କୋହଲିଙ୍କ ଏବିଡି ସଫେଇ ବୀରଙ୍କୁ ଅବୁଝା

କୋହଲି, ସ୍ମିଥ୍‌, ୱିଲିୟମସନ୍, ଆଜମ, ରୁଟଙ୍କଠାରୁ ଡି’ଭିଲିୟର୍ସ ଶ୍ରେଷ୍ଠ

ଦୁବାଇ : ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଫର୍ମରେ ଥିବା ଏବି ଡି’ଭିଲିୟର୍ସଙ୍କୁ କାହିଁକି ନିମ୍ନକ୍ରମରେ ବ୍ୟାଟିଂ ଲାଗି ଛଡ଼ାଗଲା ବୋଲି ପ୍ରଶ୍ନ ଉଠିବାରୁ ବିରାଟ କୋହଲି ଗୁରୁବାର ରାତି ମ୍ୟାଚ୍ ପରେ ଏହାର ସ୍ପଷ୍ଟୀକରଣ ରଖିଥିଲେ। ପଞ୍ଜାବ ଦଳରେ ଦୁଇ ଜଣ ଲେଗସ୍ପିନର୍‌ ଥିବାରୁ ବାମହାତୀ ଡାହାଣହାତୀ ସମନ୍ବୟ ରଖିବାକୁ ଏଭଳି କୌଶଳ କରାଯାଇଥିଲା ବୋଲି ସେ ସଫେଇ ଦେଇଥିଲେ। ପୂର୍ବତନ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଖେଳାଳି ବୀରେନ୍ଦ୍ର ସେହବାଗ କିନ୍ତୁ ଏହାକୁ ବୁଝି ପାରିନାହାନ୍ତି। ‘ଏବିଡି ଗତ ମ୍ୟାଚ୍‌ରେ ସେହି ପଡ଼ିଆରେ ୩୩ ବଲ୍‌ରୁ ୭୩ ରନ୍ କରିଥିଲେ। ତାଙ୍କୁ ଯଦି ଗୁରୁବାର ଅଧିକ ବଲ୍‌ ‌ଖେଳିବାକୁ ସୁଯୋଗ ମିଳିଥା’ନ୍ତା ତେବେ ‌ସେ ବଡ଼ ପାଳି ଖେଳିପାରିଥା’ନ୍ତେ। ତୁମେ ଯଦି ବାମ-ଡାହାଣ ସମନ୍ବୟ କଥା ଚିନ୍ତା କରୁଥିଲ ତେବେ ଦେବଦତ୍ତ ପଡ଼ିକଲଙ୍କ ୱିକେଟ୍‌ ପତନ‌ ବେଳେ ବିରାଟ କୋହଲି କାହିଁକି ଆସିଥିଲେ। ସେତେବେଳେ ଏହି ସମନ୍ବୟ କଥା କୁଆଡ଼େ ଗଲା, ବାମହାତୀ ୱାସିଂଟନ୍ ସୁନ୍ଦର ୩ ନମ୍ବରରେ ଆସିପାରିଥା’ନ୍ତେ ବୋଲି ସେହବାଗ ପ୍ରକାଶ କରିଛନ୍ତି। ୱାସିଂଟନ୍ ସୁନ୍ଦରଙ୍କୁ ମଧ୍ୟ ୪ ନମ୍ବର ସ୍ଥାନରେ ପଠାଯିବା ବୀରୁଙ୍କ ପାଇଁ ଅବୁଝା ରହିଥିବା ସେ ପ୍ରକାଶ କରିଥିଲେ। ଏବେ ୱାସିଂଟନ୍‌ ସୁନ୍ଦର ଜଣେ ବ୍ୟାଟସମ୍ୟାନ୍‌ ଭାବେ ପ୍ରତିଷ୍ଠିତ ହୋଇନାହାନ୍ତି ବୋଲି ସେ କହିଥିଲେ।

