୩୫ ବର୍ଷୀୟା ଦ୍ରୁତ ବୋଲର ଝୁଲନ ଗୋସ୍ୱାମୀ ଟି-୨୦ ଅନ୍ତର୍ଜାତୀୟରୁ ନେଲେ ସନ୍ୟାସ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ଦ୍ରୁତ ବୋଲର ଝୁଲନ ଗୋସ୍ୱାମୀ ଗୁରୁବାର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ୩୫ ବର୍ଷୀୟା ମହିଳା କ୍ରିକେଟର ୬୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ଏହା ଦ୍ୱାରା ତାଙ୍କର ଆଗାମୀ ନଭେମ୍ବରରେ େଓ୍ଵଷ୍ଟଇଣ୍ଡିଜରେ ବିଶ୍ୱ ଟି-୨୦ ଖେଳିବାର ସମ୍ଭାବନା ଶେଷ ହୋଇ ଯାଇଛି। ଝୁଲନ ଶେଷ ଟି-୨୦ କୁଆଲାଲମ୍ପୁର ଠାରେ ଗତ ଜୁନ୍‌ରେ ଖେଳିଥିଲେ।

ଝୁଲନ ନିଜର ଟି-୨୦ କ୍ୟାରିୟରରେ ମୋଟ ୫୬ଟି ଓ୍ଵକେଟ୍‌ ନେଇଛନ୍ତି। ତାଙ୍କର ସର୍ବଶ୍ରେଷ୍ଠ ବୋଲି ୫/୧୧। ଝୁଲନ ଟେଷ୍ଟ ଓ ଦିନିକିଆରେ ଖେଳ ଜାରି ରଖିବେ। ସେ ଜାନୁଆରି ୨୦୦୨ରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ରଖିଥିଲେ।

ଝୁଲନ ଟି-୨୦ ଅନ୍ତର୍ଜାତୀୟରେ ଭାରତ ପକ୍ଷରୁ ସର୍ବାଧିକ ୫୬ଟି ଓ୍ଵିକେଟ୍‌ ନେଇ ନିଜର ରେକର୍ଡ ସ୍ଥାପନା କରିଛନ୍ତି। ସେ ଦିନିକିଆରେ ୨୦୩ଟି ଓ୍ଵିକେଟ ନେଇଛନ୍ତି। ବିଗତ କିଛି ଦିନ ହେବ ଛୋଟ ଫର୍ମାଟରେ ଝୁଲନଙ୍କୁ ଓ୍ଵିକେଟ୍‌ ମିଳି ନଥିବାରୁ ଆଲୋଚନା ହୋଇଛି। ଏସିଆ କପ୍‌ରେ ବାଂଲାଦେଶ ଠାରୁ ଫାଇନାଲ ସମେତ ୨ ଥର ହାରିବା ଦ୍ୱାରା ଟିମ୍‌ର ପ୍ରଦର୍ଶନ ନେଇ ବହୁ ସମାଲୋଚନା ହୋଇଛି। ଝୁଲନଙ୍କୁ ୪ଟି ମ୍ୟାଚରେ କେବଳ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର