ ଧୋନିଙ୍କୁ ନଭେଟିପାରିବା ହିଁ ତାଙ୍କୁ ସବୁଠାରୁ ବେଶି ଦୁଃଖ ଦେଇଛି।

ସମ୍ବନ୍ଧିତ ଖବର