କୋହଲି, ସ୍ମିଥ୍‌, ୱିଲିୟମସନ୍, ଆଜମ, ରୁଟଙ୍କଠାରୁ ଡି’ଭିଲିୟର୍ସ ଶ୍ରେଷ୍ଠ
ଦୁବାଇ : କେକେଆର୍‌ ବିପକ୍ଷରେ ୩୩ ବଲରୁ ୭୩ ରନ୍ କରିବାର ପରବର୍ତୀ ମ୍ୟାଚ୍‌ରେ ଏବି ଡି’ଭିଲିୟର୍ସଙ୍କୁ ନିମ୍ନକ୍ରମରେ ବ୍ୟାଟିଂ ସୁଯୋଗ ଦେବାକୁ ନେଇ ପୂର୍ବତନ ନେଦରଲାଣ୍ଡ୍‌ ଅଧିନାୟକ ପିଟର୍ ବାରେନ୍‌ ମଧ୍ୟ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶ୍ବ କ୍ରିକେଟରେ ବର୍ତମାନର ‘ବିଗ୍‌ ଫୋର୍‌’ ଆଖ୍ୟା ପାଉଥିବା ବିରାଟ କୋହଲି, ଷ୍ଟିଭେନ୍ ସ୍ମିଥ୍‌, କେନ୍ ୱିଲିୟମସନ୍‌ ଓ ବାବର ଆଜମ/ଜୋ ରୁଟଙ୍କ ଠାରୁ ବି ଏବି ଡି’ଭିଲିୟର୍ସ ଉନ୍ନତ ବ୍ୟାଟସମ୍ୟାନ୍‌ ବୋଲି ‌ବାରେନ୍ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ପରେ ମଧ୍ୟ ଏବି ଡି’ଭିଲିୟର୍ସ ଜବରଦସ୍ତ ଫର୍ମରେ ଖେଳୁଛନ୍ତି। ଚଳିତ ଆଇପିଏଲ୍‌ରେ ଡି’ଭିଲିୟର୍ସ ୪୬ ହାରାହାରିରେ ୨୩୦ ରନ୍ କରିସାରିଛନ୍ତି। ତେବେ ତାଙ୍କ ଷ୍ଟ୍ରାଇକ୍ ରେଟ୍‌ (୧୭୯.୬୮) ଚଳିତ ଆଇପିଏଲ୍‌ରେ ଅନ୍ୟୁନ ୨୦୦ ରନ୍‌ କରିଥିବା ବ୍ୟାଟସମ୍ୟାନ୍‌ଙ୍କ ମଧ୍ୟରେ ଶ୍ରେଷ୍ଠ ରହିଛି। ଏଥିପାଇଁ ଏବିଡି ବାଙ୍ଗାଲୋର୍‌ ପାଇଁ ମୂଲ୍ୟବାନ ଖେଳାଳି ବୋଲି ବାରେନ୍ ପ୍ରକାଶ କରିଛନ୍ତି। ଗୁରୁବାର ପଞ୍ଜାବ ବିପକ୍ଷରେ ନିମ୍ନକ୍ରମରେ ଖେଳି ୫ ବଲରୁ ୨ ରନ୍ କରିବା ପରେ ଡି’ଭିଲିୟର୍ସଙ୍କ ବ୍ୟାଟିଂ କ୍ରମକୁ ନେଇ ଚର୍ଚ୍ଚା ଓ ସମାଲୋଚନା ହେବା ମଧ୍ୟ ସ୍ବାଭାବିକ। ବିଶେଷ କରି ସମାନ ପଡ଼ିଆରେ ୨ ଦିନ ତଳେ ଏବିଡି ୩୩ ବଲରୁ ୭୩ ରନ କରିଥିବାରୁ ପରବର୍ତୀ ମ୍ୟାଚ୍‌ରେ ତାଙ୍କ ବ୍ୟାଟିଂ କ୍ରମ ଓ ବିଫଳତାକୁ ନେଇ ବିତର୍କ ଉଠିଛି।

ସମ୍ବନ୍ଧିତ ଖବର