ଜାପାନ ଓପନ୍‌ କ୍ୱାର୍ଟର୍‌ରେ ଶ୍ରୀକାନ୍ତ, ସିନ୍ଧୁ, ପ୍ରଣୟ ବିଦା

ଟୋକିଓ: ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି କିଦାମ୍ବି ଶ୍ରୀକାନ୍ତ ୭୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଜାପାନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏକ ମାତ୍ର ଭାରତୀୟ ଭାବେ କେବଳ ଶ୍ରୀକାନ୍ତ ଏହି ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି। ତେବେ ମହିଳା ଏକକରୁ ଭାରତର ଶୀର୍ଷ ମାନ୍ୟତା ଖେଳାଳି ପିଭି ସିନ୍ଧୁ ଦ୍ୱିତୀୟ ପର୍ଯ୍ୟାୟ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ସେହପରି ପୁରୁଷ ଏକକରେ ଏଚ୍‌ ଏସ୍‌ ପ୍ରଣୟ, ପୁରୁଷ ଯୁଗଳରେ ମନୁ ଅତ୍ରି-ବି ସୁମିତ ରେଡ୍ଡୀ ଏବଂ ମିଶ୍ରିତ ଯୁଗଳରେ ପ୍ରଣବ ଜେରି ଚୋପ୍ରା-ଏନ୍‌ ସକ୍କି ରେଡ୍ଡୀ ଯୋଡ଼ି ଏହି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଗୁରୁବାର ପୁରୁଷ ଏକକ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଶ୍ରୀକାନ୍ତ ୨୧-୧୫, ୨୧-୧୪ରେ ହଂକଂର ଭିନ୍‌ସେଣ୍ଟ୍‌ ଓ୍ଵଙ୍ଗ୍‌ ଓ୍ଵିଙ୍ଗ୍‌ କିଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ସପ୍ତମ ମାନ୍ୟତା ଏହି ଭାରତୀୟ ତାରକା କ୍ୱାର୍ଟର୍‌ ଫାଇନାଲ୍‌ରେ କୋରିଆର ଲି ଡଙ୍ଗ୍‌ କିଉଁଙ୍କୁ ଭେଟିବେ। ହେଲେ ମହିଳା ଏକକରେ ତୃତୀୟ ମାନ୍ୟତା ସିନ୍ଧୁ ୧୮-୨୧, ୧୯-୨୧ରେ ଚତୁର୍ଦଶ ମାନ୍ୟତା ଚୀନ୍‌ର ଜାଓ ଫାଙ୍ଗ୍‌ଜିଙ୍କଠୁ ଏବଂ ପୁରୁଷ ଏକକରେ ପ୍ରଣୟ ୧୪-୨୧, ୧୭-୨୧ରେ ଇଣ୍ଡୋନେସିଆର ଆନ୍ଥୋନୀ ସିନିସୁକା ଜିଣ୍ଟିଙ୍ଗ୍‌ଙ୍କଠୁ ହାରି ଯାଇଥିଲେ। ସେହପରି ପୁରୁଷ ଯୁଗଳରେ ମନୁ-ସୁମିତ ୧୮-୨୧, ୨୧-୧୬, ୧୨-୨୧ରେ ଚୀନ୍‌ ଯୋଡ଼ି ହେ ଜିଟିଙ୍ଗ୍‌ ଓ ଟାନ୍‌ କ୍ୱିଆଙ୍ଗ୍‌ଙ୍କଠୁ ଏବଂ ମିଶ୍ରିତ ଯୁଗଳରେ ପ୍ରଣବ-ସିକ୍କି ୧୬-୨୧, ୧୬-୨୧ରେ ମାଲେସିଆ ଯୋଡ଼ି ପେଙ୍ଗ୍‌ ସୁନ୍‌ ଚାଙ୍ଗ୍‌-ଲିଉ ୟିଙ୍ଗ୍‌ ଗୋଙ୍କଠୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର