ନୀରଜଙ୍କ ସ୍ବର୍ଣ୍ଣ କଥା ମନେ ରଖି ଖେଳିବୁ: ଅମିତ୍‌

କଳିଙ୍ଗରେ ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର: ୩ ବର୍ଷ ତଳେ ଭୁବ‌ନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌‌ ଏବଂ କିଟ୍‌ କଂପ୍ଲେକ୍ସରେ ଅଭ୍ୟାସ କରିବା ସହ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଜାଭଲିନ୍ ତାରକା ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏବେ ସେହି ପଥରେ ଯିବାକୁ ଆଗ୍ରହୀ ଅଛି ଭାରତୀୟ ପୁରୁଷ ହକି ଦଳ। ଗୁରୁବାର ସଂଧ୍ୟାରେ କଳିଙ୍ଗ ହକି ପିଚ୍‌ରେ ଭାରତୀୟ ଦଳର ଅଭ୍ୟାସ ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏଭଳି ଆଶା ପ୍ରକଟ କରିଛନ୍ତି ଟୋକିଓରେ କାଂସ୍ୟ ପଦକ ଜିତିଥିବା ଓଡ଼ିଆ ଖେଳାଳି ଅମିତ ରୋହି‌ଦାସ। ‘ଓସ୍‌ଜା ପକ୍ଷରୁ ପ୍ରଦତ୍ତ ଶୁ‌‌‌ଭେଚ୍ଛା, ଶୁଭକାମନା ଓ ମିଠା ଆମକୁ ଉତ୍ସାହିତ କରିଛି। ନୀରଜ ଚୋପ୍ରା ଯେଭଳି ଏଠାରେ ଅଭ୍ୟାସ କରି ଟୋକିଓରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଆମେ ସେଭଳି କରିବାକୁ ନିଶ୍ଚିତ ପ୍ରୟାସ କରିବୁ। ନୀରଜଙ୍କ ସ୍ବର୍ଣ୍ଣ ପଦକ କଥା ମନେ ରଖି ଭଲ ଖେଳିବାକୁ ଚେଷ୍ଟା କରିବୁ। ଭୁବନେଶ୍ବରରେ ଆମେ ଭଲ ପ୍ରସ୍ତୁତି କରିଛୁ। ଜିମ୍ନାସିୟମରେ ସମୟ କାଟିବା ସହ ଅଭ୍ୟାସ ବି କରିଛୁ। ପ୍ରୋ ଲିଗ୍ ପରେ ଏବେ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଖେଳିବାକୁ ଯାଉଛି। ଗତ ପ୍ରୋ ଲିଗ୍ ସମୟରେ ଦଳର ଦୁର୍ବଳ ଦିଗକୁ ନଜରରେ ରଖି ଆମକୁ ସୁଟିଂ, ଡ୍ରାଗ୍ ଫ୍ଲିକ, ଫରୱାର୍ଡ ସୁଟିଂ ଅଭ୍ୟାସ କରାଯିବା ସହ ଫିଟ୍‌ନେସ୍‌ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ବୋଲି କହିଥିଲେ ଅର୍ଜୁନ ପୁରସ୍କାର ବିଜେତା ଅମିତ୍‌। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ସର୍ବଦା ସମର୍ଥନ କରୁଥିବାରୁ ଅମିତ ମଧ୍ୟ କୃତଜ୍ଞତା ଜଣାଇଥିଲେ। ସୂଚନାଯୋଗ୍ୟ, ୨୦୧୮ରେ ଭୁବନେଶ୍ବରରେ ଏଫଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ରେ ଚମତ୍କାର ପଦାର୍ପଣ କରିବା ପରେ ଅମିତଙ୍କୁ ଓସ୍‌ଜା ୨୦୧୯ରେ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲା।

ଭୁବନେଶ୍ବର: ଭାରତୀୟ ପୁ‌ରୁଷ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ନିରାଡ଼ମ୍ବର ଉତ୍ସବରେ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ହକି ପିଚ୍‌ରେ ହିଁ ପ୍ୟାରିସ୍‌ରେ ଟୋକିଓ ଅଲିମ୍ପିକ୍ସ ସଫଳତାକୁ ଟପିଯିବାକୁ ଶୁଭକାମନା ଦିଆଯାଇଛି। ଭୁବନେଶ୍ବରର କଳିଙ୍ଗ ହକି କଂପ୍ଲେକ୍ସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧିନାୟକ ହର୍ମନପ୍ରୀତ୍ ସିଂହ, ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍‌ ଓସ୍‌ଜାର ଏହି ଶୁଭେଚ୍ଛାକୁ ପ୍ରଶଂସା କରିବା ସହ ପ୍ୟାରିସ୍‌ ଆହ୍ବାନକୁ ଗ୍ରହଣ କରି ଆଗକୁ ବଢ଼ିବେ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ କ୍ରୀଡ଼ା ସାମ୍ବାଦିକଙ୍କ ସହ ଅନ୍ତରଙ୍ଗ ଆଳାପ କରିଥିଲେ ଦଳର ଏକମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସ। ଓସ୍‌ଜାର ସଭାପତି ସନ୍ଦୀପ ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂବିତ ମହାପାତ୍ର, ସୁରେଶ ସ୍ବାଇଁ, ନିରଂଜନ ରେଡ୍ଡୀ, ପ୍ରତାପ ପ୍ରଧାନ, ଶକ୍ତି ପ୍ରସାଦ ନନ୍ଦ, ସୁଜିତ କୁମାର ସ୍ବାଇଁ, ତନ୍ମୟ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଫୁଲତୋଡ଼ା ଓ ଛେନାପୋଡ଼ ଦେଇ ଶୁଭକାମନା ଜଣାଇଥିଲେ।

ସମ୍ବନ୍ଧିତ ଖବର