କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ : ଜର୍ମାନି-ଆର୍ଜେଣ୍ଟିନା ଫାଇନାଲ୍‌

କାଂସ୍ୟ ପାଇଁ ଫ୍ରାନ୍ସ ସହ ଖେଳିବ ଭାରତ

ଭୁବନେଶ୍ବର: ଶୁକ୍ରବାରର ଦ୍ବିତୀୟ ସେମିଫାଇନାଲ୍‌ରେ ଗତଥରର ବିଜେତା ଭାରତ ଭେଟିଥିଲା କନିଷ୍ଠ ବିଶ୍ବକପ୍‌ର ସଫଳ ଦଳ ଜର୍ମାନିକୁ। ୧୧ ଥରର ସେମିଫାଇନାଲିଷ୍ଟ ଏବଂ ୬ ଥରର ବିଜେତା ଜର୍ମାନି ଏହି ସେମିଫାଇନାଲ୍‌ରେ ନିଜ ଆଧିପତ୍ୟ ବିସ୍ତାର କରିଥିଲା। ଶେଷରେ ଏହି ଦଳ ୪-୨ ଗୋଲ୍‌ରେ ଭାରତକୁ ତା’ ଘରୋଇ ମାଟିରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ଭାରତର ଘରୋଇ ମାଟିରେ ଲଗାତାର ଦ୍ବିତୀୟ ବିଶ୍ବକପ୍‌ ଜିତିବାର ସ୍ବପ୍ନ ଭାଙ୍ଗିଯାଇଥିଲା। ଗତ ଲକ୍ଷ୍ନୌ ସଂସ୍କରଣରେ ଭାରତ ବିଜେତା ହେଇଥିଲା। ଜର୍ମାନି ରବିବାର ଫାଇନାଲ୍‌ରେ ଆର୍ଜେଣ୍ଟିନାକୁ ଭେଟିବାକୁ ଥିଲା ବେଳେ ଭାରତ ତୃତୀୟ ସ୍ଥାନ ପାଇଁ ସେହିଦିନ ଫ୍ରାନ୍ସକୁ ଭେଟିବ। ଜର୍ମାନିର ମାସି ଫାନୋଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ମ୍ୟାଚ୍‌ ଆରମ୍ଭରୁ ଅତିଥି ଭାବେ ଆଡ୍‌ଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଯୋଗଦେଇଥିଲେ।

ପ୍ରଥମ କ୍ବାର୍ଟରରେ ଭାରତ ୦-୧ରେ ପଛୁଆ
ପ୍ରଥମ କ୍ବାର୍ଟରର ପଞ୍ଚମ ମିନିଟ୍‌ରେ ଜର୍ମାନି ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା। ଏହାକୁ ଭାରତର ଗୋଲ୍‌ରକ୍ଷକ ପ୍ରଶାନ୍ତ ଚୌହାନ ଅଟକାଇ ଦଳକୁ ବଞ୍ଚାଇଥିଲେ। ତେବେ ଏହି କ୍ବାର୍ଟର ଶେଷ ହେବାକୁ ଆଉ ମାତ୍ର ୨୫ ସେକେଣ୍ଡ ଥିଲା ବେଳେ ଜର୍ମାନି ଆଉ ଏକ ପେନାଲ୍‌ଟି କର୍ଣ୍ଣର ହାତେଇ ନେଇଥିଲା। ଏହାକୁ ଏରିକ କ୍ଲେନଲିନ୍‌ (୧୫ ମିନିଟ୍‌) ଗୋଲ୍‌ରେ ପରିଣତ କରି ଦଳକୁ ଅଗ୍ରଣୀ ‌ଦେଇଥିଲେ। ହେଲେ ଏହାର ୨୦ ସେକେଣ୍ଡ ପରେ ଭାରତ ଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇ ପ୍ରଥମ କ୍ବାର୍ଟର ୦-‌୧ରେ ପଛୁଆ ରହିଥିଲା।

ଦ୍ବିତୀୟ କ୍ବାର୍ଟରରେ ଜର୍ମାନି-୨, ଭ‌ାରତ-୧
ଏହି କ୍ବାର୍ଟରରେ ଜର୍ମାନି ୨ ଏବଂ ଭାରତ ଗୋଟିଏ ଗୋଲ୍‌ ଦେଇଥିଲା। ପ୍ରଥମ ୬ ମିନିଟ୍‌ ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ତେବେ ୨୧ତମ ମିନିଟ୍‌ରେ ଜର୍ମାନିର ଫିଲିପ ହୋଲ୍‌ଜ ମୁଲେର ଫିଲ୍ଡ ଗୋଲ୍‌ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ୨୪ତମ ମିନିଟ୍‌ରେ ଜର୍ମାନି ଅଧିନାୟକ ହାନେସ ମୁଲେର ଏକ ଫିଲ୍ଡ ଗୋଲ୍‌ କରିଥିଲେ। ଏହି ଗୋଲ୍‌ ବଳରେ ଜର୍ମାନି ୩-୦ରେ ଅଗ୍ରଣୀ ପାଇଥିଲା। ତେବେ ୨୫ତମ ମିନିଟ୍‌ରେ ଉତ୍ତମ ସିଂହ (୨୫ ମିନିଟ୍‌) ଫିଲ୍ଡ ଗୋଲ୍‌ ଜରିଆରେ ଗୋଟିଏ ଗୋଲ୍‌ ଶୁଝି ସ୍ଥିତି ୧-୩ କରିଥିଲେ। କିନ୍ତୁ ଏହାର କିଛି ସେକେଣ୍ଡ ପରେ ଜର୍ମାନି ପେନାଲ୍‌ଟି କର୍ଣ୍ଣର ଅର୍ଜନ କରିନେଇଥିଲା। ହେଲେ ଏହାକୁ ଗୋଲ୍‌ରେ ପରିଣତ କରିପାରିନଥିଲେ ମଧ୍ୟ ଦଳ ପେନାଲ୍‌ଟି ସୁଟ୍‌ ଅର୍ଜନ କରିଥିଲା। ପେନାଲ୍‌ଟି ସୁଟ୍‌କୁ କ୍ରି‌ଷ୍ଟୋଫର କୁଟର ଗୋଲ୍‌ରେ ପରିଣତ କରି ପ୍ରଥମାର୍ଦ୍ଧରେ ଦଳକୁ ୪-୧ରେ ଆଗୁଆ ରଖିଥିଲେ।

ତୃତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟ
ଗୋଲ୍‌ଶୂନ୍ୟ ଭାବେ ଶେ‌ଷ ହୋଇଥିଲା ତୃତୀୟ କ୍ବାର୍ଟର। ଏହି କ୍ବାର୍ଟରରେ ଉଭୟ ଦଳ ଅକ୍ରମଣ ପ୍ରତିଅକ୍ରମଣ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲେ। ଭାରତୀୟ ରକ୍ଷଣଭାଗ ଚମତ୍କାର ପ୍ରଦର୍ଶନ କରିଥିଲା ଏହି କ୍ବାର୍ଟରରେ। ‌ଜର୍ମାନିର ଅନେକ ଅକ୍ରମଣକୁ ପ୍ରତିହିତ କରିଦେଇଥିଲା। ଫଳରେ ଜର୍ମାନି ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲା।

ଚତୁର୍ଥ କ୍ବାର୍ଟରରେ ବବିଙ୍କ ସାନ୍ତ୍ବନା
ଚତୁର୍ଥ କ୍ବାର୍ଟରରେ ଭାରତ ଲୟକୁ ଫେରି ଚମତ୍କାର ପ୍ରଦର୍ଶନ କରି ଜର୍ମାନିକୁ ଅଟକାଇ ଦେଇଥିଲା। ଏହି କ୍ବାର୍ଟରର ଶେଷ ପର୍ଯ୍ୟନ୍ତ ଜର୍ମାନିକୁ ସୁଯୋଗ ଦେଇନଥିଲା। ଏପରିକି ‌ଜର୍ମାନିକୁ ୫୨ତମ ମିନିଟ୍‌ରେ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ବି ଭାରତୀୟ ଗୋଲ୍‌ରକ୍ଷକ ବିଫଳ କରିଥିଲେ। କିନ୍ତୁ ଶେଷ ମିନିଟ୍‌ରେ ବବି ସିଂହ ଧାମି ଫିଲ୍ଡ ଗୋଲ୍‌ ଦେଇ ଭାରତର ପରାଜୟ ବ୍ୟବଧାନକୁ କମାଇଥିଲେ।

ପଞ୍ଚମ ସ୍ଥାନ ପାଇଁ ଲଢ଼ିବେ ବେଲ୍‌ଜିୟମ-ନେଦରଲାଣ୍ଡ୍ସ
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ପଞ୍ଚମ ସ୍ଥାନ ପାଇଁ ବେଲ୍‌ଜିୟମ ଓ ନେଦରଲାଣ୍ଡ୍ସ ମୁହାଁମୁହିଁ ହେବେ। ‌ଶୁକ୍ରବାର ପଞ୍ଚମରୁ ଅଷ୍ଟମ ସ୍ଥାନ ପାଇଁ ହୋଇଥିବା ପ୍ରଥମ ମ୍ୟାଚ୍‌ରେ ବେଲ୍‌ଜିୟମ ୪-୩ (୨-୨) ସୁଟ୍‌ଆଉଟ୍‌ରେ ସ୍ପେନ୍‌କୁ ପରାସ୍ତ କରିଥିଲା। ସେହଭଳି ‌ଦ୍ବିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୯-୩ ଗୋଲ୍‌ରେ ମାଲେସିଆକୁ ହରାଇଥିଲା। ପଞ୍ଚମ ସ୍ଥାନ ଲାଗି ମ୍ୟାଚ୍‌ ରବିବାର ଖେଳାଯିବ। ‌‌ସେହିଦିନ ମଧ୍ୟ ସପ୍ତମ ସ୍ଥାନ ପାଇଁ ମ୍ୟାଚ୍‌ ଖେଳିଯିବ। ଏଥି‌ରେ ଆଜିର ଦୁଇ ପରାଜିତ ଦଳ ସ୍ପେନ୍‌ ଓ ମାଲେସିଆ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର