ଚେସ୍‌ରେ ଚମକ, ଜାଫର-ପଙ୍କଜଙ୍କୁ ବିଶ୍ବ ମୁକୁଟ

ଓଡ଼ିଶା ଚେସ୍‌ରେ ଆଉ ଆଗଭଳି ଚମକ ନାହିଁ ସତ କିନ୍ତୁ ଆଇଏମ୍‌ ପଦ୍ମିନୀ ରାଉତଙ୍କ ପ୍ରଦର୍ଶନ ଅତୁଟ ରହିଛି। ବର୍ଷକ ଭିତରେ ତିନି ଥର ଏସୀୟ ସ୍ତରର ପ୍ରତିଯୋଗିତା ଜିତିଛନ୍ତି ଏହି ଭୁବନେଶ୍ବର ଯୁବତୀ। ଏସୀୟ ରୢାପିଡ଼୍‌ରେ ସାଇନା ସଲୋନିକା ସ୍ବର୍ଣ ପଦକ ଏବଂ ରାଜ୍ୟଗୋଷ୍ଠୀ ଚେସ୍‌ରେ ଦେବାଶିଷ ଦାସ, ମନୀଷ କୁମାର, କିରଣ ମନୀଷା ମହାନ୍ତି କାଂସ୍ୟ ପଦକ ଜିତିଥିଲେ। ଆରୁଷୀ ଶ୍ରୀଚନ୍ଦନ ଜାତୀୟ ଏବଂ ଏସୀୟ ବିଦ୍ୟାଳୟ ସ୍ବର୍ଣ୍ଣ ପଦକ ଜିତି ଉଜ୍ବଳ ଭବିଷ୍ୟତ ଭାବେ ଉଭା ହୋଇଛନ୍ତି। ଅପରାଜିତା ଗୋଚ୍ଛିକାର ଭାରତୀୟ ଦଳ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବା ଅନ୍ୟତମ ସ୍ମରଣୀୟ ଘଟଣା ଥିଲା। ଦୃଷ୍ଟିହୀନ ଚେସ୍‌ରେ କିନ୍ତୁ ବରଗଡ଼ ଭାଇ ପ୍ରାଚୁର୍ଯ୍ୟ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କ ଚମକ ଜାରି ରହିଥିଲା। ଏସୀୟ ପାରାକ୍ରୀଡ଼ାରେ ଉଭୟ ରୌପ୍ୟ ପଦକ ଜିତିବା ଉଲ୍ଲେଖନୀୟ ଥିଲା। ଜାତୀୟ ଦୃଷ୍ଟିହୀନ ‘ଏ’ରେ ସୌନ୍ଦର୍ଯ୍ୟ କାଂସ୍ୟ, ଜାତୀୟ ଦୃଷ୍ଟିହୀନ ଚେସ୍‌ରେ ପ୍ରାଚୁର୍ଯ୍ୟ ରୌପ୍ୟ ଏବଂ ସୌନ୍ଦର୍ଯ୍ୟ କାଂସ୍ୟ ଜିତିଥିଲେ।
ବିବାହ ପାଳି

ବିଦାୟୀ ୨୦୧୮ ଓଡ଼ିଶା ଖେଳାଳିଙ୍କ ପାଇଁ ମଧ୍ୟ ବିବାହ ବଂଧନର ବର୍ଷ ଥିଲା। ଓଡ଼ିଶା ରଣଜୀ ଦଳର ଦୁଇ ପ୍ରମୁଖ ଖେଳାଳି ଗୋବିନ୍ଦ ପୋଦ୍ଦାର ଏବଂ ବିପ୍ଳବ ସାମନ୍ତରାୟ ଯଥାକ୍ରମେ ବନ୍ଦିତା ସାହୁ ଏବଂ ପ୍ରାଚୀ ସାହୁଙ୍କ ହାତ ଧରିଥିଲେ। ବିଶ୍ବକପ୍ ବିଜୟିନୀ କବାଡ଼ି ତାରକା ରଶ୍ମିତା ସାହୁ ଜାତୀୟ କବାଡ଼ି ଖେଳାଳି ପ୍ରଦୀପ ଜେନାଙ୍କୁ ଜୀବନ ସାଥୀ କରିଥିଲେ। ହକି ଅଲମ୍ପିିଆନ୍‌ ସୁନିତା ଲାକ୍ରା ବର୍ଷ ‌େଶଷରେ ସୁମନ ଦୀପକ୍‌ ଟପ୍ପୋଙ୍କୁ ବିବାହ କରିଥିଲେ। କିନ୍ତୁ ବର୍ଷ ପ୍ରାରମ୍ଭରେ ବିବାହ ଏବଂ ବର୍ଷ ଶେଷକୁ ପୁତ୍ର ସନ୍ତାନ ପାଇ କ୍ରିକେଟର୍ ହଳଧର ଦାସ ପତ୍ନୀ ଆନି ସାମଲଙ୍କ ନିକଟରେ ଚିର ଋଣି ରହିଗଲେ। ଫୁଟ୍‌ବଲ୍ ଦମ୍ପତ୍ତି ସୁଦୀପ୍ତା ଦାଶ-ଶୁଭେନ୍ଦୁ ପଣ୍ଡା ବି ପୁତ୍ର ସନ୍ତାନ ପାଇଥିଲେ ହକି ବିଶ୍ବକପ୍ ବେଳେ।
