କଳିଙ୍ଗ ଗଲ୍‌ଫ: ଲଖି, ରବିନ୍ଦର ବିଜେତା

ଭୁବନେଶ୍ୱର,: ରବିବାର ଭୁବନେଶ୍ୱର ଗଲ୍‌ଫ କୋର୍ସରେ କଳିଙ୍ଗ ଗଲ୍‌ଫ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନ୍ଦାଶୁ ରବିନ୍ଦର, ଲଖି ସ୍ୱାଇଁ, ଶୁଭ୍ରା ମିଶ୍ର, ଅଜୟ ପଟ୍ଟନାୟକ ପ୍ରମୁଖ ନିଜ ନିଜ ବର୍ଗରେ ବିଜେତା ହୋଇ ନୂଆ ଋତୁର ଶୁଭାରମ୍ଭ କରିଛନ୍ତି। ୦-୧୮ ହ୍ୟାଣ୍ଡିକ୍ୟାପ୍‌ ବର୍ଗରେ ଅନ୍ଦାଶୁ ରବିନ୍ଦର (୮୪) ବିଜେତା ହୋଇଥିବାବେଳେ ରଜନୀଶ ଦାସ (୮୮) ଉପ ବିଜେତା ହୋଇଥିଲେ। ଅଜୟ ନେଗି (୮୫) ଶ୍ରେଷ୍ଠ ଗ୍ରସ୍‌ ପୁରସ୍କାର ପାଇଥିଲେ। ସବୁଠାରୁ ବଡ଼ ବ୍ୟତିକ୍ରମ ଥିଲା ପୁରୁଷଙ୍କ ବର୍ଗରେ ଖେଳିଥିବା ଏକମାତ୍ର ମହିଳା ଗଲ୍‌ଫର ଲଖି ସ୍ୱାଇଁ ନିଜ ଆଧିପତ୍ୟ ବଜାୟ ରଖି ୧୯-୨୪ ହ୍ୟାଣ୍ଡିକ୍ୟାପ୍‌ ବର୍ଗରେ ବିଜୟିନୀ ହୋଇଥିଲେ। ୩୮ ଜଣ ପୁରୁଷଙ୍କୁ ପରାସ୍ତ କରି ଏହି ଅନ୍ତର୍ଜାତୀୟ ଅଭିଜ୍ଞ ମହିଳା ୯୨ ଷ୍ଟୋକ୍‌ ସହ ଟ୍ରଫି କରାୟତ କରି ନେଇଥିଲେ। ଭୂପିନ୍ଦର ସିଂହ ୯୩ ସ୍କୋର୍‌ ସହିତ ଦ୍ୱିତୀୟରେ ରହିଥିଲେ। ସେହିଭଳି ମହିଳା ବର୍ଗରେ ଶୁଭ୍ରା ମିଶ୍ର (୧୧୨) ଏବଂ ହର୍ଷଦୀପ କଉର (୧୧୨) ଯଥାକ୍ରମେ ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। ବରିଷ୍ଠ ବର୍ଗରେ ଅଜୟ ପଟ୍ଟନାୟକ (୪୮) ଓ ଜେପି ପଣ୍ଡା (୪୯) ବିଜେତା ଓ ଉପ ବିଜେତା ଅଖ୍ୟା ପାଇଥିଲେ। ଶିଶୁ ବର୍ଗରେ ଧୃବ ତିବରଓ୍ଵାଲ (୬୭) ବିଜେତା ମୁକୁଟ ପାଇଥିଲେ। ଦୁଇ ଦିନିଆ ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ବିଜିସି ସଭାପତି ଶିଳ୍ପପତି ତାରାରଂଜନ ପଟ୍ଟନାୟକ ଏବଂ ଆୟୋଜକ ସିକ୍ତା ଦାସ ଅତିଥିଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର