କୋରିଆ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ: ଚଳିତ ମାସ ୨୦ ତାରିଖରୁ ଭାରତୀୟ ମହିଳା ହକି ଦଳର କୋରିଆ ଗସ୍ତ ଆରମ୍ଭ ହେବ। ଏହି ଗସ୍ତରେ କୋରିଆ ମହିଳା ଦଳ ବିପକ୍ଷରେ ଭାରତ ତିନିଟି ଟେଷ୍ଟ୍‌ ମ୍ୟାଚ୍‌ ବିଶିଷ୍ଟ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବ। ପ୍ରଥମ ମ୍ୟାଚ୍‌ ୨୦ ତାରିଖରେ ଖେଳିବା ପରେ ପରବର୍ତୀ ଦୁଇଟି ମ୍ୟାଚ୍‌ ଯଥାକ୍ରମେ ୨୨ ଓ ୨୪ ତାରିଖରେ ଖେଳିବ। ଏହି ଗସ୍ତ ପାଇଁ ହକି ଇଣ୍ଡିଆ ଶୁକ୍ରବାର ୧୮ ଜଣିଆ ଦଳ ଘୋଷଣା କରିଛି। ଜୋଏର୍ଡ ମାରିନ୍‌ଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ଏହି ଗସ୍ତ କରିବାକୁ ଯାଉଥିଲା ‌ବେଳେ ଫରୱାର୍ଡ ରାଣୀ ଅଧିନାୟିକା ମନୋନୀତ ହୋଇଛନ୍ତି। ତାଙ୍କୁ ସହାୟତା ପାଇଁ ଗୋଲ୍‌ରକ୍ଷିକା ସବିତାଙ୍କୁ ଉପଅଧିନାୟିକା ଦାୟିତ୍ବ ମିଳିଛି। ଏହି ୧୮ ଜଣିଆ ଚୂଡାନ୍ତ ଦଳରେ ୩ ଜଣ ଓଡ଼ିଆ ଝିଅ ସାମିଲ ଅଛନ୍ତି। ସେମାନେ ହେଲେ ଡିଫେଣ୍ଡର୍‌ ସୁନିତା ଲାକ୍ରା ଓ ଦୀପ୍‌ଗ୍ରେସ୍‌ ଏକ୍କା ଏବଂ ମିଡ୍‌ଫିଲ୍‌ଡର ଲିଲିମା ମିଞ୍ଜ୍‌। ସେହିପରି ଡିଫେଣ୍ଡର ଗୁର୍‌ଜିତ୍‌ କୌର ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। କୋରିଆ ଗସ୍ତରେ ଖେଳିବାକୁ ଥିବା ତିନିଟି ଟେଷ୍ଟ୍‌ ମ୍ୟାଚ୍‌ ବିଶେଷକରି ହିରୋସିମାରେ ଚଳିତ ବର୍ଷ ଜୁନ୍‌ ୧୫ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ଫାଇନାଲ୍‌ସ ପ୍ରସ୍ତୁତିର ଅଂଶବିଶେଷ ହେବ। ଏହା ପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ଗତ ଜାନୁଆରି-ଫେବ୍ରୁଆରିରେ ସ୍ପେନ୍‌ ଗସ୍ତ କରିଥିଲା। ସେଠା‌ରେ ସ୍ପେନ୍‌ ଓ ଆୟର୍ଲାଣ୍ଡ୍‌ ବିପକ୍ଷରେ ମୋଟ ୬ ମ୍ୟାଚ୍‌ ଖେଳିଥିଲା ବେଳେ ୨ ବିଜୟ ପାଇଥିଲା। ୩ ମ୍ୟାଚ୍‌ ଅମୀମାଂସିତ ରଖିଥିଲା ବେଳେ ମାତ୍ର ଗୋଟିଏ ମ୍ୟାଚ୍‌ ହାରିଥିଲା। ସେହିପରି ଗତ ଏପ୍ରିଲ ମାସରେ ମାଲେସିଆ ଗସ୍ତ କରି ୫ ମ୍ୟାଚ୍‌ ଖେଳିଥିଲା ବେଳେ ଅପରାଜେୟ ରହିଥିଲା। ସେହି ଗସ୍ତରେ ୪ ମ୍ୟାଚ୍‌ ଜିତିଥିଲା ବେଳେ ଗୋଟିଏ ଅମୀମାଂସିତ ରଖିଥିଲା। ଫଳରେ ଗତ ଦୁଇଟି ଗସ୍ତରେ ଆମର ସଫଳତା ହାର ଅଧିକ ଥିବାରୁ କୋରିଆ ଗସ୍ତରେ ତାହାକୁ ଦୋହରାଇବୁ ବୋଲି କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ମାରିନ୍‌।

୧୮ ଜଣିଆ ଦଳ
ସବିତା (ଉପଅଧିନାୟିକା) ଓ ରଜନୀ ଇଟିମାର୍ପୁ (ଗୋଲ୍‌ରକ୍ଷିକା), ସାଲିମା ଟେଟେ, ସୁନିତା ଲାକ୍ରା, ଦୀପ୍‌ଗ୍ରେସ୍‌ ଏକ୍କା, କରିସ୍ମା‌ ଯାଦବ, ଗୁର୍‌ଜିତ୍‌ କୌର ଓ ସୁଶୀଳା ଚାନୁ ପୁଖ୍ରମ୍‌ବାମ୍‌ (ଡିଫେଣ୍ଡର), ମୋନିକା, ନଭ୍‌ଜୋତ୍‌ କୌର, ନିକ୍କି ପ୍ରଧାନ, ନେହା ଗୋୟଲ, ଲିଲିମା ମିଞ୍ଜ୍‌ (ମିଡ୍‌ଫିଲ୍‌ଡର), ରାଣୀ (ଅଧିନାୟିକା), ବନ୍ଦନା କାଟାରିୟା, ଲାଲ୍‌ରେମ୍‌ସିଆମି, ଜ୍ୟୋତି ଓ ନଭ୍‌ନୀତ୍‌ କୌର (ଫରୱାର୍ଡ)।

ସମ୍ବନ୍ଧିତ ଖବର