ଚୌକିକୁ ଗୋଇଠା ମାରି ଅଡ଼ୁଆରେ କୋହଲି

ଚେନ୍ନାଇ: ଆଉଟ୍ ହେବା ପରେ ହତୋତ୍ସାହିତ ଓ ଉତ୍‌କ୍ଷିପ୍ତ ହୋଇ ଏକ ଚୌକିକୁ ଖୁବ ଜୋର୍‌ରେ ଗୋଇଠା ମାରିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗରେ ଆଇପିଏଲ୍ ତରଫରୁ ତାଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ବୁଧବାରର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ କୋହଲି ଚମତ୍କାର ବ୍ୟାଟିଂ କରି ୨୯ ବଲ୍‌ରୁ ୩୩ ରନ୍ କରିଥିଲା ବେଳେ ପ୍ରତିପକ୍ଷ ଅଲରାଉଣ୍ଡର୍ ଜାସନ ହୋଲ୍ଡର ତାଙ୍କୁ ବିଜୟ ଶଙ୍କରଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ।

ହୋଲ୍ଡରଙ୍କ ସର୍ଟ ବଲ୍‌କୁ ଖେଳୁଥିଲା ବେଳେ ଏହାକୁ ମିସ୍‌ ଟାଇମ୍ କରି କୋହଲି ଡିପ୍ ଅଞ୍ଚଳରେ ଧରାପଡ଼ି ଯାଇଥିଲେ। ଫଳରେ ଡ୍ରେସିଂ ରୁମ୍‌କୁ ଫେରିଲା ବେଳେ ରାଗରେ ନିଆଁବାଣ ହୋଇ ପାଖରେ ପଡ଼ିଥିବା ଏକ ଚୌକିକୁ ଗୋଇଠା ମାରିବାର ଦୃଶ୍ୟ କ୍ୟାମେରା ଫ୍ରେମ୍‌ରେ ରେକର୍ଡ ହୋଇ ଯାଇଥିଲା। ମ୍ୟାଚ୍ ପରେ ସେ ନିଜ ଦୋଷ ସ୍ବୀକାର କରିନେବା ପରେ ମ୍ୟାଚ୍ ରେଫରି ଭେଙ୍ଗଲି ନାରାୟଣ କୁଟି ଚେତାବନୀ ଦେଇ ଛାଡ଼ି ଦେଇଥିଲେ। ଆର୍‌ସିବି ଏହି ମ୍ୟାଚ୍‌କୁ ନାଟକୀୟ ଭାବେ ୬ ରନ୍‌ରେ ଜିତି ନେଇଥିଲା।

ସମ୍ବନ୍ଧିତ ଖବର