ମୁମ୍ବାଇର ହ୍ୟାଟ୍ରିକ୍‌ ପରାଜୟ

ଶେଷ ବଲ୍‌ରେ ଦିଲ୍ଲୀର ପ୍ରଥମ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଗତଥରର ବିଚେତା ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ଧାରା ଜାରି ରହିଛି। ପୂର୍ବରୁ ଚେନ୍ନାଇ ଏବଂ ହାଇଦ୍ରାବାଦ ବିପକ୍ଷରେ ଲଗାତାର ଦୁଇଟି ପରାଜୟ ବରଣ କରିଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଏହି ଦଳ ଶନିବାର ୧୯୪/୭ର ବିଶାଳ ସ୍କୋର କରିବା ସତ୍ତ୍ୱେ ଦିଲ୍ଲୀ ଡେୟାର ଡେଭିଲ୍ସଠାରୁ ୭ ଓ୍ଵିକେଟ୍‌ରେ ହାରି ଯାଇଛି। ଫଳରେ କ୍ରମାଗତ ତିନିଟି ମ୍ୟାଚ୍‌ ହାରି ହ୍ୟାଟ୍ରିକ୍‌ ପରାଜୟ ବରଣ କରିଛି। ଅନ୍ୟ ପକ୍ଷରେ ଜାସନ ରଏ (୯୧* ରନ୍‌, ୫୩ ବଲ୍‌, ୬ ଚୌକା, ୬ ଛକା)ଙ୍କ ଜବରଦସ୍ତ ବ୍ୟାଟିଂ ପାଇଁ ଦିଲ୍ଲୀ ଶେଷ ବଲ୍‌ରେ ଉତ୍କଣ୍ଠାପୂର୍ଣ୍ଣ ଏବଂ ପ୍ରତୀକ୍ଷିତ ବିଜୟ ହାସଲ କରିଛି। ରଏ ରୋମାଞ୍ଚ ପରେ ଦିଲ୍ଲୀ ମଧ୍ୟ ଚଳିତ ବର୍ଷ ତା’ର ବିଜୟ ଖାତା ଖୋଲିଛି। ୧୯୫ ରନ୍‌ର ବିଜୟ ଲକ୍ଷ୍ୟକୁ ଠିକ୍‌ ୨୦ ଓଭରରେ ମାତ୍ର ୩ ଓ୍ଵିକେଟ୍‌ ହରାଇ ହାସଲ କରିନେବା ସହ ମୁମ୍ବାଇକୁ ଆଉ ଏକ ଶକ୍ତ ଝଟ୍‌କା ଦେଇଛି।

ଆଇପିଏଲ୍‌-୧୧ର ପୂର୍ବର କେତୋଟି ମ୍ୟାଚ୍‌ ଭଳି ଶନିବାରର ମୁମ୍ବାଇ-ଦିଲ୍ଲୀ ମୁକାବିଲାର ବିଜେତା ମଧ୍ୟ ଶେଷ ବଲ୍‌ରେ ବଛା ହୋଇଥିଲା। ରଏଙ୍କ ବିସ୍ଫୋରକ ପାଳି ସହ ଦୁଇ ଘରୋଇ ଯୁବ ତାରକା ଋଷବ ପନ୍ତ (୪୭ ରନ୍‌, ୨୫ ବଲ୍‌, ୬ ଚୌକା, ୨ ଛକା) ଓ ଶ୍ରେୟସ୍‌ ଆୟର (୨୭* ରନ୍‌, ୨୦ ବଲ୍‌, ୩ ଚୌକା, ୧ ଛକା)ଙ୍କ ଦାୟିତ୍ୱବାନ ବ୍ୟାଟିଂ ପାଇଁ ଦିଲ୍ଲୀ ଏକଦା ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଥିଲା। ହେଲେ ଶେଷ ୩ ଓଭରରେ ମୁମ୍ବାଇ ବୋଲର ସେମାନଙ୍କ ରନ୍‌ ସଂଗ୍ରହ ଗତିରେ ଅଙ୍କୁଶ ଲଗାଇ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ଫଳରେ ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରହମନଙ୍କ ଶେଷ ଓଭରରୁ ଦିଲ୍ଲୀକୁ ବିଜୟ ପାଇଁ ୧୧ ରନ୍‌ ଦରକାର ଥିଲା।  ତେବେ ରଏ ପ୍ରଥମକୁ ଚୌକା ଏବଂ ଦ୍ୱିତୀୟକୁ  ଛକା ମାରି ସ୍ଥିତି ସମାନ ସ୍ତରକୁ ନେଇ ଆସିଥିଲେ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ପରବର୍ତୀ ତିନିଟି ବଲ୍‌ରୁ ବିଜୟ ପାଇଁ ଆବଶ୍ୟକ ହେଉଥିବା ୧ ରନ୍‌ ସଂଗ୍ରହ କରି ପାରି ନଥିଲେ। ସେଥିପାଇଁ ମ୍ୟାଚ୍‌ ଶେଷ ବଲ୍‌କୁ ଯାଇଥିଲା। ମୁସ୍ତାଫିଜୁରଙ୍କ ଷଷ୍ଠ ବଲ୍‌କୁୁ  ୩୦ ଗଜ ଉପର ଦେଇ ସୀମାରେଖା ପାଖକୁ ପଠାଇ ରଏ ଶେଷରେ ଦିଲ୍ଲୀକୁ ରୋମାଞ୍ଚକର ବିଜୟ ଉପହାର ଦେଇଥିଲେ। ଆଶା ଜନକ ଭାବେ ସେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌  ସୂର୍ଯ୍ୟ କୁମାର ଯାଦବ (୫୩ ରନ୍‌, ୩୨ ବଲ୍‌, ୭ ଚୌକା, ୧ ଛକା)ଙ୍କ ଅର୍ଧଶତକ ଓ ଏଭିନ ଲୁଇସଙ୍କ ୪୮ ରନ୍‌ (୨୮ ବଲ୍‌, ୪ ଚୌକା, ୪ ଛକା) ବଳରେ ନିର୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୯୪ ରନ୍‌ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଈଶାନ କିଶନ ୪୪ ଏବଂ କ୍ରୁନାଲ ପାଣ୍ଡ୍ୟା ୧୧ ରନ୍‌ କରିଥିଲେ। ଅଧିନାୟକ ରୋହିତ ଶର୍ମା (୧୧) ପାଳି ଆରମ୍ଭ ନକରି ଚତୁର୍ଥ ସ୍ଥାନରେ ଖେଳିଥିଲେ। ହେଲେ ସଫଳ ହୋଇ ପାରି ନଥିଲେ। ଦିଲ୍ଲୀ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଡାନ୍‌ କ୍ରିଷ୍ଟିଆନ୍‌ ଏବଂ ରାହୁଲ ତିଓ୍ଵାତିଆ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୪/୭ (ସୂର୍ଯ୍ୟ କୁମାର ଯାଦବ ୫୩, ଏଭିନ ଲୁଇସ୍‌ ୪୮, ଈଶାନ କିଶନ ୪୪, ରୋହିତ ଶର୍ମା ୧୮)। ଦିଲ୍ଲୀ ଡେୟାର ଡେଭିଲ୍ସ ୨୦ ଓଭରରେ ୧୯୫/୩ (ଜାସନ ରଏ ୯୧*, ଋଷବ ପନ୍ତ ୪୭, ଶ୍ରେୟସ୍‌ ଆୟ ୨୭*, କ୍ରୁନାଲ ପାଣ୍ଡ୍ୟା ୨/୨୧)।

ସମ୍ବନ୍ଧିତ ଖବର