ଭୂପୃଷ୍ଠରୁ ହଜିଯିବ ସପ୍ତଧାରା, ଜଳସ୍ତର କ୍ରମାଗତ ହ୍ରାସ ପାଉଛି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିରସ୍ରୋତା ନଦୀ ଭାବେ ସପ୍ତଧାରା ପରିଚିତ। ସାତଟି ପାହାଡ଼ିଆ ଝରଣାର ସଂଗମରୁ ଏହି ନଦୀର ଉତ୍ପତ୍ତି। ଗତ କିଛି ବର୍ଷ ହେଲା ନଦୀରେ ଜଳସ୍ତର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଏପରିକି କିଛି ସ୍ଥାନରେ ସଂପୂର୍ଣ୍ଣ ଶୁଷ୍କ ହୋଇ ସାରିଲାଣି। ତେଣୁ ଭୂପୃଷ୍ଠରୁ ନଦୀ ସଂପୂର୍ଣ୍ଣ ହଜିଯିବ ବୋଲି ପରିବେଶବିତ୍‌ ଆଶଙ୍କା କରିଛନ୍ତି। କୋରାପୁଟ ଜିଲ୍ଲାର ମାଛକୁଣ୍ଡରୁ ବାହାରି ବୈପାରିଗୁଡ଼ା ବ୍ଲକର ବାଙ୍କୁଲି, ମାଝିଗୁଡ଼ା ଦେଇ ମାଲକାନଗିରି ଜିଲ୍ଲାର ଖଇରପୁଟ ଓ ମାଥିଲି ବ୍ଲକ୍‌ରେ ସପ୍ତଧାରା ନଦୀ ପ୍ରବାହିତ। ପ୍ରାୟ ୪୫ କିଲୋମିଟର ଅଞ୍ଚଳରେ ପ୍ରବାହିତ ହେଉଥିବା ଏହି ନଦୀ କିଆଙ୍ଗ ନିକଟରେ କୋଲାବ ନଦୀରେ ମିଶିଛି। କିଛି ସ୍ଥାନରେ ନଦୀର ଓସାର ୧୦୦ ମିଟର ହୋଇଥିବା ବେଳେ କିଛି ସ୍ଥାନରେ ୨୦୦ମିଟର ପର୍ଯ୍ୟନ୍ତ ରହିଛି। ଯଦି ୧୦ବର୍ଷ ପଛକୁ ଫେରିବା ତେବେ ଗଭୀର ଜଳସ୍ତର ସହ ପ୍ରଖର ସ୍ରୋତ ନଦୀକୁ ବିପଦପୂର୍ଣ୍ଣ କରିଥିଲା। ବର୍ଷ ସାରା ପ୍ରଚୁର ପାଣି ରହୁଥିବାରୁ ଗାଜିଆଗୁଡ଼ା, ମେଣ୍ଡକୁଲି, ଚାଲାଣଗୁଡ଼ା, ଦଗାମ, ଧୁଙ୍ଗିଆପୁଟ ସହ ଅନେକ ସ୍ଥାନରେ ଜଳସେଚନ ବ୍ୟବସ୍ଥା କରି ବର୍ଷ ତମାମ ଚାଷ ହେଉଥିଲା। ବଡ଼କଥା ହେଲା କିଛି ବର୍ଷ ତଳେ ବର୍ଷା ଦିନ ଆରମ୍ଭରୁ ହିଁ ନଦୀରେ ବନ୍ୟାଜଳ ପ୍ରବେଶ କରି ଅନେକ ଅଞ୍ଚଳକୁ ବୁଡ଼ାଇ ଦେଉଥିଲା। ଦିନ ଦିନ ଧରି ବନ୍ୟାରେ ଅନେକ ସ୍ଥଳଭାଗ ବୁଡ଼ି ରହୁଥିଲା। ସେହିପରି ୩୨୬ ନମ୍ବର ଜାତୀୟ ରାଜପଥ ଉପରକୁ ବନ୍ୟାଜଳ ଚାଲି ଆସିଲେ ଯୋଗାଯୋଗ ସଂପୂର୍ଣ୍ଣ ଠପ୍‌ ହୋଇଯାଉଥିଲା।

ଉପରମୁଣ୍ଡରେ ବର୍ଷା କମିବା ଫଳରେ ଧ‌ୀରେ ଧୀରେ ନଦୀର ଜଳସ୍ତର କମିବାରେ ଲାଗିଛି। ସେହିପରି ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ବନ୍ଧ ବାନ୍ଧିବାରୁ ନଦୀ ଶୁଷ୍କ ଅବସ୍ଥାକୁ ଚାଲି ଆସିଛି। ପୁଣି ନଦୀ ତଟରେ ପ୍ରଚୁର ପରିମାଣରେ ନୀଳଗିରି ଗଛ ଲାଗିଛି। ଯାହା ନଦୀର ପ୍ରାକୃତିକ ଝରକୁ ଶୁଖାଇ ଦେଉଥିବା କୁହାଯାଉଛି। ବର୍ତ୍ତମାନ କେବଳ ବର୍ଷା ଦିନେ ହିଁ ନଦୀରେ ପାଣି ଦେଖିବାକୁ ମିଳୁଛି। ଶୀତ ଋତୁରେ କିଛି ଅଞ୍ଚଳରେ ପାଣି ରହୁଥିବା ବେଳେ ଖରାଦିନେ ଅଧିକାଂଶ ଅଞ୍ଚଳ ଶୁଖିଲା ପଡ଼ୁଛି। ନଦୀର ଜଳସ୍ତରକୁ ଦୃଷ୍ଟିରେ ରଖି ଅନେକ ଜଳସେଚନ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଯଦି ଏମିତି ସ୍ଥିତି ଲାଗି ରହିବ ତେବେ ତାହା କେବେ ମଧ୍ୟ ବାସ୍ତବ ରୂପ ନେଇପାରିବ ନାହିଁ। ସେହିପରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିବା ସପ୍ତଧାରା ନଦୀଶଯ୍ୟା ବି ସୌନ୍ଦର୍ଯ୍ୟ ହରାଇଛି। ଯାହାଫଳରେ ପର୍ଯ୍ୟଟକ ବିମୁଖ ହେବାରେ ଲାଗିଛନ୍ତି। ତେଣୁ ସମୟ ଥାଉଥାଉ ଏହି ନଦୀ ପ୍ରତି ଚିନ୍ତା କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର