ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ପଦକ‌ ଦୌଡ଼ରେ ରଞ୍ଜିତ

ଭୁବନେଶ୍ୱର: ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସୋମବାର ଅମୃତସରର ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ (ଜିଏନ୍‌ଡିୟୁ) ଓ ଚଣ୍ଡୀଗଡ଼ର ପଞ୍ଜାବ ବିଶ୍ବବିଦ୍ୟାଳୟ ମଧ୍ୟରେ ସମ୍ମାନ ପାଇଁ କଡ଼ା ପ୍ରତିଦ୍ୱନ୍ଦ୍ବିତା ଚାଲିଥିଲା। ୬ ସ୍ୱର୍ଣ୍ଣ ପଦକ ସହ ଜିଏନ୍‌ଡିୟୁ ଶୀର୍ଷ ସ୍ଥାନରେ ଥିବା ବେଳେ ପଞ୍ଜାବ ବିଶ୍ବବିଦ୍ୟାଳୟ (୧୬ ପଦକ) ସର୍ବାଧିକ ପଦକ ପାଇଛି। ହେଲେ ଗୋଟିଏ ସ୍ବର୍ଣ୍ଣ ପାଇଁ ପଂଜାବ ପଛରେ ପଦକ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି। ଜିଏନ୍‌ଡିୟୁର ଏପି ଓ ସାବ୍‌ରେ ପୁରୁଷ ଅସିଚାଳନା ଦଳ ସମସ୍ତ ୬ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କୋହ୍ଲାପୁରର ଶିବାଜୀ ବିଶ୍ବବିଦ୍ୟାଳୟ ଉପରେ ବଡ଼ ବିଜୟ ହାସଲ କରିଥିଲା। ପଞ୍ଜାବ ବିଶ୍ବବିଦ୍ୟାଳୟକୁ ଆଗରେ ରଖିଥିଲେ ସନ୍ତରକ ଅନୁରାଗ ଡଗର। ସେ ୪ଗୁଣା ୧୦୦ ମିଟର ଫ୍ରିଷ୍ଟାଇଲ ରିଲେ ଦଳର ନେତୃତ୍ବ ନେଇ ଦଳକୁ ସ୍ବର୍ଣ୍ଣ ଭେଟି ଦେଇଥିଲା ବେଳେ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତି ଯୁଗଳ ସଫଳତା ମୁଠାଇଥିଲେ।

ପୁରୁଷ ରିକର୍ଭ ଫାଇନାଲ୍‌ରେ ରଞ୍ଜିତ
ପୁରୁଷ ରିକର୍ଭ ଫାଇନାଲରେ ପ୍ରବେଶ କରି ଓଡ଼ିଶା ପାଇଁ ଖୁସି ଖବର ଆଣିଥିଲେ ଆୟୋଜକ କିଟ୍‌ର ରଞ୍ଜିତ ନାଏକ। ସେ ପୁରୁଷ ରିକର୍ଭ ଫାଇନାଲରେ ପ୍ରବେଶ କରି ପଦକ ଦୌଡ଼ରେ ସାମିଲ ‌ହୋଇଛନ୍ତି। ସୋମବାର ସେମିଫାଇନାଲ୍‌ରେ ରଞ୍ଜିତ ୬-୪ରେ ଶୀର୍ଷ ମାନ୍ୟତାପ୍ରାପ୍ତ ସତ୍ୟମ ପଟେଲଙ୍କୁ ହରାଇ ଦେଇଥିଲେ। ବୁଧବାର ଫାଇନାଲ୍‌ରେ ସେ ପଟିଆଲାର ପଞ୍ଜାବୀ ବିଶ୍ବବିଦ୍ୟାଳୟର ଉତ୍କର୍ଷଙ୍କୁ ଭେଟିବେ। ମହିଳା ରିକର୍ଭରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟର ପ୍ରିୟଙ୍କା ଠାକ୍‌ରନ୍ ବିଶ୍ବ କ୍ୟାଡେଟ୍‌ ରିକର୍ଭ ବିଜେତା କୋମୋଲିକା ବାରି (କୋଲ୍‌ହାନ ବିଶ୍ବବିଦ୍ୟାଳୟ)ଙ୍କୁ ସେମିଫାଇନାଲରେ ପରାଜିତ କରିଥିଲେ।

ମାଡ୍ରାସକୁ ବାସ୍କେଟବଲ୍‌ ସ୍ବର୍ଣ୍ଣ
ପୁରୁଷ ବାସ୍କେଟବଲ୍‌ରେ ୟୁନିଭର୍ସିଟି ଅଫ୍‌ ମାଡ୍ରାସ ସ୍ବର୍ଣ୍ଣ ପଦକ ଜିତିଛି। ସୋମବାର ଫାଇନାଲ୍‌ରେ ମାଡ୍ରାସ ଦଳ ୧୦୪-୯୧ରେ ୟୁନିଭର୍ସିଟି ଅଫ୍‌ ମୁମ୍ବାଇକୁ ପରାସ୍ତ କରିଥିଲା। ମାଡ୍ରାସ ପକ୍ଷରୁ ଏମ୍‌ ଅରବିନ୍ଦ କୁମାର ୩୪ ଏବଂ ମୁମ୍ବାଇର ଆସ୍‌ଲେ ମଣ୍ଟେରିଓ ୨୬ ପଏଣ୍ଟ୍‌ କରିଥିଲେ।

ସମ୍ବନ୍ଧିତ ଖବର