କୋହଲିଙ୍କୁ କପିଳ ବାଣୀ: ‘୩୦ ଟପିଲେ, ଦୃଷ୍ଟିଶକ୍ତି କମେ’

ନୂଆଦିଲ୍ଲୀ: ନିରାଶାଜନକ ନ୍ୟୁଜିଲାଣ୍ଡ୍‌ ଗସ୍ତ ପରେ ବିରାଟ କୋହଲିଙ୍କ ବ୍ୟକ୍ତିଗତ ବିଫଳତା ସମ୍ପର୍କରେ କିଂବଦନ୍ତି କ୍ରିକେଟର୍‌ କପିଳ ଦେବ ମତ ରଖିଛନ୍ତି। କୋହଲି ସମସ୍ତ ଫର୍ମାଟରେ ଖେଳିଥିବା ୧୧ ପାଳିରେ ମାତ୍ର ଥରେ ୫୦ ଟପିଥିଲେ। କୋହଲିଙ୍କ ଦୃଷ୍ଟିଶକ୍ତି ହ୍ରାସ ହେବଣି ବୋଲି କପିଳ ଦେବ ଅନୁମାନ କରିଛନ୍ତି। ବିଶ୍ବକପ୍‌ ବିଜେତା ଏହି ପୂର୍ବତନ ଅଧିନାୟକ କହିଛନ୍ତି, ‘କୋହଲିଙ୍କ ଦୃଷ୍ଟିଶକ୍ତି କମିଯିବଣି, ତେଣୁ‌ ସେ ତୁରନ୍ତ ଫେରିଆସି ସିଧା ବଲ୍‌ ବିପକ୍ଷରେ ଅଧିକ ଅଭ୍ୟାସ କରିବା ଉଚିତ୍‌’। ଏକ ନିର୍ଦିଷ୍ଟ ବୟସ ହୋଇଗଲେ, ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ। ସୁଇଙ୍ଗ ବଲ୍‌କୁ ଖେଳିବା କୋହଲିଙ୍କ ସାମର୍ଥ୍ୟ, ସେସବୁକୁ ସେ ଫ୍ଲିକ୍‌ରେ ଚୌକା ମାରୁଥିଲେ, ଏବେ ୨ ଥର ଆଉଟ୍ ହୋଇଗଲେଣି। ତାଙ୍କୁ ଦୃଷ୍ଟିଶକ୍ତି ସହିତ କିଛି ସାଲିସ୍ କରିବାର ଅଛି। ଯେତେବେଳେ ବଡ଼ ଖେଳାଳି ଇନ୍‌ସୁଇଙ୍ଗ୍‌ ବଲ୍‌ରେ ବୋଲ୍‌ଡ କି ଏଲବିଡବ୍‌ଲ୍ୟୁ ହୁଅନ୍ତି, ସେତେବେଳେ ଅଧିକରୁ ଅଧିକ ଅଭ୍ୟାସର ସମୟ ଆସିଯାଏ। ବୟସ ବଢ଼ିଗଲେ ବେଳେ ବେଳେ ତୁମ ସାମର୍ଥ୍ୟ ବି ଦୁର୍ବଳତାରେ ପରିଣତ ହୋଇଯାଏ। ୧୮ରୁ ୨୪ ବର୍ଷ ମଧ୍ୟରେ ଦୃଷ୍ଟିଶକ୍ତି ସର୍ବୋଚ୍ଚ ସ୍ତରରେ ଥାଏ, ଏହା ପରଠୁ ତୁମେ ଏ ଦିଗରେ କେତେ କାମ କରୁଛ ନିର୍ଭର କରେ। ବୀରେନ୍ଦ୍ର ସେବହାଗ, ରାହୁଲ ଦ୍ରାବିଡ଼, ଭିଭିଆନ୍ ରିଚାର୍ଡସ ସମସ୍ତେ ଏଭଳି ସମସ୍ୟାରେ ପଡ଼ିଥିଲେ। କୋହଲିଙ୍କୁ ଏବେ ଅଧିକ ଅଭ୍ୟାସର ଆବଶ୍ୟକତା ରହିଛି। ଆଇପିଏଲ୍ ନିଶ୍ଚିତ ତାଙ୍କ ଖେଳରେ ଉନ୍ନତି ଆଣିବାରେ ସହାୟକ ହେବ। ସେ ଜଣେ ମହାନ କ୍ରିକେଟର୍‌, ନିଜକୁ ବୁଝି ସେ ନିଶ୍ଚିତ ତଦନୁଯାୟୀ ବ୍ୟବସ୍ଥା କରିବେ ବୋଲି କପିଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର