ମେସି @ ୩୩

ନୂଆଦିଲ୍ଲୀ : ବୁଧବାର ଫୁଟ୍‌ବଲ୍‌ ଦୁନିଆର ଅନ୍ୟତମ ଶ୍ରେଷ୍ଠ ଚର୍ଚ୍ଚିତ ତାରକା ଲିଓନେଲ୍‌ ମେସିଙ୍କ ଜନ୍ମଦିନ। ଏହି ବାର୍ସିଲୋନା ତଥା ଆର୍ଜେଣ୍ଟିନାର ମହାନ୍‌ ଖେଳାଳି ବୁଧବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ତାଙ୍କୁ ମିଳିଛି ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା।

ଆର୍ଜେଣ୍ଟିନାର ରୋସାରିଓରେ ୧୯୮୭ ମସିହା ଜୁନ୍‌ ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ମେସି ମାତ୍ର ୧୩ ବର୍ଷ ବୟସରେ ଏଫ୍‌ସି ବାର୍ସିଲୋନା ସହ ଚୁକ୍ତିବଦ୍ଧ ହୋଇଥିଲେ। ମାତ୍ର ୧୭ ବର୍ଷ ୩ ମାସ ଓ ୨୨ ଦିନ ବୟସରେ ଏଫ୍‌ସି ବାର୍ସିଲୋନାର ପ୍ରଥମ ଦଳ ପାଇଁ ଲା’ ଲିଗାରେ ସେ ନିଜର ଲିଗ୍‌ ପଦାର୍ପଣ କରିଥିଲେ। ଏସ୍‌ପାନିଓଲ ବିପକ୍ଷରେ ଖେଳି ବାର୍ସିଲୋନାର ପ୍ରଥମ ଦଳରୁ ଏକ ଅଫିସିଆଲ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିବାରେ ସର୍ବକନିଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମେସିଙ୍କ ପଦାର୍ପଣ ଋତୁ (୨୦୦୪-୦୫)ରେ ହିଁ ବାର୍ସିଲୋନା ଲା’ ଲିଗା ବିଜେତା ହୋଇଥିଲା। ଯାହାକି ୬ ବର୍ଷ ପରେ ପ୍ରଥମ ଥିଲା।

ପଦାର୍ପଣଠାରୁ ମେସି ନିଜ ଯାଦୁ ବଳରେ ୧୦ ଲା’ ଲିଗା ଟ୍ରଫି ଜିତିବାର ଗୌରବ ବହନ କରିଛନ୍ତି। ୨୦୦୫ରେ ବାର୍ସିଲୋନା ବରିଷ୍ଠ ଦଳ ପକ୍ଷରୁ ତାଙ୍କର ପ୍ରଥମ ଗୋଲ୍‌ ମେସି ଅଲ୍‌ବାକେଟେ ବିପକ୍ଷରେ କରିଥିଲେ। ଆଉ ସେହି ସମୟରେ କ୍ଲବ୍‌ ପାଇଁ ଗୋଲ୍‌ କରିବାରେ ସେ ମଧ୍ୟ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ବାର୍ସିଲୋନା କ୍ଲବ୍‌ ସହ ୧୦ ଲା’ ଲିଗା ଟ୍ରଫି ବ୍ୟତୀତ ମେସି ମଧ୍ୟ ୪ ୟୁଇଏଫ୍‌ଏ ଚାମ୍ପିଅନ୍‌ସ ଲିଗ୍‌ ଏବଂ ୬ କୋପା ଡେଲ୍‌ ରେ ଟ୍ରଫି କ୍ଲବ୍‌ ପାଇଁ ଜିତିଥିଲେ। ମେସି ମଧ୍ୟ ଲା’ ଲିଗାରେ ସର୍ବାଧିକ ବ୍ୟକ୍ତିଗତ ଗୋଲ୍‌ କରିବାର କୀର୍ତ୍ତିମାନ ନିଜ ନାମରେ ରଖିଛନ୍ତି। ସେ ୪୪୦ ଲା’ ଲିଗା ଗୋଲ୍‌ କରିଥିଲା ବେଳେ ଲା’ ଲିଗାରେ ସର୍ବାଧିକ (୩୬) ହ୍ୟାଟ୍ରିକ୍‌ ଅର୍ଜନ କରିବାର କୀର୍ତ୍ତି ପାଇଛନ୍ତି। ବାର୍ସିଲୋନା ପାଇଁ ଏପର୍ଯ୍ୟନ୍ତ ୭୨୨ ମାଚ୍‌ (ସବୁ ପ୍ରତିଯୋଗିତା) ଖେଳିସାରିଥିବା ମେସି ମୋଟ ୬୨୯ ଗୋଲ୍‌ କରିଥିଲା ବେଳେ ୨୭୦ ଗୋଲ୍‌ରେ ତାଙ୍କର ସଂପୃକ୍ତି ରହିଛି।

ଏହି ମହାନ୍‌ ତାରକା କୀର୍ତ୍ତିମାନଭରା ୬ ଥର ବାଲନ୍‌ ଡି’ଓର୍‌ ପୁରସ୍କାର ହାତେଇ ସାରିଛନ୍ତି। ଏହି ପୁରସ୍କାର ସେ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଓ ୨୦୧୯ରେ ହାସଲ କରିଛନ୍ତି। ଏତେସବୁ ସତ୍ତ୍ବେ ଗୋଟିଏ ଅବସୋସ ମେସିଙ୍କ ପାଇଁ ରହିଯାଇଛି। ଯାହାକି ମେସି ଥରେ ହେଲେ ଫିଫା ବିଶ୍ବକପ୍‌ ଟ୍ରଫି ତୋଳି ଧରିବାର ସୌଭାଗ୍ୟରୁ ବଞ୍ଚିତ ରହିଛନ୍ତି।

ସମ୍ବନ୍ଧିତ ଖବର