ମୁଁ ରୋବର୍ଟ ନୁହେଁ, ବିଶ୍ୱାସ ହଉନି ଯଦି ଚମ କାଟିକି ଦେଖ

କୋହଲିଙ୍କ ରୋକଠୋକ୍‌

କୋଲ୍‌କାତା: ଲଗାତାର ଟେଷ୍ଟ, ଦିନିକିଆ ଏବଂ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ଖେଳୁଥିବା ସବୁ ଖେଳାଳିଙ୍କୁ ବିଶ୍ରାମ ଦରକାର। ଆବଶ୍ୟକ ପଡ଼ିଲେ ମୁଁ ବି ବିଶ୍ରାମ ନେବି। କାରଣ ମୁଁ ରୋବର୍ଟ ନୁହେଁ। ମୋ ଦେହରେ ବି ଆପଣମାନଙ୍କ ଭଳି ରକ୍ତ ପ୍ରବାହିତ ହେଉଛି। ବିଶ୍ୱାସ ହେଉନି ଯଦି ମୋ ଚମ କାଟିକି ଦେଖି ନିଅନ୍ତୁ। ବୁଧବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାହେଲା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଏହି କଥା କହିଥିଲେ। ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ଶୃଙ୍ଖଳାରେ ବିଶ୍ରାମ ଦିଆଯିବା ପରିପ୍ରେକ୍ଷୀରେ ସେ ଏଭଳି କଥା କହିଥିବା ଜଣାପଡ଼ିଛି। ଲଗାତାର କ୍ରିକେଟ୍‌ ଖେଳିବା ସତ୍ତ୍ୱେ ସେ କାହିଁକି ବିଶ୍ରାମ ନେଉ ନାହାନ୍ତି ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ଦେଇ କୋହଲି ଦେଇଥିବା ଏହି ରୋକଠୋକ୍‌ ମନ୍ତବ୍ୟ ଶୁଣି ଗଣମାଧ୍ୟମ ପ୍ରତିନିଧିଙ୍କ ଅକଲ ଗୁଡୁମ ହୋଇ ଯାଇଥିଲା।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍‍ ଶୃଙ୍ଖଳା ଖେଳିବା ଲାଗି କୋଲ୍‌କତାରେ ଥିବା କୋହଲିଙ୍କ ଏହି ରୋଚକ ମନ୍ତବ୍ୟ ଏବେ ଚର୍ଚାର ବିଷୟ ହୋଇଛି। ଶ୍ରୀଲଙ୍କା ବିପକ୍ଷ ତିନିଟିକିଆ ଶୃଙ୍ଖଳାର ପ୍ରଥମ ଦୁଇ ଟେଷ୍ଟ୍‍ ଲାଗି ଭାରତୀୟ ଦଳ ଘୋଷଣା କରାଯାଇସାରିଛି। ଦିନିକିଆ ଶୃଙ୍ଖଳାକୁ ନଜରରେ ରଖି ତୃତୀୟ ଟେଷ୍ଟ୍‍ରେ ବିଶ୍ରାମ ନେବାକୁ କୋହଲି ଚୟନ ସମିତିକୁ ଅନୁରୋଧ କରିଛନ୍ତି ବୋଲି ଚର୍ଚା ଚାଲିଥିବା ନେଇ ଉପସ୍ଥିତ ସାମ୍ବାଦିକ ପ୍ରଶ୍ନ କରିଥିଲେ। ନିଶ୍ଚିତ ମୋତେ ବିଶ୍ରାମ ଦରକାର, କାହିଁକି ମୁଁ ବିଶ୍ରାମ ନେବି ନାହିଁ ବୋଲି ସାମ୍ବାଦିକଙ୍କୁ ପାଲଟା ପ୍ରଶ୍ନ ପଚାରିଥିଲେ କୋହଲି। ଯେବେ ମୁଁ ଭାବିବି ମୋ ଦେହକୁ ବିଶ୍ରାମ ଦରକାର ତେବେ ନିଶ୍ଚିତ କହିବି। ମୁଁ ରୋବୋଟ୍‌ ନୁହେଁ, ମୋ ଦେହ କାଟିଲେ ରକ୍ତ ବାହାରିବ ବୋଲି ସେ କହିଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କ କାର୍ଯ୍ୟଭାର ଯୋଗୁଁ ତାଙ୍କୁ ପ୍ରଥମ ଦୁଇ ଟେଷ୍ଟ୍‍ରେ ବିଶ୍ରାମ ଦିଆଯିବା ନେଇ ଲାଗିଥିବା ବିବାଦରେ ଉପରେ ସେ କହିଥିଲେ, ମୁଁ ଭାବୁଛି କାର୍ଯ୍ୟଭାରର ଅର୍ଥକୁ ଲୋକମାନେ ଅନ୍ୟ ଅର୍ଥରେ ନେଇଛନ୍ତି। ଯିଏ ପରିଶ୍ରମ କରିବ, ତା ପାଇଁ ବିଶ୍ରାମ ନିଶ୍ଚିତ ଦରକାର। ପାଣ୍ଡ୍ୟା ଏହା ମଧ୍ୟରେ ବହୁତ କ୍ରିକେଟ୍‌ ଖେଳିଲେଣି। ତାଙ୍କୁ ବିଶ୍ରାମ ନିଶ୍ଚିତ ଦରକାର ପଡ଼ିଥିବ ବୋଲି ଚୟନକର୍ତାମାନେ ହୃଦବୋଧ କରିଥିବେ। ଚୟନକର୍ତା ସର୍ବଦା ଖେଳାଳିଙ୍କ ଶାରୀରିକ ସୁସ୍ଥତାକୁ ନଜରରେ ରଖିଥାନ୍ତି। ଖେଳାଳିମାନେ ଫିଟ୍‌ ରହିବା ନିହାତି ଆବଶ୍ୟକ। ଏଥିପାଇଁ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଉଛି ବୋଲି କୋହଲି କହିଥିଲେ।

ସମ୍ବନ୍ଧିତ ଖବର