ଜାଫର-ପଙ୍କଜଙ୍କୁ ବିଶ୍ବ ମୁକୁଟ
ଦୃଷ୍ଟିହୀନ କ୍ରିକେଟରେ ଓଡ଼ିଶା ଓ ଓଡ଼ିଆଙ୍କ ପ୍ରାଧାନ୍ୟ ଜାରି ରହିଥିଲା। ପୂର୍ବାଞ୍ଚଳ ଦୃଷ୍ଟିହୀନ କ୍ରିକେଟ୍‌ ଦିନିକିଆରେ ଓଡ଼ିଶା ବିଜେତା ହେବାଠାରୁ ଆରମ୍ଭ କରି ଲିଙ୍ଗରାଜ ରାଉତରାଏ ଏବଂ ନକୁଳ ବଡ଼ନାଏକଙ୍କ ଭଳି ନୂଆ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇବା ଥିଲା ପ୍ରମୁଖ ଘଟଣା। ତେବେ ମହମ୍ମଦ ଜାଫର ଇକବାଲ୍ ଏବଂ ପଙ୍କଜ ଭୁଏ ବିଶ୍ବକପ୍ ଜିତିବା ଛୁଇଁଥିଲା ଶିଖର। କିନ୍ତୁ କଟକ ପୁଅ ଅଶ୍ବିନୀ ସାହୁ ବିଶ୍ବ ଦୃଷ୍ଟିହୀନ କ୍ରିକେଟ୍‌ର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବା ଖବର ମିଳିବା ପରେ ଅଧିକ ଆତ୍ମତୃପ୍ତି‌ ଦେଇଥିଲା।
ପୁରସ୍କାର/ସମ୍ମାନ
ଓଡ଼ିଶାର ପୁରସ୍କାର ତାଲିକାରେ ୨୦୧୮ ଯୋଡ଼ିଥିଲା ନୂଆ ଏକ ଫର୍ଦ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ପ୍ରଥମ ବର୍ଷ ପୁରସ୍କାର ଜିତିଥିଲେ ପୂର୍ଣ୍ଣିମା ହେମ୍ବ୍ରମ (ଶ୍ରେଷ୍ଠ ଖେଳାଳି) ଏବଂ ଦେବପ୍ରସାଦ ସିଂହ (ଜୀବନବ୍ୟାପୀ ସେବା)। ବର୍ଷ ପ୍ରାରମ୍ଭରେ ଦୀପ୍‌ସାନ ତିର୍କି ଏବଂ ‌ବର୍ଷ ଶେଷରେ ଲିଲିମା ମିଞ୍ଜ୍‌ ଜିତିଥିଲେ ଏକଲବ୍ୟ ପୁରସ୍କାର। ଅମିୟ ମଲ୍ଲିକ, ଦୀପ୍‌ଗ୍ରେସ୍ ଏକ୍କା, ଝିଲ୍ଲୀ ଦଳବେହେରା ଏବଂ ଋତୁପର୍ଣ୍ଣା ପଣ୍ଡା ବି ହାତେଇଥିଲେ ଏକଲବ୍ୟ ସମ୍ମାନ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର କିନ୍ତୁ ହାତେଇଥିଲେ ସୁନୀତା ଲାକ୍ରା, ଅମିତ ରୋହିଦାସ (ଶ୍ରେଷ୍ଠ ଖେଳାଳି), ସଂଜୟ ଗଡ଼ନାୟକ (ଶ୍ରେଷ୍ଠ ପ୍ରଶିକ୍ଷକ), ନାରାୟଣ ସାହୁ-ଓଏମ୍‌ସି (କ୍ରୀଡ଼ା ପ୍ରଶାସନ) ଏବଂ ସୁଜିତ ଦାସ (ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ)। ରାଜେଶ ଧୂପର ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ କ୍ରିକେଟର୍‌ ଅଫ ଦି ଇୟର, ସୁନୀତା ଲାକ୍ରା, ଜୟନ୍ତୀ ବେହେରା, କୃଷ୍ଣକାନ୍ତ ପଣ୍ଡା, ମଞ୍ଜୁଲତା ଦାସ, ରଂଜନ ସୋରେନ, ସୁନୀଲ ସୋରେନଙ୍କୁ ମିଳିଥିଲା ସ୍ପୋର୍ଟସଲଗ୍‌ଅନ୍ ପୁରସ୍କାର। ରଘୁନାଥ ମଲ୍ଲ ଏବଂ ନିର୍ମଳ ମିଶ୍ରଙ୍କୁ ମିଳିଥିଲା ସରୋଜ ମହାସୁଆର ସମ୍ମାନ।
କରାଟେ ଉତ୍କଳୀୟ
ଓଡ଼ିଶାରେ କରାଟେର ସବୁ ସଫଳତାର କେନ୍ଦ୍ରବିନ୍ଦୁ ଥିଲା ଉତ୍କଳ କରାଟେ ସ୍କୁଲ। ଏଠାରେ ପ୍ରଶିକ୍ଷିତ ପିଲାମାନେ ହିଁ ଅର୍ଜନ କରିଥିଲେ ସବୁ ସଫଳତା। ଜାତୀୟ ପ୍ରତିଯୋଗିତାରେ ପାୟଲ ବରାଳ ଥିଲେ ଶ୍ରେଷ୍ଠ ଉଦାହରଣ। ଜାତୀୟ କନିଷ୍ଠରେ ଓଡ଼ିଶା ୬ ପଦକ ଜିତିବା, ଉପକନିଷ୍ଠରୁ ୫ ପଦକ ଆଣିବାର ସଫଳତା ଦକ୍ଷିଣ ଏସୀୟ କ୍ରୀଡ଼ାର ୩ ପଦକରେ ଶେଷ ହୋଇଥିଲା। ସର୍ବଭାରତୀୟ କରାଟେରେ ୨୧୭ ପଦକ ଜିତି ଉତ୍କଳ କରାଟେ ସ୍କୁଲ୍ ବି ବିଜେତା ମୁକୁଟ ହାତେଇଥିଲା। ଜାତୀୟ କରାଟେରେ ଭାଲିନା ଭାଲେଣ୍ଟିନା ସ୍ବର୍ଣ୍ଣ ଜିତିଥିଲେ, ତାଙ୍କ ବିଦ୍ୟାଳୟ ଭିଭିକୁ ମିଳିଥିଲା ରାଜ୍ୟଗୋଷ୍ଠୀ କରାଟେରୁ ୧୬ ପଦକ।
ପ୍ରତ୍ୟାଶା ପ୍ରତିଭା
ଜଳକ୍ରୀଡ଼ାରେ ଓଡ଼ିଶାର ପ୍ରତ୍ୟାଶା ରାୟ ଜାତୀୟ କନିଷ୍ଠ, ଖେଲୋ ଇଣ୍ଡିଆ, ଜାତୀୟ ବିଦ୍ୟାଳୟ କ୍ରୀଡ଼ାରୁ ଅଧା ଡଜନ ପଦକ ଜିତିଥିଲେ। ଜାତୀୟ କାନୋଇଂ ଓ କାୟାକିଂରେ ଓଡ଼ିଶା ଉପବିଜେତା ହୋଇଥିଲା। ଏସୀୟ କନିଷ୍ଠ ରୋଇଂରେ ୪ ଜଣ ଓଡ଼ିଆ ସ୍ବର୍ଣ୍ଣ ପଦକ ଜିତିବା ବଡ଼ ଖବର ଥିଲା।
ଝିଲ୍ଲୀ ଝଲକ
ଭାରୋ‌େତ୍ତାଳନରେ ବର୍ଷସାରା ଝିଲ୍ଲୀ ଦଳ‌ ବେହେରାଙ୍କ ଚମକ ଝଲସି ଉଠିଥିଲା। ଜାତୀୟ କାଂସ୍ୟରୁ ଅଭିଯାନ ଆରମ୍ଭ କରି ଏହି ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଝିଅ ଜାତୀୟ ଯୁବରୁ ସ୍ବର୍ଣ୍ଣ, ଜାତୀୟ କନିଷ୍ଠରୁ ରୌପ୍ୟ ଏବଂ ବିଶ୍ବ କନିଷ୍ଠରୁ କାଂସ୍ୟ ପଦକ ଜିତିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଶୀଳା ମାଝୀ, ଭକ୍ତରାମ ଦେଠୀ, ସ୍ନେହା ସୋରେନ, ନନ୍ଦନ ସାହୁ, ଘାସିରାମ ମାଝୀ, ସଚିନ ରାଉତ ମଧ୍ୟ ଜାତୀୟ ଏବଂ ଖେଲୋ ଇଣ୍ଡିଆରୁ ପଦକ ଜିତିବାର ଉଦାହରଣ ରଖିଥିଲେ।

ସମ୍ବନ୍ଧିତ ଖବର