ଏଟିଏମ୍‌ରେ ୧୦୦ ଟଙ୍କିଆ ଅଭାବ, ୧୦୦୦ ଟଙ୍କିଆ ଫେରିବା ଗୁଜବ

ବେଙ୍ଗାଲୁରୁ: ସବୁ ଏଟିଏମ୍‌ରେ ଆଜିକାଲି ୧୦୦ ଟଙ୍କିଆ ନୋଟ୍ ପ୍ରାୟତଃ ମିଳୁନାହିଁ। ଏହା ନମିଳିବା ପଛରେ ଏକ କାରଣ ରହିଛି। ତାହା ହେଉଛି ବିମୁଦ୍ରୀକରଣ ପରେ ସରକାର ନୂଆ ୧୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ କରିଛନ୍ତି। କିନ୍ତୁ ପୂର୍ବରୁ ବଜାରରେ ପ୍ରଚଳିତ ଥିବା ପୁରୁଣା ୧୦୦ ଟଙ୍କିଆ ନୋଟ୍‌ ମଧ୍ୟ ଉପଲବ୍ଧ ହେଉଛି। ପୂର୍ବରୁ ଉପଲବ୍ଧ ନୋଟ୍‌ ତୁଳନାରେ ନୂଆକରି ବଜାରକୁ ଆସିଥିବା ନୋଟ୍‌ର ଆକାର ଅପେକ୍ଷାକୃତ ଭାବେ ଛୋଟ ରହିଛି। ତେଣୁ ଦୁଇଟି ଆକାରର ‌୧୦୦ ଟଙ୍କିଆ ନୋଟ୍ ବଜାରରେ ଉପଲବ୍ଧ ଥିବାରୁ ତାହାକୁ ଏଟିଏମ୍‌ରେ ଭର୍ତ୍ତି କରିବା ଲାଗି ବ୍ୟାଙ୍କ ଏବଂ ଏଟିଏମ୍‌ ପରିଚାଳନା କରୁଥିବା କମ୍ପାନି ପାଇଁ ଅସୁବିଧା ସୃଷ୍ଟି କରୁଛି। ଦୁଇ ପ୍ରକାର ୧୦୦ ଟଙ୍କିଆ ନୋଟ୍‌ ରଖିବା ପାଇଁ ଏଟିଏମ୍‌ର କାଲିବ୍ରେସନ ଭିନ୍ନ ଭିନ୍ନ ଭାବେ କରିବାକୁ ପଡ଼ୁଛି।

ଦେଶରେ ଥିବା ୨.୪ ଲକ୍ଷ ଏଟିଏମ୍‌ ମଧ୍ୟରୁ କେବଳ ୨୦ରୁ ୨୫ ପ୍ରତିଶତ ଏଟିଏମ୍‌ରେ ନୂଆ ୧୦୦ ଟଙ୍କିଆ ନୋଟ୍ ରଖିବା ପାଇଁ କ୍ୟାସେଟ୍ ରଖାଯାଇଛି। ଅବଶିଷ୍ଟ ଏଟିଏମ୍‌ ଗୁଡ଼ିକରେ ପୁରୁଣା ୧୦୦ ଟଙ୍କିଆ ନୋଟ୍‌ ରଖିବା ପାଇଁ ‌କ୍ୟାସେଟ୍ ରହିଛି। ଗୋଟିଏ ଏଟିଏମ୍‌ରେ ୪ଟି କ୍ୟାସେଟ୍ ରହିଥାଏ। ଅଧିକାଂଶ ଏଟିଏମ୍‌ରେ ୨ଟି କ୍ୟାସେଟ୍‌ ୫୦୦ ଟଙ୍କିଆ ନୋଟ୍ ପାଇଁ, ଗୋଟିଏ କ୍ୟାସେଟ୍ ୨୦୦ ଟଙ୍କିଆ ଏବଂ ଗୋଟିଏ ୧୦୦ ଟଙ୍କିଆ ନୋଟ୍ ପାଇଁ ରଖୁଛନ୍ତି। ଗୋଟିଏ କ୍ୟାସେଟ୍‌ରେ ସର୍ବାଧିକ ୨୨୦୦ଟି ନୋଟ୍ ରହିବା ବ୍ୟବସ୍ଥା ରହିଥାଏ। ତେଣୁ ଗୋଟିଏ ଏଟିଏମ୍‌ରେ ମୋଟ ୨୮.୬ ଲକ୍ଷ ନୋଟ୍ ରହିପାରିବା ସୁବିଧା ରହିଛି। ୧୦୦ ଟଙ୍କିଆ ନୋଟ୍ ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ବ୍ୟାଙ୍କ ଶାଖାକୁ ଦୌଡ଼ୁଥିବା ଦେଖିବାକୁ ମିଳୁଛି।

୧୦୦୦ ଟଙ୍କିଆ ଫେରିବା ଗୁଜବ
ନୂଆଦିଲ୍ଲୀ: ଦେଶରେ ନୂଆ ୧୦୦୦ ଟଙ୍କିଆ ନୋଟ୍‌ ପୁଣି ଥରେ ପ୍ରଚଳନ ହେବ। ନୂଆ ୧୦୦୦ ଟଙ୍କିଆ ନୋଟ୍‌ର ଛବି ମଧ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ତେବେ ସୋସିଆଲ ମିଡିଆରେ ଏହି ନୋଟ୍‌ର ଛବି ପ୍ରସାରିତ ହେବା ପରେ ସରକାର ଏହାକୁ ଖଣ୍ଡନ କରିଛନ୍ତି। ପିଆଇବି ପକ୍ଷରୁ ଏ ନେଇ ଏକ ଟ୍ବିଟ୍ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୧୦୦୦ ଟଙ୍କିଆ ନୋଟ ଛପାଯାଇଛି ବୋଲି ଯାହା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି ତାହା ମିଥ୍ୟା ଏବଂ ଗୁଜବ ବୋଲି କୁହାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ କୌଣସି ବିଜ୍ଞପ୍ତି ଜାରି ହୋଇ ନଥିବାରୁ ଏହା ମିଥ୍ୟା ଖବର ବୋଲି ପିଆଇବି ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର