ପଦାର୍ପଣ ଶୃଙ୍ଖଳାରେ କହ୍ନାଇଙ୍କ ଉପଦେଶ ଅବିଶ୍ବସନୀୟ: ଗାଭାସ୍କର

ନୂଆଦିଲ୍ଲୀ: ଭାରତୀୟ କିଂବଦନ୍ତି ବ୍ୟାଟ୍ସମ୍ୟାନ୍‌ ସୁନିଲ ଗାଭାସ୍କର ୧୯୭୧ ମସିହାରେ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷରେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ଏହି ପଦାର୍ପଣ ଶୃଙ୍ଖଳାରେ ଗାଭାସ୍କରଙ୍କୁ ପ୍ରତିପକ୍ଷ ଇଣ୍ଡିଜ୍‌ର ମହାନ୍‌ କ୍ରିକେଟର୍‌ ରୋହନ କହ୍ନାଇ କିଛି ଉପଦେଶ ଦେଇଥିଲେ। ବିପକ୍ଷ ଦଳରେ ଥାଇ କହ୍ନେଇଙ୍କ ଉପଦେଶ ଗାଭାସ୍କରଙ୍କୁ ଏବେ ବି ଅବିଶ୍ବାସ ଲାଗୁଛି ବୋଲି ରବିବାର ଏକ ସାକ୍ଷାତକାରରେ ସେ ପୁରୁଣା ସ୍ମୃତିକୁ ମନେ ପକାଇ କହିଛନ୍ତି। ଏହା ମୋର ପଦାର୍ପଣ ଶୃଙ୍ଖଳା ଥିଲା। ମୁଁ ଖରାପ ସଟ୍‌ ଖେଳିଥିଲି। ଯାହା ମୋ ମୁଣ୍ଡ ଉପର ଦେଇ ସ୍ଲିପ୍‌ରେ ଯାଇଥିଲା। ଏହା ଦେଖି ୱିକେଟ୍‌ରକ୍ଷକ ଥିବା କହ୍ନାଇ ମୋ ପାଖକୁ ଆସି କାନରେ କହିଥିଲେ ‘ଏକାଗ୍ରତା ରଖ, ଶତକ ଚାହୁଁନ କି?’ ସେ ମୋ ପ୍ରତିଦ୍ବନ୍ଦ୍ବୀ ଦଳର ଥିଲେ ମଧ୍ୟ ମୋତେ ଚିଡ଼ାଇବାକୁ ଚାହୁଁନଥିଲେ, ବରଂ ଉତ୍ସାହିତ କରିଥିଲେ। ପ୍ରକୃତରେ ମୁଁ ଶତକ ମାରେ ବୋଲି ସେ ଚାହୁଁଥିଲେ।

ଜଣେ ପ୍ରତିପକ୍ଷ ଖେଳାଳିଙ୍କଠୁ ଏଭଳି ସମର୍ଥନ ନିଶ୍ଚିତ ଅବିଶ୍ବସନୀୟ ଥିଲା ବୋଲି ଗାଭାସ୍କର ‘୨୨ ୟାର୍ନସ’ ସୋ’ରେ ଗୌରବ କାପୁରଙ୍କୁ କହିଛନ୍ତି। ଏହା ପରେ ଗାଭାସ୍କର ଏବଂ ‌କହ୍ନାଇ ଭଲ ବନ୍ଧୁ ହୋଇଯାଇଥିଲେ। ଯେଉଁଥିପାଇଁ ଗାଭାସ୍କର ନିଜ ପୁଅର ନାମ କହ୍ନାଇଙ୍କ ନାମର ପ୍ରଥମ ଶବ୍ଦ ରୋହନ ରଖିଥିଲେ। ତାଙ୍କ ବ୍ୟାଟିଂ ଛଡ଼ା ସେ ମୋତେ ସବୁବେଳେ ଉତ୍ସାହିତ କରୁଥିଲେ। ପଡ଼ିଆ ବାହାରେ ମୁଁ ଭେଟିଥିବା ଲୋକଙ୍କ ମଧ୍ୟରେ ସେ (କହ୍ନାଇ) ଶ୍ରେଷ୍ଠ ଥିଲେ। ଏଥିପାଇଁ ବିନା ଚିନ୍ତାରେ ମୋ ପୁଅ ନାଁ ରୋହନ ରଖିଥିଲି ବୋଲି ଗାଭାସ୍କର କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଗାଭାସ୍କର ଭାରତ ପାଇଁ ତାଙ୍କ ପ୍ରଥମ ଶୃଙ୍ଖଳାରେ ହିଁ ୩ ଶତକ ଏବଂ ଗୋଟିଏ ଦ୍ବିଶତକ ଜମାଇଥିଲେ।

ସମ୍ବନ୍ଧିତ ଖବର