ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦, ୱେଷ୍ଟଇଣ୍ଡିଜ୍‌କୁ ଜିତାଇଲେ ଲୁଇସ୍

ସେଣ୍ଟ ଜର୍ଜ: ଏଭିନ୍ ଲୁଇସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ୱେଷ୍ଟଇଣ୍ଡିଜ୍ ୫ ଓଭର ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଛି। ତା ସହିତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ନିକଟରେ ସମାପ୍ତ ହୋଇଥିବା ଟେଷ୍ଟ୍ ଶୃଙ୍ଖଳାରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିବା ଦକ୍ଷିଣ ଆଫ୍ରିକୀୟ ବୋଲରଙ୍କୁ ଲୁଇସ୍ ମନଇଚ୍ଛା ଛେଚିବା ଅନେକଙ୍କୁ ବିସ୍ମିତ କରିଛି। ତେବେ ଫର୍ମାଟ ବଦଳିବା ସହ ବ୍ୟାଟ୍ସମ୍ୟାନଙ୍କ ଖେଳିବା ଶୈଳୀ ଓ ସଫଳତା ଯେ ବଦଳିଯାଏ ତାହା ଏଥିରୁ ପ୍ରମାଣିତ ହୋଇଛି।

ଶନିବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୬୧ ରନ୍‌ର ସମ୍ମାନଜନକ ଲକ୍ଷ୍ୟ ଦେବା ପରେ ଲୁଇସ୍‌ଙ୍କ ଧମାକାଦାର ବ୍ୟାଟିଂ ପାଇଁ ହିଁ ୱେଷ୍ଟଇଣ୍ଡିଜ୍ ସହଜ ବିଜୟ ହାସଲ କରିଥିଲା। ସେଥିମଧ୍ୟରୁ ଲୁଇସଙ୍କ ଯୋଗଦାନ ଥିଲା ୭୧ ରନ୍। ଯାହାକୁ ସେ ମାତ୍ର ୩୫ ବଲ୍‌ରୁ ୭ ଛକା ଓ ୪ ଚୌକା ବଳରେ ହାସଲ କରିଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ଫ୍ଲେଚର ୧୯ ବଲ୍‌ରୁ ୩୦ ରନ୍‌ର ଯୋଗଦାନ ଦେଇଥିଲେ। ଏହା ପରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ର ଅନ୍ୟ ଦୁଇ ଦୁର୍ଦ୍ଧର୍ଷ ତାରକା କ୍ରିସ୍ ଗେଲ୍ (୩୨* ରନ୍‌, ୨୪ ବଲ୍‌, ୧ ‌ଚୌକା, ୩ ଛକା) ଓ ଆନ୍ଦ୍ରେ ରସେଲ (୨୩* ରନ୍‌, ୧୨ ବଲ୍‌, ୧ ଚୌକା, ୩ ଛକା) ମ୍ୟାଚ୍ ଶେଷ କରିଥିଲେ। ମିଡ୍‌ୱିକେଟ୍ ଉପରେ ବିଶାଳ ଛକା ମାରି ରସେଲ ହିଁ ଇଣ୍ଡିଜ୍ ବିଜୟରେ ମୁଣ୍ଡି ମାରିଥିଲେ। ଇଣ୍ଡିଜ୍ ତାର ଷ୍ଟ୍ରୋକ୍‌ଭରା ପାଳିରେ ୧୨୬ ରନ୍ (୧୫ ଛକା, ୯ ଚୌକା) ଛକା, ଚୌକାରୁ ଅମଳ କରିଥିଲା। ଏହା ପୂର୍ବରୁ ରାସି ଭାନଡେର ଦୁସେନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୦ ରନ୍ କରିଥିଲା। ଦ୍ରୁତ ଅର୍ଦ୍ଧଶତକୀୟ ପାଳି ପାଇଁ ଲୁଇସ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର