ଭୋଟ୍‌ ପୂର୍ବରୁ କୋଟିଆରେ ମାତିଲା ଆନ୍ଧ୍ର: ବିଭିନ୍ନ ଘରେ ବିଦ୍ୟୁତ୍‌ ମିଟର ଲଗାଇଲା

ପଟାଙ୍ଗି: ୧୦ବର୍ଷ ତଳେ ଗାଁକୁ ତାର ଟାଣି ବିଦ୍ୟୁତ୍‌ ସଂଯୋଗ ଦେଇଥିଲା। ସଂପୂର୍ଣ୍ଣ ମାଗଣାରେ ବିଦ୍ୟୁତ୍‌ ବ୍ୟବହାର କରୁଥିଲେ ଗ୍ରାମବାସୀ। କିନ୍ତୁ ନିର୍ବାଚନର ଠିକ୍‌ ପୂର୍ବରୁ ମାଗଣା ବିଦ୍ୟୁତ୍‌ର ମୂଲ୍ୟ ଭୋଟ ଆକାରରେ ସଂଗ୍ରହ କରିବାକୁ ରଣନୀତି ପ୍ରସ୍ତୁତ କରିଛି ଆନ୍ଧ୍ର। ନିଜ ପତିଆରା ଜାହିର କରିବାକୁ ହେଉ କି ଲୋକଙ୍କୁ ପ୍ରଭାବିତ କରିବାକୁ ହେଉ, ଘରେଘରେ ବିଦ୍ୟୁତ୍‌ ମିଟର ଲଗାଇବା ଆରମ୍ଭ କରିଛି। ଏଥିପାଇଁ ଆନ୍ଧ୍ର ବିଦ୍ୟୁତ୍‌ ବିଭାଗ କର୍ମଚାରୀ କୋଟିଆରେ ଅନୁପ୍ରବେଶ କରିଥିବା ବେଳେ ଏଥିରେ ସେମାନଙ୍କୁ ସହଯୋଗ କରିଛନ୍ତି ସ୍ଥାନୀୟ ଏଜେଣ୍ଟ। ଆଜି ସକାଳେ କୋଟିଆ ପଞ୍ଚାୟତର ଗଞ୍ଜେଇପଦର ଗାଁରେ ପହଞ୍ଚିଥିଲେ ବିଦ୍ୟୁତ୍‌ ବିଭାଗର କର୍ମଚାରୀ। ଘରଘର ବୁଲି ପ୍ରଥମେ ସର୍ଭେ କରିଥିଲେ। ଏହାପରେ ଫର୍ମ ପୂରଣ କରି ମାଗଣାରେ ନୂଆ ବିଦ୍ୟୁତ୍‌ ମିଟର ଲଗାଇଥିଲେ। ଆନ୍ଧ୍ର ଦ୍ବାରା ନିୟୋଜିତ ଏଜେଣ୍ଟ ବିଶୁ ଗେମେଲ ଘରଘର ବୁଲି ଲୋକଙ୍କ ସହ କଥାବାର୍ତ୍ତା କରିବା ପରେ ମିଟର ଲାଗିଥିଲା। ପ୍ରାୟ ୩୯ଟି ମିଟର ଲାଗିବା ପରେ ଏ ନେଇ ପଟାଙ୍ଗି ବ୍ଲକ୍‌ ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା। ତୁରନ୍ତ ପଟାଙ୍ଗି ତହସିଲଦାର ପହଞ୍ଚି ତାଗିଦ କରିଥିଲେ। ତେବେ କେନ୍ଦ୍ର ସରକାରଙ୍କ ଯୋଜନାରେ ତଥା ଅଧିକାରୀଙ୍କ ନିର୍ଦ୍ଦେଶରେ ମିଟର ଲଗାଇବାକୁ ଆସିଥିବା ସଂପୃକ୍ତ କର୍ମଚାରୀମାନେ କହିଥିଲେ।

ବିନା ଅନୁମତିରେ ମିଟର ଲାଗି ପାରିବନାହିଁ ବୋଲି କୁହାଯିବାରୁ ବଳକା ମିଟର ନେଇ କର୍ମଚାରୀମାନେ ଚାଲି ଯାଇଥିଲେ। କିନ୍ତୁ ପୁଣି ଆସି ମିଟର ଲଗାଇବାର ସମ୍ଭାବନା ରହିଛି। ଆନ୍ଧ୍ର ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଅନୁପ୍ରବେଶକୁ ବୁଦ୍ଧିଜୀବୀ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ପରୋକ୍ଷରେ ଲୋକଙ୍କ ଉପରେ ଚାପ ପକାଇବାକୁ ଏହା ଆ‌ନ୍ଧ୍ରର ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର। ଓଡ଼ିଶାର ଯୋଜନାରେ କୋଟିଆବାସୀ ଉପକୃତ ହେବାପରେ ଆନ୍ଧ୍ର ଉପରେ ନିର୍ଭରଶୀଳତା କମାଇଛନ୍ତି। ସେହିପରି ନିର୍ବାଚନକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଯାହାକୁ ବଡ଼ ଲଢ଼େଇ ରୂପେ ଗ୍ରହଣ କରିଛି ଆନ୍ଧ୍ର। ତେଣୁ କୌଣସି ପରିସ୍ଥିତିରେ ବି ଭୋଟ ହାର ବଢ଼ାଇବା ପାଇଁ ପୂରା ଜୋର୍‌ ଲଗାଇ ଦେଇଛି। ମତଦାନ ହାର ହିଁ ଲୋକ କେଉଁ ରାଜ୍ୟକୁ ସମର୍ଥନ କରୁଛନ୍ତି ସ୍ପଷ୍ଟ କରିବ। ଏଥିପାଇଁ ମାଗଣା ବିଦ୍ୟୁତ୍‌ର ଋଣ ପରିଶୋଧ ସ୍ବରୂପ ଆନ୍ଧ୍ର ପାଇଁ ଭୋଟ ଦେବାକୁ ପରୋକ୍ଷରେ ପ୍ରବର୍ତ୍ତାଇବାକୁ ଉଦ୍ୟମ ହୋଇଛି। ଯଦି କେହି ଆନ୍ଧ୍ରର ସହାୟତାକୁ ଭୁଲି ଯାଇଥିବେ ତେବେ ମିଟର ଲାଗିବା ଫଳରେ ଆପେଆପେ ଆନ୍ଧ୍ର ଆଡ଼କୁ ଢଳିବେ। କାରଣ ଭୋଟ ନଦେଲେ ଆଗକୁ ବିଦ୍ୟୁତ୍‌ ସଂଯୋଗ କଟିବା କିମ୍ବା ଦେୟ ଦେବାର ଭୟ ନିଶ୍ଚିତ ରୂପେ ଭୋଟରଙ୍କ ମନକୁ ଆସିବ।

ସମ୍ବନ୍ଧିତ ଖବର