‘ଦ୍ବୈତ ସ୍ବାର୍ଥ’‌ ନୋଟିସର ଉତ୍ତର ରଖିଲେ ସଚିନ

‘ମୁମ୍ବାଇ ଇଣ୍ଡିଆନ୍ସଠାରୁ ଟଙ୍କାଟିଏ ନେଇନାହିଁ’

ନୂଆଦିଲ୍ଲୀ: ବିସିସିଆଇ ଲୋକପାଳ ଜଷ୍ଟିସ୍ ଡିକେ ଜୈନ ପଠାଇଥିବା ‘ଦ୍ବୈତ ସ୍ବାର୍ଥ’ ନୋଟିସର ଉତ୍ତର ରଖିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ରବିବାର ନିଜ ୧୪ ସୂତ୍ରୀ ଲିଖିତ ଉତ୍ତରରେ ସଚିନ ତାଙ୍କ ବିରୋଧରେ ଆସିଥିବା ‘ଦ୍ବୈତ ସ୍ବାର୍ଥ’ ଅଭିଯୋଗକୁ ଦୃଢ଼ ହସ୍ତରେ ଖଣ୍ଡନ କରିଛନ୍ତି। ମଧ୍ୟପ୍ରଦେଶ କ୍ରିକେଟ୍ ସଂଘ ସଦସ୍ୟ ସଂଜୀବ ଗୁପ୍ତା ଏଭଳି ଅଭିଯୋଗ ଆଣିବା ପରେ ଲୋକପାଳ ଶ୍ରୀ ଜୈନ ସଚିନଙ୍କୁ ନୋଟିସ୍ ଜାରି କରି ଏହାର ଉତ୍ତର ରଖିବାକୁ ନିର୍ଦେଶ ଦେଇଥିଲେ। ଗୁପ୍ତା ଭାରତୀୟ କ୍ରିକେଟ୍‌ର ଅନ୍ୟତମ କିମ୍ବଦନ୍ତୀ ପୁରୁଷ ଭିଭିଏସ୍ ଲକ୍ଷ୍ମଣଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ଲକ୍ଷ୍ମଣ ଏ ପର୍ଯ୍ୟନ୍ତ ଯାହାର ଉତ୍ତର ଦେଇ ନାହାନ୍ତି। ସଚିନ ଓ ଲକ୍ଷ୍ମଣ ବିସିସିଆଇ କ୍ରିକେଟ୍ ପରାମର୍ଶଦାତା ସମିତିର ସଦସ୍ୟ ଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍ ଦଳର ପ୍ରଶିକ୍ଷକ ମଣ୍ଡଳିରେ ରହିଛନ୍ତି। ଏଣୁ ଉଭୟ ଦୁଇ ଆଡ଼ୁ ଲାଭ ଉଠାଉଛନ୍ତି ବୋଲି ଗୁପ୍ତା ଯୁକ୍ତି ବାଢ଼ିଥିଲେ।

ସଚିନ ତାଙ୍କ ଉତ୍ତରରେ ଲେଖିଛନ୍ତି ଯେ ମୁଁ ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସଠାରୁ କୌଣସି ଆର୍ଥିକ ଲାଭ ପାଇନାହିଁ। ଅବସର ପରେ ମୁମ୍ବାଇ ଇଣ୍ଡିଆନ୍ସରେ ମୋ ସ୍ଥାନ ଆଇକନ୍ ବା‌ ମାର୍ଗଦର୍ଶକ ରହିଛି। ମୁଁ କୌଣସି ଦଳରେ ଚାକିରି କରୁନାହିଁ କି ଟଙ୍କାଟିଏ ମଧ୍ୟ ପାରିଶ୍ରମିକ ନେଉନାହିଁ। ଦଳ ଚୟନ, ପରିଚାଳନାରେ ମୋର କୌଣସି ହାତ ନାହିଁ। ଏଣୁ ବିସିସିଆଇ କିମ୍ବା ଅନ୍ୟ କୌଣସି ପ୍ରଚଳିତ ନିୟମରେ ମୁଁ ‘ଦ୍ବୈତ ସ୍ବାର୍ଥ’ରେ ଜଡ଼ିତ ଅଛି ବୋଲି କୁହାଯାଇନପାରେ। କ୍ରିକେଟ୍ ପରାମର୍ଶଦାତା ସମିତିର ସଦସ୍ୟ ବିଷୟରେ ସ୍ପଷ୍ଟୀକରଣ ଦେବାକୁ ଯାଇ ସଚିନ କହିଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସ ସହ ସଂପର୍କ ଯୋଡ଼ିବାର ଢେର କିଛି ବର୍ଷ ପରେ ମୋତେ ପରାମର୍ଶଦାତା ସମିତିର ସଦସ୍ୟ କରାଯାଇଛି। ଏକଥା ସମସ୍ତେ ଜାଣିଛନ୍ତି। ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଡଗ୍‌ଆଉଟରେ ବସିବା ନେଇ ଗୁପ୍ତା କରିଥିବା ଅଭିଯୋଗରେ କୌଣସି ସତ୍ୟତା ନଥିବା ସଚିନ ସ୍ପଷ୍ଟ କରି ଦେଇଛନ୍ତି। ଲୋକପାଳ ଚାହିଁଲେ ମୁଁ ବ୍ୟକ୍ତିଗତ ଭାବେ ତାଙ୍କ ନିକଟରେ ହାଜର ହେବାକୁ ପ୍ରସ୍ତୁତ ବୋଲି ମଧ୍ୟ ସଚିନ ଜଣାଇ ଦେଇଛନ୍ତି। ଲକ୍ଷ୍ମଣ କୌଣସି ଲିଖିତ ଉତ୍ତର ଦେଇ ନଥିଲେ ମଧ୍ୟ ପରାମର୍ଶଦାତା ସମିତିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଏହା ‌ହେଲେ ସନରାଇଜର୍ସ ସହ ସେ ପୂର୍ବବତ୍ କାର୍ଯ୍ୟ କରି ପାରିବେ।

ସମ୍ବନ୍ଧିତ ଖବର