କୋହଲି କିମ୍ବଦନ୍ତୀ: ଆବାସ 

ଲଣ୍ଡନ: କିଏ କହୁଛନ୍ତି ବିରାଟ କୋହଲି ଖୁବ୍‌ ଶୀଘ୍ର ମହାନ୍‌ ଖେଳାଳି ବନିଯିବେ ତ ଆଉ କିଏ କହୁଛନ୍ତି ସେ ମହାନ୍‌ର ନିକଟତର ହୋଇଗଲେଣି। ହେଲେ ମୋ ମତରେ ସେ ଆରମ୍ଭରୁ ହିଁ ଜଣେ ମହାନ୍‌ ଖେଳାଳି ହୋଇସାରିଛନ୍ତି। ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଦଳର ପୂର୍ବତନ କ୍ରିକେଟର୍‌ ତଥା ଅନ୍ୟତମ ମହାନ୍‌ ଖେଳାଳି ଜାହିର ଆବାସ୍‌। ସଂପ୍ରତି ଲଣ୍ଡନରେ ରହୁଥିବା ଜାହିର ଆବାସ୍‌ ଗୁରୁବାର ଲର୍ଡସ୍‌ ପଡ଼ିଆକୁ କୋହଲିଙ୍କ ଖେଳ ଦେଖିବାକୁ ଆସିଥିଲେ। ଦୁର୍ଭାଗ୍ୟବଶତଃ ଇଂଲଣ୍ଡ-ଭାରତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସକୁ ବର୍ଷା ସଂପୂର୍ଣ୍ଣ ଧୋଇ ନେଇଥିଲା। ସେଥିରେ ଜାହିର କିଛିଟା ନିରାଶ ହୋଇଥିଲେ। ହେଲେ ତାଙ୍କୁ ବିରାଟ କୋହଲିଙ୍କ ସଂପର୍କରେ ପଚରାଯିବାରୁ ଏହି ପୂର୍ବତନ ପାକିସ୍ତାନୀ ଷ୍ଟାଇଲିଷ୍ଟ ବ୍ୟାଟ୍‌ସମ୍ୟାନ୍‌ ପ୍ରଶଂସାରେ ପୋତି ପକାଇଥିଲେ। ସେ କହିଥିଲେ, ମୁଁ ଅଧିକାଂଶ ମହାନ୍‌ ଭାରତୀୟ ଖେଳାଳିଙ୍କୁ ଦେଖିଛି। ସେମାନଙ୍କ ମଧ୍ୟରେ କୋହଲି ଅନ୍ୟତମ। କିନ୍ତୁ ମୁଁ କଦାପି କୌଣସି ପିଢ଼ିର ତୁଳନା କରିବାକୁ ପସନ୍ଦ କରିନଥାଏ। କାରଣ ପ୍ରତ୍ୟେକ ଯୁଗ ହିଁ ଖେଳାଳିମାନଙ୍କ ପାଇଁ ସ୍ୱତନ୍ତ୍ର ରହିଥାଏ। ହେଲେ କୋହଲି ଅନ୍ୟ ସମସ୍ତଙ୍କଠୁ ଉତ୍ତମ ବୋଲି ଜାହିର ଆବାସ କହିଛନ୍ତି। ପ୍ରଥମ ଏସୀୟ କ୍ରିକେଟର୍‌ ଭାବେ ୧୦୦ ପ୍ରଥମ ଶ୍ରେଣୀ ଶତକ ହାସଲ କରିଥିବା ଜାହିର ଆବାସ୍‌ଙ୍କ କହିବା କଥା ହେଲା ମୁଁ କୋହଲିଙ୍କ ନିକଟରେ ଆରମ୍ଭରୁ ମୋ ଭଳି ରନ୍‌ କ୍ଷୁଧା ଦେଖିବାକୁ ପାଇଛି। ମୋ ମତରେ ଜଣେ କିମ୍ବଦନ୍ତୀ ତଥା ମହାନ୍‌ ଖେଳାଳି ନିଜ ପିଢ଼ିରେ ହିଁ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥାଏ। ଯାହାକି କୋହଲିଙ୍କ ନିକଟରେ ଦେଖିବାକୁ ମିଳିଛି। ତେଣୁ କୋହଲି ଜଣେ ମହାନ୍‌ ଖେଳାଳି ହୋଇସାରିଛନ୍ତି ବୋଲି ଜାହିର ଆବାସ୍‌ କହିଛନ୍ତି। କୋହଲି ଓ୍ଵିକେଟ୍‌ର ଉଭୟ ପାର୍ଶ୍ୱକୁ ଚମତ୍କାର ଢଙ୍ଗରେ ଖେଳିପାରନ୍ତି। ତାଙ୍କ ପଦଚାଳନା ଖୁବ୍‌ ଚଞ୍ଜଳ। ବିଶେଷକରି ନିର୍ଭୟର ସହ ସେ ବୋଲରଙ୍କୁ ସାମ୍‌ନା କରନ୍ତି। ମୋଟାମୋଟି ଭାବେ ସେ ଜଣେ ବିଶ୍ୱସ୍ତରର ଖେଳାଳି ବୋଲି ଜାହିର ଆବାସ୍‌ କହିଛନ୍ତି। ବ୍ରାଏନ୍‌ ଲାରା, ସଚିନ୍‌ ତେନ୍ଦୁଲକର, ଭିଭିଆନ୍‌ ରିଚାର୍ଡସ୍‌ ଓ ଜାଭେଦ୍‌ ମିଆଁଦାଦ୍‌ଙ୍କ ଭଳି ସେ ମହାନ୍‌ କୋହଲିଙ୍କ ଖେଳ ମୋତେ ଖୁବ୍‌ ପ୍ରଭାବିତ କରିଛି ବୋଲି କହିବା ସାଙ୍ଗକୁ ୫୦୬୨ ଟେଷ୍ଟ ରନ୍‌ ଓ ୨୫୭୨ ଦିନିକିଆ ରନ୍‌  କରିଥିବା ଜାହିର ଆବାସ୍‌ ଭାରତୀୟ ଅଧିନାୟକଙ୍କ ଭୂୟଶୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର