ଏଡିଏମ୍‌ଙ୍କ ଘରେ ଦୁର୍ବୃତ୍ତ ପଶିବା ଘଟଣା : ୪୮ ଘଣ୍ଟା ପରେ ପୁଲିସ ହାତ ଖାଲି

ଭୁବନେଶ୍ୱର : ଓଏଏସ୍‌ ଅଫିସର ତଥା ନୟାଗଡ଼ ଜିଲ୍ଲା ଏଡିଏମ୍‌ ବିଧାନଚନ୍ଦ୍ର ରାୟଙ୍କ ଘରେ ଦୁର୍ବୃତ୍ତ ପଶିବା ଘଟଣାକୁ ବିତିଛି ୪୮ ଘଣ୍ଟା। ହେଲେ ଏଯାବତ୍‌ ଖଣ୍ଡଗିରି ପୁଲିସକୁ ସଫଳତା ମିଳିନି। ପୁଲିସର ପାଟ୍ରୋଲିଂ ଅଭାବକୁ ଦୋଷ ଦେଇଛନ୍ତି ଏଡିଏମ୍‌ଙ୍କ ପତ୍ନୀ ମହୁଆ ରାୟ। ଏହି ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ହେଉନଥିବାରୁ ଦୁର୍ବୃତ୍ତମାନେ ଏଭଳି ଖୋଲାଖୋଲି ଭାବରେ ଅପରାଧ ଘଟାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଏଠାରେ ଅନେକଙ୍କ ଘରେ ବରିଷ୍ଠ ନାଗରିକମାନେ ରହୁଛନ୍ତି। ଜଣେ ଓଏଏସ୍‌ ଅଫିସରଙ୍କୁ ପୁଲିସ ସୁରକ୍ଷା ଯୋଗାଇ ପାରୁନଥିବା ଦେଖି ଅନ୍ୟମାନେ ଭୟଭୀତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ନିଶାଖୋରଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିଛି। ରାସ୍ତା ଉପରେ ବସି ନିଶା ସେବନ କରୁଥିବା ଦେଖାଯାଇଛି। ଛିନ୍‌ତାଇ, ଚୋରି ମଧ୍ୟ ବଢ଼ିଛି। ନିକଟ ଅତୀତରେ ବରିଷ୍ଠ ନାଗରିକମାନେ ଏକାଠି ହୋଇ ପୁଲିସକୁ ଭେଟିବା ସହ ଅପରାଧ ଦମନ ନେଇ ଆଲୋଚନା କରିଥିଲେ। ହେଲେ ଏହାର କୌଣସି ସୁଫଳ ମିଳିନଥିଲା। କୋଭିଡ୍‌ ମୁକାବିଲା‌ ପାଇଁ ରାତିରେ କର୍ଫ୍ୟୁ ଜାରି ରହିଥିଲେ ମଧ୍ୟ ଅପରାଧୀ ଏଭଳି ଉତ୍ପାତ କରିବା ପୁଲିସର ଅପାରଗତାକୁ ପ୍ରମାଣିତ କରିଛି।

ସୂଚନା ମୁତାବକ, ବରମୁଣ୍ଡା ହାଉସିଂ ବୋର୍ଡ କଲୋନିର ୧୪୧ ନମ୍ବର ପ୍ଲଟ୍‌ରେ ରହୁଛନ୍ତି ଓଏଏସ୍‌ ଅଫିସର ବିଧାନଚନ୍ଦ୍ର ରାୟ। ସେ ନୟାଗଡ଼ରେ ରହୁଥିବା ବେଳେ ଏଠାରେ ତାଙ୍କର ମା’, ପତ୍ନୀ ଓ ପିଲାମାନେ ରହୁଥିଲେ। ସୋମବାର ସକାଳେ ପତ୍ନୀ ଓ ପିଲାମାନେ ଏଡିଏମ୍‌ଙ୍କ ନିକଟକୁ ନୟାଗଡ଼ ଯାଇଥିଲେ। ଏହାର ସୁଯୋଗ ନେଇ ରାତି ପ୍ରାୟ ୧୧ଟା ବେଳେ କେତେକ ଦୁର୍ବୃତ୍ତ ତାଙ୍କ ମୁଖ୍ୟ ଫାଟକ ଭାଙ୍ଗି ପରିସରରେ ପଶିଥିଲେ। ଭିତରେ ରଖାଯାଇଥିବା ଚାରିଚକିଆ ଗାଡ଼ିର କାଚ ଭାଙ୍ଗି ଲୁଟିବା ଉଦ୍ୟମ କରିଥିଲେ। ହେଲେ ଶବ୍ଦ ହେବାରୁ ଲୋକମାନେ ଉଠି ହୋ’ହଲ୍ଲା କରିଥିଲେ। ଏହା ଦେଖି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ତେବେ ସେମାନେ ଆଣିଥିବା ଗାଡ଼ି ଛାଡ଼ି ଚାଲି ଯାଇଥିଲେ। ଏତଲା ହେବା ପରେ ପୁଲିସ ତନାଘନା କରିଥିଲା।

ଏ ନେଇ ଖଣ୍ଡଗିରି ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଭିନ୍ନ କଥା କହିଛନ୍ତି। ଜବତ ଗାଡ଼ି ନମ୍ବରକୁ ଆଧାର କରି ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ଏହା ଡକାୟତି ଉଦ୍ୟମ ନୁହେଁ, ବରଂ ଏକ ଦୁର୍ଘଟଣା। ଏହି ଗଳିରେ ଥିବା ଅନ୍ୟଜଣେ ଲୋକଙ୍କ ଘରକୁ କିଛି ଲୋକ ଆସିଥିଲେ। ସେମାନେ ଫେରିବା ବେଳେ ଗାଡ଼ିଟି ଦ୍ରୁତଗତିରେ ଏଡିଏମ୍‌ଙ୍କ ଫାଟକରେ ପିଟି ହୋଇ ଯାଇଥିଲା। ଫାଟକ ଭାଙ୍ଗିଯିବା ସହ ଗ୍ରିଲଟି ଭିତରେ ଛିଡ଼ା ହୋଇଥିବା ଏଡିଏମ୍‌ଙ୍କ ଗାଡ଼ିରେ ପିଟି ହୋଇ ଯାଇଥିଲା। ଫଳରେ ଗାଡ଼ିଟି ଭାଙ୍ଗି ଯାଇଥିଲା। ଚିହ୍ନଟ ପରେ ଅଭିଯୁକ୍ତକୁ ଅଣାଯାଉଛି। ଆସନ୍ତାକାଲି ସକାଳେ ସେ ଏଠାରେ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅଞ୍ଚଳରେ ଆମେ ପାଟ୍ରୋଲିଂ ବଢ଼ାଇବା ସହ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର