ଜାପାନର ଜବରଦସ୍ତ ବିଜୟ

ପ୍ରଥମ ଏସୀୟ ଦେଶ ଭାବେ ଦକ୍ଷିଣ ଆମେରିକୀୟ ଦଳକୁ ହରାଇଲା

୧୦ ଜଣିଆ କଲମ୍ବିଆ ୧-୨ରେ ପରାସ୍ତ
ସାରାଂଶ: ଚଳିତ ଫିଫା ବିଶ୍ୱକପ୍‌ରେ ଆଉ ଏକ ଏସୀୟ ଦଳ ବିଜୟୀ ହୋଇଛି। ୨୦୦୨ ମସିହାର ଯୁଗ୍ମ ଆୟୋଜନ ଜାପାନ ମଙ୍ଗଳବାର ଦକ୍ଷିଣ ଆମେରିକୀୟ ଦଳ କଲମ୍ବିଆକୁ ୨-୧ ଗୋଲ୍‌ରେ ହରାଇ ଦେଇଛି। ପୂର୍ବରୁ ଇରାନ୍‌ ନିଜର ପ୍ରଥମ ମ୍ୟାଚ୍‌ ଜିତିଥିବାବେଳେ ଏବେ ଜାପାନର ବିଜୟ ଏସୀୟ ଶକ୍ତିର ଅଭୁ୍ୟୁଦୟ କରିଛି। ପ୍ରଥମ ଏସୀୟ ଦେଶ ଭାବେ ଜାପାନ ମଧ୍ୟ ଏକ ଦକ୍ଷିଣ ଆମେରିକୀୟ ଦେଶକୁ ହରାଇଛି। ଏହି ବିଜୟ ସହିତ ଜାପାନ ମଧ୍ୟ ଗ୍ରୁପ୍‌ ‘ଏଚ୍‌’ରୁ ଅପ୍ରତ୍ୟାଶିତ ଭାବେ ପ୍ରି-କ୍ୱାର୍ଟର ପ୍ରବେଶ ସମ୍ଭାବନା ସୃଷ୍ଟି କରିଛି।
ମଙ୍ଗଳବାରର ଏହି ମ୍ୟାଚ୍‌ ଘଟଣାବହୁଳ ଥିଲା। ଲାଲ୍‌ କାର୍ଡ ପାଇଁ ପ୍ରଥମରୁ ୧୦ ଜଣିଆ ଖେଳିଥିବା କଲମ୍ବିଆ ମ୍ୟାଚ୍‌କୁ ପ୍ରଥମାର୍ଧ ସୁଦ୍ଧା ୧-୧ରେ ଶେଷ କରିଥିଲେ ମଧ୍ୟ ଦ୍ୱିତୀୟାର୍ଧରେ ଜାପାନ ନିଜର ଆକ୍ରମଣାତ୍ମକ ଫୁଟ୍‌ବ୍‌ଲ ପାଇଁ ବିଜୟ ଛଡ଼ାଇନେଇଥିଲା। ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ପେନାଲ୍‌ଟିରୁ ସିନ୍‌ଜି କାଓ୍ଵାଗା ଗୋଲରେ ପରିଣତ କରିଥିଲେ। ୟୁୟା ଓସାକା କଲମ୍ବିଆ ରକ୍ଷଣଭାଗକୁ ସ୍ପଷ୍ଟ ଭାବେ ପ୍ରବେଶ କରିଥିବାବେଳେ ତାଙ୍କ ସଟ୍‌କୁ ଡେଭିଡ୍‌ ଓସ୍‌ପିନା ରୋକିଥିଲେ। କିନ୍ତୁ ତାଙ୍କୁ ପିଛା କରୁଥିବା ସିନଜି କାଓ୍ଵାଗା ପ୍ରୟାସ କରୁଥିବାବେଳେ କାର୍ଲୋସ୍‌ ସାଞ୍ଚେଜ୍‌ ଏହାକୁ ରୋକିବାକୁ ଯାଇ ହ୍ୟାଣ୍ଡ୍‌ବଲ୍‌ର ଶିକାର ହୋଇଥିଲେ। ସାଞ୍ଚେଜ ଲାଲ୍‌ କାର୍ଡ ପାଇବା ପରେ ପୂର୍ବତନ ମାଞ୍ଚେଷ୍ଟର୍‌ ୟୁନାଇଟେଡ୍‌ ତାରକା କାଓ୍ଵାଗା ଜାପାନକୁ ୧-୦ରେ ଆଗୁଆ କରାଇଥିଲେ। କିନ୍ତୁ ୩୯ତମ ମିନିଟରେ ଜୁଆନ୍‌ କ୍ୟୁଣ୍ଟେରୋଙ୍କ ଗୋଲ୍‌କୁ କଲମ୍ବିଆକୁ ଆଶ୍ୱସ୍ତ କରିଥିଲେ। ଦ୍ୱିତୀୟାର୍ଧରେ କଲମ୍ବିଆ ନିଜ ରକ୍ଷଣଭାଗକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଥିଲେ ମଧ୍ୟ ବଦଳ ଖେଳାଳି କେସୁକ ହୋଣ୍ଡାଙ୍କ ଆଗମନ ପରେ ଜାପାନ ଗୋଲ୍‌ମୁହଁରେ ଘନ ଘନ ଆକ୍ରମଣ କରିଥିଲା। ୭୩ତମ ମିନିଟ୍‌ରେ ୟୁୟା ଓସାକାଙ୍କ ଚମତ୍କାର ହେଡର୍‌ ଜାପାନକୁ ବିଜୟୀ କରାଇବାରେ ଯଥେଷ୍ଟ ହୋଇଥିଲା। କଲମ୍ବିଆର ଗୋଲ୍‌ମୁହଁରୁ ୩/୪ ଜଣ ରକ୍ଷଣଭାଗ ଖେଳାଳିଙ୍କ ଭିତରୁ ଡେଇଁ ଓସାକା ଏହି ହେଡର୍‌କୁ ଠିକଣା ଦିଶା ଦେଖାଇଥିଲେ। ନିଜର ଅଷ୍ଟମ ଅନ୍ତର୍ଜାତୀୟ ଗୋଲ୍‌ ସହିତ ଜାପାନକୁ ସ୍ମରଣୀୟ ବିଜୟ ଦେଇଥିଲେ। ଏହି ଗୋଲ୍‌ରେ କେସୁକ୍‌ ହୋଣ୍ଡାଙ୍କ ଅବଦାନ ଥିଲା। ଜାପାନର ଶେଷ ୮ ଗୋଲ୍‌ରେ ହୋଣ୍ଡା ୩ ଦେଇଥିବାବେଳେ ଅନ୍ୟ ୩ଟିରେ ସହାୟତା କରିଛନ୍ତି।

ସମ୍ବନ୍ଧିତ ଖବର